Latest Odisha News

BREAKING NEWS

ବହୁଚର୍ଚ୍ଚିତ ରେମୁଣା ଜମି ବ୍ୟବସାୟୀ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ

ବାଲେଶ୍ୱର: ବହୁ ତନାଘନା ପରେ ଶେଷରେ ବାଲେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜମି ବ୍ୟବସାୟରେ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେମୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ମୁଖ୍ୟ କାର୍ପଟଦାର ସମେତ ଅନ୍ୟ ୭ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛନ୍ତି ।

ଏକ୍ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ପାତ୍ର ହତ୍ୟାକାଣ୍ଡ ପଛର ପ୍ରଚ୍ଛଦପଟ୍ଟ କାହାଣୀ ବଖାଣିଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ଜମି ବ୍ୟବସାୟୀ ରମେଶ ବେହେରାଙ୍କୁ ହତ୍ୟା କରିବା ପାଇଁ ଗଣେଶ୍ୱରପୁର ଅଂଚଳର ଚିତ୍ତରଂଜନ ପାଣିଗ୍ରାହୀ ଓରଫ ଟୁନା ସୁପାରୀ ଦେଇଥିଲା । ଶ୍ରୀକୃଷ୍ଣପୁର ଅଂଚଳରେ ଥିବା ମନୋରଂଜନ ସେନଙ୍କ ୨.୨୭ ଏକର ଜମିକୁ କିଣିବା ନେଇ ଉଭୟ ଟୁନା ଓ ରମେଶଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

ଲାଭବାନ ହେବା ନିଶାରେ ରମେଶଙ୍କୁ ହତ୍ୟା କରିବା ପାଇଁ ଟୁନା ସୁଚିନ୍ତିତ ଯୋଜନା ରଚିଥିଲା । ଏଥିପାଇଁ ଟୁନା ଅଚ୍ୟୁତପୁରର ରଂଜନ ସାହୁ ଓ ଶ୍ରୀକୃଷ୍ଣପୁର କଠୁଆସାହିର ଶମ୍ଭୁନାଥ ବିଶୋଇଙ୍କ ସହ ୫୦ ଲକ୍ଷ ଟଙ୍କାର ସୁପାରୀ ଡିଲ୍ କରିଥିଲା । ପରବର୍ତ୍ତୀ ସମୟରେ ୧ ଲକ୍ଷ ୫ ହଜାର ଟଙ୍କା ଅଗ୍ରୀମ ଦେବା ସହ ହତ୍ୟାକାଣ୍ଡ ପରେ ଦୁଇ ସୁପାରୀ କିଲରଙ୍କୁ ୭୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି ।

ହତ୍ୟା ଯୋଜନାକୁ ଅଂଜାମ ଦେବା ପାଇଁ ରଂଜନ ଓ ଶମ୍ଭୁନାଥ ଅନ୍ୟ ତିନିଜଣଙ୍କୁ ସାଥୀ କରି ରେକି ଚଳାଇଥିଲା । ଅଗଷ୍ଟ ୨୮ ତାରିଖ ସଂଧ୍ୟାରେ ରମେଶକୁ ଅଭିଯୁକ୍ତମାନେ କୌଣସି ଆଳ ଦେଖାଇ ଅଚ୍ୟୁତପୁର ସ୍ଥିତ ସତ୍ୟମ ପ୍ରୋଜେକ୍ଟ ସାଇଟକୁ ଡାକିଥିଲେ । ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ରଂଜନ ଓ ଶମ୍ଭୁନାଥ ଏକ ତେଲେଙ୍ଗା କଟୁରୀ ଓ ଗୁପ୍ତି ଦ୍ୱାରା ରମେଶଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲେ ।

ହତ୍ୟାକାଣ୍ଡ ପରେ ସମସ୍ତ ଅଭିଯୁକ୍ତମାନେ ଗୋପୀନାଥ ପାକଳ, ଭଂଜୟ କୁମାର ବେହେରା ଓ ମାନସ କୁମାର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହାୟତାରେ ଲୁଚି ରହିଥିଲେ । ହେଲେ ପୋଲିସ ରାଡାରରୁ କେହି ବର୍ତ୍ତିପାରିନଥିଲେ । ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ହତିଆର, ଦୁଇଟି ବାଇକ୍‌, ଗୋଟିଏ ଅଟୋରିକ୍ସା, ଦୁଇଟି ଚାରିଚକିଆ ଯାନ, ନଗଦ ୪୨ ହଜାର ଟଙ୍କା ଓ ୭ଟି ମୋବାଇଲ ଜବତ କରାଯାଇଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.