ସେତେବେଳେ କେଉଁଠି ଥିଲ?

ସେତେବେଳେ କେଉଁଠି ଥିଲ?

ପରଂବ୍ରହ୍ମ ତ୍ରିପାଠୀ

ସହପାଠୀ ରାଜୀବକୁ କ୍ୟାନସର। ପାଖାପାଖି ତିନି ବର୍ଷ ହେଲା ଚାକିରି ନାହିଁ, ମାନସିକ ଦୁଶ୍ଚିନ୍ତା ସାଙ୍ଗକୁ ଆର୍ଥିକ ଦୁଃସ୍ଥିତିର ଚରମ ସୋପାନରେ ରାଜୀବର ପରିବାର। ତାଙ୍କ ଘର ପାଖର ଜଣେ ଚିହ୍ନା ପରିଚିତଙ୍କଠାରୁ ରାଜୀବ ବିଷୟରେ କିଛି ଦିନ ତଳେ ଜାଣିଲି। ସେ ସମୟର ସହପାଠୀମାନେ ପ୍ରାୟ ସମସ୍ତେ ଆଜି ନିଜ ନିଜ କ୍ଷେତ୍ରରେ ଭଲ ଜାଗାରେ ଅଛନ୍ତି। ଭାବିଲି, ସମସ୍ତେ ଯଦି କିଛି କିଛି ସାହାଯ୍ୟ କରି ପାରନ୍ତେ, ତା ପରିବାରର ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରନ୍ତା। ଏହି କଥା ଭାବି ରାଜୀବର ଅବସ୍ଥା ଓ ନିଜ ସ୍ୱଚ୍ଛଳତା ଅନୁସାରେ ସାହାଯ୍ୟ କରିବା ପାଇଁ ଲେଖି ପୁରୁଣା ସହପାଠୀମାନଙ୍କର ହ୍ଵାଟ୍ସଆପ ଗ୍ରୁପରେ ପୋଷ୍ଟ କରିଥିଲି। କିଛି ସ୍ୱତଃପ୍ରବୃତ ଭାବେ ସାହାଯ୍ୟ କରିବାକୁ ଆଗେଇ ମଧ୍ୟ ଆସିଲେ।

ଏହି ସମୟରେ ସେହି ଗ୍ରୁପରେ ଥିବା ଅନ୍ୟଜଣେ ସହପାଠୀଙ୍କର ଫୋନ ଆସିଲା। ସିଧା ପ୍ରଶ୍ନ ମତେ, ଆଜି ରାଜୀବ ପାଇଁ ଡେଇଁ ପଡୁଛୁ, ସେତେବେଳେ ବେଳେ କୋଉଠି ଥିଲୁ ଯେବେ ମୁଁ ଦୁର୍ଘଟଣାରେ ଶିକାର ହେଇ ପାଖାପାଖି ଦୁଇ ବର୍ଷ ବିଛଣାରେ ଥିଲି? କାହିଁ ସେତେବେଳେ ତ ଦରଦ ଆସିଲାନି? ରାଜୀବ ପାଇଁ ଦରଦର କାରଣ, ସିଏ ତୁମ ଜିଲ୍ଲା ପିଲା, ଆଉ କଲେଜ ନିର୍ବାଚନ ବେଳେ ସିଏ ତୋ ସାଙ୍ଗରେ ବୁଲୁ ଥିଲା। ହଁ କି ନାଁ?

