Latest Odisha News

BREAKING NEWS

ବଡ଼ଓଷାରେ ବି ଶୀତ ନାହିଁ, ୨ ଦିନ ହାଲୁକା କୁହୁଡ଼ି

ଭୁବନେଶ୍ୱର: କାର୍ତ୍ତିକ ସରିବାକୁ ବସିଲାଣି ହେଲେ ଶୀତର ଦେଖା ନାହିଁ । ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଆଶାତୀତ ଶୀତ ଅନୁଭୂତ ହେଉନାହିଁ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ସେଭଳି ତାପମାତ୍ରା ମଧ୍ୟ ଖସିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଶୀତ ନଥିବା ବେଳେ ପାଖ ଶୁଖିଲା ରହିବ । ଆସନ୍ତା ୨ ଦିନ ଭୋର୍ ସମୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ । ୮ ତାରିଖରେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଭୋର୍ ସମୟରେ କୁହୁଡ଼ି ଦେଖାଯିବ ।

ସେହିଭଳି ୯ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଭୋର୍ ସମୟରେ ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ସେଭଳି ବିଶେଷ ପରିବର୍ତ୍ତନ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଜି କଟକ ଓ ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଫୁଲବାଣୀରେ ଦୃଶ୍ୟମାନ ଦୂରତା ୧୨୦ ମିଟର ଥିବାବେଳେ କଟକରେ ୧୫୦ ମିଟର, କେନ୍ଦୁଝରରେ ୪୦୦ ମିଟର, କୋରାପୁଟରେ ୫୦୦ ମିଟର, ହୀରାକୁଦରେ ୬୦୦ ମିଟର ଏବଂ ପାରଳାଖେମୁଣ୍ଡିରେ ୮୦୦ ମିଟର ରହିଥିଲା ।

ସେହିଭଳି ରାଜ୍ୟରେ ସବୁଠୁ କମ୍ ରାତି ତାପମାତ୍ରା ୧୦.୮ ଡିଗ୍ରୀ କୋରାପୁଟର ସେମିଳିଗୁଡ଼ାରେ ରେକର୍ଡ କରାଯାଇଛି । କନ୍ଧମାଳର ଘୁ.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ଓ ଫୁଲବାଣୀରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.