Latest Odisha News

ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ବିଭାଗୀୟ କ୍ଷେତ୍ର କର୍ମଚାରୀ ମାନେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ସହ ଫସଲ ଦେଖିବେ ଓ ତତ୍କାଳ ପରିସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏଭଳି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ନିର୍ଦ୍ଦେଶ ମୁତାବକ, ଅନାବୃଷ୍ଟି ଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏହାସହ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ଚିତ୍ର ଅଧିକାରୀଙ୍କୁ ପ୍ରଦାନ କରିବେ । ପ୍ରସ୍ତୁତ ହୋଇଥିବା ଆପାତ୍ତକାଳୀନ ଯୋଜନାକୁ କିପରି ଭାବରେ ଅଧିକ କାର୍ଯ୍ୟୋପଯୋଗୀ କରାଯାଇପାରିବ, ଏଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଷୟିକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି କମିଟି ଆସନ୍ତା ୬ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କୁ ମତାମତ ପ୍ରଦାନ କରିବାକୁ କୁହାଯାଇଛି ।

ସେହିପରି ରାଜ୍ୟସ୍ତରୀୟ ଅଧିକାରୀ ଅନାବୃଷ୍ଟି ଜନିତ ସମସ୍ତ ସୂଚନା ସଙ୍ଗେ ସଙ୍ଗେ ପ୍ରଦାନ କରିବାକୁ ହେବ । ଏହାଛଡା ଆସନ୍ତା ରବିବାର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଏବଂ ୫ ଜଣ ବିଭାଗୀୟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ପଶୁ ସଂପଦ ବିକାଶ ଓ ମତ୍ସ୍ୟ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କର ଏକ ବୈଠକ କରାଯିବ ।

Leave A Reply

Your email address will not be published.