Latest Odisha News

BREAKING NEWS

ଥରୁରଙ୍କ ‘ବ୍ରିଟେନ ଫର୍ମୁଲା’କୁ ଗ୍ରହଣ କରିବେ ଖଡଗେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏନ.କେ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ଖାରଜ ହେବା ପରେ ଏବେ ଦୁଇ ପ୍ରାର୍ଥୀ ଶଶୀ ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଅକ୍ଚୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ୨୨ ବର୍ଷ ପରେ କଂଗ୍ରେସର ମୁଖିଆ ଅଣ ଗାନ୍ଧୀ ନେତା ହେବାକୁ ଯାଉଛନ୍ତି।

ଥରୁର ନିଜ ସପକ୍ଷରେ ୬୦ ଜଣ ନେତା ଥିବା ଦାବି କରିଥିବା ବେଳେ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି । ସେହିପରି ଖଡଗେଙ୍କ ସମର୍ଥନରେ ଅନେକ ନେତା ଥିବା କୁହାଯାଉଛି। ଆଜି କଂଗ୍ରେସର ତିନି ନେତା ଖଡଗେଙ୍କ ସମର୍ଥନରେ ପ୍ରଚାର କରିବେ ବୋଲି କହି ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ଏବଂ ଆରଏସଏସ ବିରୋଧରେ ନିର୍ବାଚନ ଲଢିବାକୁ ଯାଉଛନ୍ତି କୌଣସି ବ୍ୟକ୍ତି ବିରୋଧରେ ନୁହେଁ ବୋଲି ଖଡଗେ କହିଛନ୍ତି। ଏଥିସହ ତାଙ୍କ ସମର୍ଥନରେ ଗାନ୍ଧୀ ପରିବାରର ସମର୍ଥନ ଥିବା ଚର୍ଚ୍ଚାକୁ ଖାରଜ କରିଛନ୍ତି ଖଡଗେ।

କିଛି ଦିନ ପୂର୍ବରୁ, ଥରୁର ଚ୍ୟାଲେଞ୍ଜ କରିଥିଲେ ଯେ ସେ ଏକ ଖୋଲା ବିତର୍କ ପାଇଁ ଚାହୁଁଛନ୍ତି। ଯେପରି ବ୍ରିଟେନରେ ନିକଟରେ ପ୍ରଧାନମନ୍ତ୍ରୀ ବଦଳିବା ପରେ କନଜରେଭେଟିଭ ପାର୍ଟିରେ ଟ୍ରଷ୍ଟ ଏବଂ ଋଷି ସୁନକଙ୍କ ମଧ୍ୟରେ ହୋଇଥିଲା। ଏହାକୁ କିନ୍ତୁ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ ଗ୍ରହଣ କରି ନାହାନ୍ତି। ସେ କହିଛନ୍ତି ମୁଁ କୌଣସି ବ୍ୟକ୍ତି ବିରୋଧରେ ଲଢୁ ନାହିଁ। ଆମେ ମିଳିତ ଭାବେ ବିଜେପି ବିରୋଧରେ ଲଢିବାକୁ ହେବ। ଥରୁର ଯଦିଓ ଏପରି ବୟାନକୁ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ପରେ କହିଛନ୍ତି, ବିଜେପି ସହ ଲଢିବାକୁ ହେଲେ ଏକ ନୂଆ ଶକ୍ତିଶାଳୀ କଂଗ୍ରେସ ଆବଶ୍ୟକ। ଯାହା ସେ ଅଧ୍ୟକ୍ଷ ହେଲେ କରିପାରିବେ ବୋଲି ପରୋକ୍ଷରେ କହିଛନ୍ତି।

ଖଡଗେଙ୍କ ସହ ବିତର୍କ ପାଇଁ ଆହ୍ୱାନ କରିବା ପରେ ଶଶୀ ଥରୁର ସୋମବାର କହିଛନ୍ତି ଯେ ଉଭୟ ପରସ୍ପର ସହ ନୁହେଁ ବରଂ ବିଜେପି ସହିତ ଲଢିବାକୁ ହେବ। ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଖଡଗେଙ୍କ ସହିତ ସହମତ ଯେ କଂଗ୍ରେସରେ ଆମ ସମସ୍ତଙ୍କୁ ପରସ୍ପର ଲଢିବା ପରିବର୍ତ୍ତେ ବିଜେପି ସହିତ ମୁକାବିଲା କରିବାକୁ ହେବ। ଆମ ମଧ୍ୟରେ କୌଣସି ଆଦର୍ଶଗତ ପାର୍ଥକ୍ୟ ନାହିଁ। ଯେଉଁମାନେ ଅକ୍ଟୋବର ୧୭ ରେ ଭୋଟ୍ ଦେବେ ସେମାନେ କେବଳ ବିଚାର କରିବେ ବିଜେପି ବିରୋଧରେ କିଏ ଅଧିକ ପ୍ରଭାବଶାଳୀ ହୋଇ ଲଢି ପାରିବ। ଆଉ ଏହି ସମୟରେ ସେ ବ୍ରିଟେନର କନଜରଭେଟିଭ ପାର୍ଟିର ଉଦାହରଣ ଦେଇଛନ୍ତି।

ଏହାପରେ ଖଡଗେ କହିଛନ୍ତି ଯେ ବିଜେପି ଏବଂ ଆରଏସଏସ ବିରୋଧରେ ଏକାଠି ହୋଇ ଲଢିବାକୁ ହେବ। ଖଡଗେ କହିଛନ୍ତି ଯେ ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗ ତଥା ବିଜେପି ଏବଂ ଆରଏସଏସର ଆଦର୍ଶ ବିରୋଧରେ ସେ ଏବଂ ଥରୁର ମିଳିତ ଭାବେ କାମ କରିବାକୁ ହେବ ।

ଅନ୍ୟପଟେ ବୟାନବାଜି ତେଜୁଥିବା ଦେଖି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସୋମବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଦଳର ସଭାପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ପାରିବେ ନାହିଁ। ଯଦି ନାମାଙ୍କନ ପତ୍ର ଦୁଇ ଜଣଙ୍କ ଭିତରୁ କେହି ଜଣେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନକରନ୍ତି ତାହେଲେ ୯ ହଜାରରୁ ଅଧିକ ପ୍ରତିନିଧି ଭୋଟ୍ ଦେବେ। ଅକ୍ଟୋବର ୧୯ ରେ ଭୋଟ୍ ଗଣତି ହେବବ।

Leave A Reply

Your email address will not be published.