Latest Odisha News

BREAKING NEWS

ଆରବ ସାଗରରେ ଜାହାଜ ହେଲା ହାଇଜାକ, ଭିତରେ ଥିଲେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ଯ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ଜାହାଜ ଆରବ ସାଗରରେ ଅପହୃତ ଲାଇବେରିଆ ପତାକା ଥିବା ଜାହାଜ ଆଡକୁ ଗତି କରୁଛି । ଗୁରୁବାର ସନ୍ଧ୍ୟାରେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ଯ ଥିବା ଏହି ମାଲବାହୀ ଜାହାଜ ‘ଏମଭି ଲିଲା ନୋର୍ଫୋକ୍’ ସୋମାଲିଆ ଉପକୂଳ ନିକଟରେ ଅପହରଣର ଶିକାର ହୋଇଛି। ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ନୌସେନା ଏକ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଡିଷ୍ଟ୍ରୋୟର ଆଇଏନଏସ ଚେନ୍ନାଇକୁ ଘଟଣାସ୍ଥଳରେ ମୁତୟନ କରିଛି।

ଗୁରୁବାର ସନ୍ଧ୍ୟାରେ ନୌସେନାକୁ ୟୁକେଏମଟିଓ ପୋର୍ଟାଲ ଜରିଆରେ ସତର୍କ ସୂଚନା ମିଳିଥିଲା, ଯେଉଁଥିରେ ପ୍ରାୟ ୫-୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜାହାଜରେ ଚଢ଼ିଥିବା ଜଣାପଡିଥିଲା।

ଶୁକ୍ରବାର ସକାଳେ ଭାରତୀୟ ନୌସେନାର ବିମାନ ଅପହୃତ ଜାହାଜ ସହ ଯୋଗାଯୋଗ କରିବାରେ ସଫଳ ହୋଇଛି। ଜାହାଜର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବିମାନ ।

ଭାରତୀୟ ନୌସେନା କହିଛି ଯେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ଏହି ଅଞ୍ଚଳରେ କାର୍ଯ୍ୟକରୁଥିବା ବିଭିନ୍ନ ଏଜେନ୍ସି ଏବଂ ବହୁରାଷ୍ଟ୍ରୀୟ ବାହିନୀ (ଏମଏନଏଫ)କୁ ନେଇ ସମନ୍ୱୟ ପ୍ରୟାସ ଜାରି ରହିଛି । ବାରମ୍ବାର ଅପହରଣ ଘଟଣା ସଂପୃକ୍ତ ଅଞ୍ଚଳରେ ହେଉଥିବାରୁ ଏବେ ଚିନ୍ତାର କାରଣ ପାଲଟିଛି।

ଅନ୍ୟପକ୍ଷରେ ଗୁରୁବାର ମଧ୍ୟ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଲୋହିତ ସାଗରରେ ହୁତି ଆତଙ୍କବାଦୀମାନେ ବିଭିନ୍ନ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବା ବେଳେ ଭାରତ ଏହାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ନାଭିଗେସନର ସ୍ୱାଧୀନତା, ବାଣିଜ୍ୟିକ ଜାହାଜଚଳାଚଳର ମୁକ୍ତ ପରିବହନକୁ ଅଧିକ ଗୁରୁତ୍ୱ ଦେଉଛୁ। ଆପଣ ମାନେ ଜାଣନ୍ତି ଯେ ଏହି ଅଞ୍ଚଳରେ ଭାରତୀୟ ନୌସେନାର ଜାହାଜ ପାଟ୍ରୋଲିଂ କରୁଛି । ସେମାନେ ସେଠାରେ ଭାରତୀୟ ଜାହାଜ ଉପରେ ମଧ୍ୟ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଉପୁଜିଥିବା ପରିସ୍ଥିତିକୁ ଆମେ ଅତି ନିକଟରୁ ଦେଖୁଛୁ।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଗତ କିଛି ସପ୍ତାହ ମଧ୍ୟରେ ଲୋହିତ ସାଗରରେ ଇରାନ ସମର୍ଥିତ ହୁଥି ଆତଙ୍କବାଦୀମାନେ ଅନେକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ନେଇ ଚିନ୍ତା ପ୍ରକାଶ ପାଇଛି।

Leave A Reply

Your email address will not be published.