Latest Odisha News

BREAKING NEWS

ଛୁଆଙ୍କ ଉପରେ ନୋଭାଭାକ୍ସର କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ସେରମ୍ ଆଗ୍ରହୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଧିରେ ଧିରେ କମୁଛି । ତୃତୀୟ ଲହରରେ ଶିଶୁଙ୍କ ପାଇଁ ଅଧିକ ବିପଦ ଆଣିପାରେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ସେଥିପାଇଁ ଯଥାଶୀଘ୍ର ସମସ୍ତଙ୍କୁ ଟିକା ଦେବାକୁ କୁହାଯାଉଛି । ହେଲେ ୧୮ ବର୍ଷ ବୟସରୁ କମ୍ ଜନସଂଖ୍ୟାକୁ ଟିକା ଦିଆଯାଉ ନାହିଁ । ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ଭାରତ ବାୟୋଟେକ୍ ଛୁଆଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଅନୁମତି ପାଇଛି । ଜୁନରୁ ପିଲାଙ୍କ ଆରମ୍ଭ ହେବ କୋଭାକ୍ସିନର ପରୀକ୍ଷଣ ।

ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପାଉଲ କହିଛନ୍ତି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନୋଭାଭାକ୍ସର କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ଚାହୁଁଛି । ଛୁଆଙ୍କ ଉପରେ ପରୀକ୍ଷଣ ପାଇଁ କୋଭାକ୍ସିନକୁ ଅନୁମତି ଦିଆଯାଇଛି । ଏଯାବତ୍ କୌଣସି ଦେଶ ଛୁଆଙ୍କୁ କୋଭିଡ୍ ଟିକା ଦେଉନାହାଁନ୍ତି । ଏପରିକି ଛୁଆଙ୍କୁ କୋଭିଡ୍ ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ପରାମର୍ଶ ଦେଇନଥିବା ସେ କହିଛନ୍ତି ।

ହ୍ୱାଟ୍ସଆପରେ ଖେଳା ଯାଉଥିବା ଗୁଜବକୁ ନେଇ ଛୁଆଙ୍କୁ ଟିକା ଦିଆଯିବ ନାହିଁ । ବରଂ ବୈଜ୍ଞାନିକଙ୍କ ଗବେଷଣା ଓ ତଥ୍ୟ ଆଧାରରେ ଏନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ୧୨ରୁ ୧୭ ବର୍ଷର ପିଲାଙ୍କ ଉପରେ କୋଭିଡ୍ ଟିକା ପରୀକ୍ଷଣ ଆରମ୍ଭ କରିଥିବା ସୂଚନା ଦେଇଥିଲା । ଗୋଟିଏ ଡୋଜର ୨୧ ଦିନ ବ୍ୟବଧାନରେ ଛୁଆଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଟିକା ନେଇଥିବା ଛୁଆଙ୍କୁ ୨ ବର୍ଷ ଯାଏ ନିରୀକ୍ଷଣରେ ରଖାଯିବ ।

ସେରମ ଇନଷ୍ଟିଚ୍ୟୁଟର ସିଇଓ ପୁନାୱାଲାଙ୍କ ଅନୁସାରେ, ନୋଭାଭାକ୍ସ ଭାରତରେ କୋଭାଭାକ୍ସ ନାମରେ ଚଳିତ ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହୋଇପାରେ । ତେବେ ଆମେରିକାରୁ ଆବଶ୍ୟକୀୟ କଞ୍ଚାମାଲ୍ ଆସିବାରେ ପ୍ରତିବନ୍ଧକ ଯୋଗୁଁ ଭାରତରେ ଟିକା ଉତ୍ପାଦନ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ପୁନାୱାଲା ।

Leave A Reply

Your email address will not be published.