Latest Odisha News

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।

ସୂଚନା ଅନୁସାରେ, ଗତ ୭ ତାରିଖରେ କଟକ ନେତାଜୀ ବ୍ରିଜ୍ ପାଖରେ ବାଘ ଛାଲ କିଣାବିକା ଡିଲ୍ ଚାଲିଥିବା ବେଳେ ମାଡିବସିଥିଲା ଏସଟିଏଫ୍ । ଏହି ଘଟଣାର ତଦନ୍ତ ପାଇଁ ତିଆରି ହୋଇଥିଲା ଜଏଣ୍ଟ ଟାକ୍ସ ଫୋର୍ସ । ପ୍ରଥମେ ଗ୍ରାହକ ହୋଇ ଦୁଇ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ଏହି ତଦନ୍ତକାରୀ ଅଧିକାରୀ । ପ୍ରଥମେ ଦୁଇ ଅଭିଯୁକ୍ତ ଧରା ପଡିବା ପରେ ବ୍ୟାଗ ଭିତରକୁ ବାଘ ଛାଲ ମିଥିଲା । ଏବେ ଜଣେ ପରେ ଜଣେ ହୋଇ ମୋଟ ୭ଜଣ ଅଭିଯୁକ୍ତି ଧରାପଡିଛନ୍ତି । ସେଥିମଧ୍ୟରୁ ୨ଜଣ ଶିକାରୀ ଥିବା ବେଳେ ବାକି ୫ଜଣ ବେପାରି ଅଛନ୍ତି । ବାକି ଅନ୍ୟ ୬ଜଣଙ୍କ ପାଖରେ ପହଞ୍ଚିବାକୁ ଏବେ ଯୋଜନା ପ୍ରସ୍ତୁତ କରାଯାଉଛି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୧୯ରେ ବ୍ରହ୍ମପୁର ବରିହାକଟା ଜଙ୍ଗଲରେ ଫାସ ବସାଇ ବାଘକୁ ଶିକାର କରାଯାଇଥିଲା । ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳର ଅଭିଯୁକ୍ତ ୩ ବର୍ଷ ଧରି ଏହି ବାଘଛାଲକୁ ଶୁଖାଇ ରଖିଥିଲେ । ନଚେତ୍ ଏହା ଖରାପ ହୋଇଯିବାର ସମ୍ଭାବନା ଥିଲା । କେବଳ ଏତିକି ନୁହେଁ ବାଘ ଛାଲ ସହ ନଖ ମଧ୍ୟ ବିକ୍ରି କରାଯାଇଥିଲା । ସେହି ନଖକୁ କିଣିଥିବା ଜଣେ ଅଭିଯୁକ୍ତ ନିଜ ଘର ଲୋକଙ୍କୁ ନଖରେ ତିଆରି ଗହଣା ଉପହାରରେ ଦେଇଥିଲା । ଯାହାକୁ ଜବତ କରିଛି ବନ ବିଭାଗ । ଏହାକୁ ବିକ୍ରି କରିବା ପାଇଁ ୪ଟି ଜିଲ୍ଲାରେ ମାଫିଆଙ୍କ ସହ ଅଭିଯୁକ୍ତ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ଅଜିତ ଶତପଥୀ ।

 

 

 

Leave A Reply

Your email address will not be published.