ସତ କହିବାକୁ ଗଲେ ବନ୍ଧୁଙ୍କର ଏଭଳି ପ୍ରଶ୍ନର ଉତ୍ତର କଣ ହେବ ସେ ସମୟରେ ମୁଁ ସ୍ଥିର କରି ପାରିଲିନି। ସ୍ଥିର କଣ କରିବି, ଏପରି ଏକ ସ୍ପର୍ଶକାତର ଜିନିଷରେ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ନିଜ ବନ୍ଧୁକୁ ଏପରି ଏକ ପ୍ରଶ୍ନ ଯେ କରିପାରେ, ସେଇଟା ମୋ ଧାରଣା ବାହାରେ ଥିଲା। କଥାକୁ ହାଲୁକା କରିବାକୁ ମୁଁ କହିଲି, ଆରେ ତୋର ଆକ୍ସିଡେଣ୍ଟ ହେଇଥିଲା ଆଠ ବର୍ଷ ତଳେ। ସେତେବେଳେ ମୋ ପାଖରେ ସ୍ମାର୍ଟ ଫୋନ ନଥିଲା। ସ୍ମାର୍ଟ ଫୋନ ଥିଲେ (ଓ ମୁଁ ସେତେବେଳେ କେଉଁଠି ଥିଲି ବୋଲି ତୁ ଦିନେ ମତେ ପ୍ରଶ୍ନ କରିବୁ ବୋଲି ଜାଣିଥିଲେ) ମୁଁ ନିଶ୍ଚିତ ଭାବେ ତାର ଲୋକେସନର ସ୍କ୍ରୀନସଟ ସାଇତି ରଖିଥାନ୍ତି। ତୋ ପାଇଁ ଯଦି କରି ହେଇ ନାହିଁ, ତାହାଲେ କଣ ରାଜୀବ କିମ୍ବା ଆଉ କାହା ପାଇଁ କରା ଯିବନି? ତାପରେ ମୁଁ ଗ୍ରୁପରେ ଏହି କଥାଟି ଲେଖିଲା ବେଳେ ସାହାଯ୍ୟ ପ୍ରସଙ୍ଗଟିକୁ ସମସ୍ତଙ୍କ ବିବେକ ଉପରେ ଛାଡିଦେଇଥିଲି। ତୋର ଯଦି ଅଭିମାନ ଅଛି ଯେ ତୋ ବିପଦ ସମୟରେ ଅନ୍ୟମାନେ ଠିଆ ହେଇ ନଥିଲେ, ତୁ ସାହାଯ୍ୟ ନକରି ପାରୁ। ହେଲେ ମୁଁ ସେତେବେଳେ କେଉଁଠି ଥିଲି ଭଳି ଅପ୍ରାସଙ୍ଗିକ ପ୍ରଶ୍ନର ଆବଶ୍ୟକତା କେଉଁଠି ଅଛି? ଏହା ପରେ ବନ୍ଧୁ ଜଣକ ଫୋନ କାଟିଦେଲେ।

ଗତ କିଛି ବର୍ଷ ହେବ ”ସେତେବେଳେ କେଉଁଠି ଥିଲ” ମାନସିକତା ଓ ଯୁକ୍ତି ସଂକ୍ରାମକ ଭୟାବହ ମହାମାରୀ ପରି ବ୍ୟାପି ଚାଲିଛି। ହୋ ବାବୁ, ତମେ କାଶ୍ମୀରର ଅମିନା ଶିଶୁ ଧର୍ଷଣ ବିଷୟରେ କଣ କହୁଛ? ସେତେବେଳେ କୋଉଠି ଥିଲ ଯେତେବେଳେ ମଧ୍ୟପ୍ରଦେଶର ଗୁଡ଼ିଆକୁ ଧର୍ଷଣ କରାଯାଇଥିଲା? ଆଜି ତମେ ଭିଡ଼ ହିଂସାରେ ମରିଥିବା ଢମକ କଥା କହୁଛ, ସେତେବେଳେ କୋଉଠି ଥିଲ ଯେତେବେଳେ ଲକ୍ଷ ଲକ୍ଷ କାଶ୍ମୀର ପଣ୍ଡିତ ନିଜ ଦେଶରେ ଶରଣାର୍ଥୀ ହେବାକୁ ବାଧ୍ୟ ହେଲେ? ତମେ ଆଜି ସରକାରର ଛୋଟିଆ ଦୁର୍ନୀତି ବିଷୟରେ ଭାଷଣ ଦେଉଛ, ସେତେବେଳେ କୋଉଠି ଥିଲା ଯେତେବେଳେ ବୋଫର୍ସ, ୟୁରିଆ, ଟେଲିକମ କି ସେଭଳି ଦୁର୍ନୀତି ହେଇଥିଲା?

