Latest Odisha News

BREAKING NEWS

ନିର୍ବାଚନ ବେଳେ ତେଜିଲା ଚିଟଫଣ୍ଡ ପ୍ରସଙ୍ଗ: ମୋଦୀଙ୍କ ପରେ ଶାହ ଦେଲେ ବଡ଼ ଇସାରା

ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁରରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୮ ମାସ ଭିତରେ ଚିଟଫଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କୁ ଜେଲରେ ପୁରାଇବ। ଶାହଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ବିତର୍କ।

ନିକଟ ଅତୀତରେ ଯେଉଁ କିଛି ପ୍ରସଙ୍ଗରେ ଶାସକ ଦଳ ସବୁଠୁ ବଦନାମ ହୋଇଛି ତାହା ହେଲା ଚିଟଫଣ୍ଡ। ସାରା ଦେଶରେ ଏହି ଠକେଇ ହୋଇଥିଲେ ମଧ୍ୟ ଓଡ଼ିଶାରେ ଅଧିକ ଜମାକାରୀ ଲୋଭର ବଶବର୍ତ୍ତୀ ହୋଇ ଠକେଇର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ଅନେକ ଶାସକ ଦଳ ବିଜେଡିର ନେତା ଜଡିତ ଥିବା କୁହାଯାଏ।

୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ମଧ୍ୟ କହିଥିଲା ଜମାକାରୀଙ୍କୁ ନ୍ଯାୟ ମିଳିବ। ତେବେ ଦୁଇ ଦଳର ଦିଲ୍ଲୀରେ ବଢି ଉଠିଥିବା ସମ୍ପର୍କ ଏହି ପ୍ରସଙ୍ଗକୁ ଶୀଥିଳ କରି ଦେଇଛି। ଯାହାକୁ ନେଇ କେନ୍ଦ୍ରର ମୋଦୀ ସରକାର ମଧ୍ୟ ବିରୋଧୀ କଂଗ୍ରେସ ଦ୍ବାରା ସମାଲୋଚନାର ଶିକାର ହୋଇଆସୁଛି।

ଏହାରି ଭିତରେ ଆଗକୁ ରାଜ୍ଯରେ ଦୁଇଟି ପର୍ଯ୍ଯାୟ ପାଇଁ ମତଦାନ ବାକି ରହିଛି। ଏହାରି ଭିତରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚିଟଫଣ୍ଡ ପ୍ରସଙ୍ଗ ଉଠାଇବା ଆରମ୍ଭ କରିଛନ୍ତି। ଓଟିଭିକୁ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ସକ୍ରିୟ ହୋଇଛି। କେନ୍ଦ୍ର ସରକାର କୌଣସି ନିୟନ୍ତ୍ରଣ କରୁନାହାନ୍ତି। ଏହାପରେ କଟକ ସଭାରେ ମୋଦୀ କହିଥିଲେ, ଓଡ଼ିଶା ଏବେ ଦୁର୍ନୀତିର ପାହାଡରେ ଛି଼ଡା ହୋଇଛି। ଚିଟ୍ ଫଣ୍ଡ ଭଳି ଠକେଇ ହୋଇଛି ଏଠାରେ। ଯେଉଁଥିରେ ଗରିବଲୋକଙ୍କୁ ଶୋଷିତ ହୋଇଛନ୍ତି। ବିଜେଡି ୨୫ ବର୍ଷ ସରକାରରେ ଜମି, ବାଲି, କୋଇଲା ଓ ଖଣି ମାଫିଆଙ୍କୁ ତିଆରି କରିଛି।

ଉଲ୍ଲେଖଯୋଗ୍ୟ, ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ଦିଗରେ କୋର୍ଟରେ ମାମଲା ଚାଲିଛି। କିନ୍ତୁ ଦୋଷୀଙ୍କୁ ଚିହ୍ନଟ କରି ତାଙ୍କୁ ଜେଲରେ ପୁରାଇବା ଭଳି ଯେଉଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଥିଲା ତାହା ଏଯାବତ ହୋଇନି। ଏପରି ନହେବା ପଛର କାରଣ ଦିଲ୍ଲୀରେ ଦୁଇ ଦଳ ଭିତରେ ଥିବା ମଧୁର ସମ୍ପର୍କ ବୋଲି କୁହାଯାଏ। କାରଣ ଅନେକ ସମୟରେ ମୋଦୀ ସରକାରର ବିଲକୁ ବିଜେଡି ସମର୍ଥନ ଦିଏ।

କିନ୍ତୁ ଶାହ ସମ୍ବଲପୁର ସଭାରେ କହିଛନ୍ତି, ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଏନଡିଏକୁ ୩୧୦ ଟି ଆସନ ମିଳିସାରିଛି । ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ଆମେ ୪୦୦ରୁ ଅଧିକ ଆସନ ପାଇବୁ ବୋଲି ଶାହା ଦାବି କରିଛନ୍ତି। ଅର୍ଥାତ ସଂସଦରେ ବିଜେଡିର ସହଯୋଗ ଲୋଡିବ ନାହିଁ ବିଜେପି।

ଏହାରି ଭିତରେ ଏବେ ଦୁଇ ଦଳ କିନ୍ତୁ ନିର୍ବାଚନ ବେଳେ ପରସ୍ପର ପ୍ରତି ଆରୋପ, ପ୍ରତ୍ୟାରୋପ କରୁଛନ୍ତି। ସାଧାରଣରେ କୁହାଯାଏ ମେଣ୍ଟ ଚର୍ଚ୍ଚା ଫାଇନାଲ ନହେବା ପରେ ଦୁଇ ଦଳ ଏବେ ନିଜ ନିଜ ଆଭିମୁଖ୍ୟକୁ ନେଇ ସକ୍ରିୟ। ତେଣୁ ଆଗାମୀ ଦିନରେ ଚିଟଫଣ୍ଡ ପ୍ରସଙ୍ଗ ଚର୍ଚ୍ଚାରେ ରହିପାରେ।

Leave A Reply

Your email address will not be published.