ଆଉ କିଛି ତ ଟିକିଏ ଆଗକୁ ଯାଇ ଏକଥା ବି ପଚାରନ୍ତି, ମାମୁଦ ସୋମନାଥ ମନ୍ଦିର ଲୁଟିଲା ବେଳେ ଆପଣ କୋଉଠି ଥିଲେ? ସେତେବେଳେ ଯଦି କହିନାହଁ ଆଜି କଣ ପାଇଁ କହୁଛ? ଜଣକୁ ଯଦି ଷାଠିଏ ବର୍ଷର ହିସାବ ମାଗିନ ଆଉ ଜଣକୁ ବାର ବର୍ଷର ହିସାବ କଣ ପାଇଁ ମାଗୁଛ?

ଏଇ ସବୁ ଜିନିଷର ଉତ୍ତର ଦେଲାବେଳକୁ ମତେ ବା ମୋ ପରି ଅନେକଙ୍କୁ ଆଷାଢ଼ ମାସର ଗାଁ ମାଟି ରାସ୍ତା ଉପରେ ଚାଲି ସ୍କୁଲ ଗଲାଭଳି ଲାଗେ। ସ୍କୁଲ ନଗଲେ ମାଷ୍ଟ୍ରେ ମାରିବେ, କାଦୁଅରେ ଖସି ସାର୍ଟ ପେଣ୍ଟ କାଦୁଅ କଲେ ଘରେ ବୋଉ ମାରିବ। ମୁଁ ଯେତେବେଳେ ପ୍ରତିକ୍ରିୟା ଦେଖେଇ ନଥିଲି ସେତେବେଳେ ବୋଧେ ମୋ ପାଖରେ ଘଟଣା ସମ୍ପର୍କିତ ତଥ୍ୟ ନଥିଲା, ବୋଧେ ପ୍ରତିକ୍ରିୟାର କ୍ରିୟା ଯାହା ହେବ, ତାକୁ ସମ୍ଭାଳିବାର ସାମର୍ଥ୍ୟ ମୋ ପାଖରେ ନଥିଲା, କିମ୍ବା ଏମିତି ବି ହେଇ ପାରେ ମୋ ପାଖରେ ସେ ସାମାଜିକ ଦାୟିତ୍ୱବୋଧ ସମ୍ପର୍କିତ ଜ୍ଞାନ ଆସିନଥିଲା। ସେତେବେଳେ ପ୍ରତିକ୍ରିୟା ଦେଖେଇ ନଥିଲି ବୋଲି କଣ ଆଜି ପ୍ରତିକ୍ରିୟା ଦେଖେଇବାର ନୈତିକ ଅଧିକାର ମୋର ନାହିଁ? ଯଦି ସେତେବେଳେ ପ୍ରତିକ୍ରିୟା ନଦେଖେଇବାଟି ଭୁଲ, ତାହାଲେ ଆଜି ଚୁପ ରହିବା କେତେ ଦୂର ଠିକ?

ଏସବୁ କହିଲାବେଳେ ମୁଁ ଏକଥାକୁ ବିଲକୁଲ ଅସ୍ୱୀକାର କରୁ ନାହିଁ ଯେ କେତେକ କ୍ଷେତ୍ରରେ ସିଲେକ୍ଟିଭ ଓ ସ୍ପନସରଡ଼ ପ୍ରତିକ୍ରିୟା ଦେଖା ଯାଉଛି। ହେଉ ପଛେ ନିର୍ବାଚିତ ପ୍ରତିକ୍ରିୟା, ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତାର ପ୍ରତିକ୍ରିୟା ଦେଖାଇବାର ଅଧିକାର ଅଗଣତାନ୍ତ୍ରିକ କେମିତି? ମୋ ପାଖରେ ଉତ୍ତର ନାହିଁ ବୋଲି ମୁଁ ଯଦି କାହିଁକିର ଉତ୍ତର ”ସେତେବେଳେ କେଉଁଠି ଥିଲ”ରେ ଦେଉଛି, ତାହାଲେ ସେଇଟା ମୋ ବାହାଦୁରୀ ନୁହେଁ, ବରଂ ବିଶୁଦ୍ଧ ଗାଲୁଆମୀ।

ବାକି ବିଚାର ଆପଣଙ୍କର।