Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆପଣାର କରିବାର ମୁଖ୍ୟ ପଥ ହେଉଛି ଶରଣlଗତି। ଜଣେ ଭକ୍ତ କେବଳ ମୁହଁରେ କହିଦେଲେ ହେବନାହିଁ। ସମ୍ପୂର୍ଣ୍ଣ ଶରଣlଗତି ପାଇଁ ଛଅ ଗୋଟି ଆଚରଣ ପାଳନ କରିବାକୁ ପଡ଼ିବ। ପ୍ରଥମେ ନିଜକୁ ଭଗବାନଙ୍କ ଅନୁକୂଳ ରଖିବାକୁ ପଡିବ ଯଥା:

୧ . ଆନୁକୁଲ୍ୟସ୍ୟ ସଂକଳ୍ପ – ଏହାକୁ ଆମେ ସମ୍ପୂର୍ଣ୍ଣ ଈଶ୍ୱର ବିଶ୍ୱାସୀ ହେବାର ଧାରା ଭାବରେ ଗ୍ରହଣ କରିବା, ଯେଉଁ ମଣିଷ ଈଶ୍ୱରଙ୍କ ସ୍ଥିତି ବିଷୟରେ ନିଜର ପ୍ରତିକୂଳ ଚିନ୍ତାଧାରା ରଖେ ସେ ସର୍ବୋତ୍ତ ଭାବେ ଶରଣ ନେବ କିପରି!

୨ . ପ୍ରତିକୁଲ୍ୟସ୍ୟ ବର୍ଜନମ୍ – ତେବେଳେ ଆମ ମନରୁ ଈଶ୍ୱରଙ୍କ ପ୍ରତି ଥିବା ପ୍ରତିକୂଳ ଚିନ୍ତା ଅପସରି ଯିବ, ମନ ଈଶ୍ୱର ବିଶ୍ୱାସରେ ପୂର୍ଣ୍ଣ ହେବ, ସେତେବେଳେ ଆଉ ଏକ ଦୃଢ଼ ବିଶ୍ଵlସ ମନରେ ଆସିବା ବିଧେୟ ।

୩. ରକ୍ଷୀଷ୍ୟତୀତି ବିଶ୍ୱାସ – ଏଠାରେ ଭଗବାନ (ଶ୍ରୀଜଗନ୍ନାଥ )ମୋତେ ସର୍ବୋତ୍ତ ଭାବେ ରକ୍ଷା କରିବେ ଏହି ଦୃଢ଼ ବିଶ୍ୱାସର ଆବଶ୍ୟକତା ଅଛି। ଥରେ ଏଭଳି ଦୃଢ଼ ବିଶ୍ୱାସ ଆସିଗଲେ ନିଜ ରକ୍ଷକଙ୍କ ପ୍ରତି ଅନୁରକ୍ତି ଆସିବା ସହ ତାଙ୍କ (ଶ୍ରୀଜଗନ୍ନାଥ )ପ୍ରତି ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ସୃଷ୍ଟି ହେବ।

୪ . ଗୋସ୍ତୁତ୍ବବରଣଂ ଏହାର ମୁଖ୍ୟ କର୍ମ ଗୁଡିକ ହେଲା ପ୍ରଭୁଙ୍କର ନିୟମିତ ପୂଜା ଅର୍ଚ୍ଚନା । ପ୍ରଭୁଙ୍କର ଗୁଣ କୀର୍ତ୍ତନ , ଗ୍ରନ୍ଥ ଅଧ୍ୟୟନ, ଶ୍ରବଣ, ମନନ ଇତ୍ୟାଦି। କେହି କେହି ଅଷ୍ଟାଙ୍ଗ ଯୋଗର ଅଭ୍ୟାସ ମଧ୍ୟ କରିପାରିବେ। ଏସବୁ ନିଷ୍ଠାର ସହ କଲେ ଆପଣଙ୍କ (ଭକ୍ତଙ୍କ )ମନରେ ଆତ୍ମସମର୍ପଣର ଭାବ ଉଦ୍ରେକ ହେବ। ଏହା ହିଁ ପଞ୍ଚମ ସୋପାନ

୫ . ଆତ୍ମନିକ୍ଷେପ, ଏହି ଆତ୍ମ ସମର୍ପଣ କାଳରେ ଭକ୍ତଟିଏ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିସ୍ଵ, ଦୀନହୀନ ବୋଲି ପ୍ରଭୁଙ୍କ ନିକଟରେ ଉପସ୍ଥାପନା କରିଥାଏ। ତାହାହିଁ ସମ୍ପୂର୍ଣ ଶରଣlଗତି ଏହାକୁ କୁହାଯାଏ ।

୬. କାର୍ପଣ୍ୟ, ଏହି କାର୍ପଣ୍ୟକୁ ସଠିକ ଭାବରେ କହିବା ପାଇଁ ମୋ ପାଖରେ ଭାଷାର ଅଭାବ ହେଉଛି, ତେଣୁ ଏଠାରେ ଆଦିକବି ସାରଳା ଦାସଙ୍କ ପଦଟି ଲେଖୁଛି ।
“ମୁଁ ତୁମ ପଦ କିଙ୍କର ହେ ନୀଳାଦ୍ରିନାଥ, ତୁମ୍ଭ ବିନୁ ଆଶ୍ରା କେହି ନାହିଁ ମୁଁ ଅରକ୍ଷିତ ।”

ନିଜର ସମସ୍ତ ପ୍ରତିଷ୍ଠା, ପାଣ୍ଡିତ୍ୟ ଇତ୍ୟାଦିକୁ ପ୍ରଭୁଙ୍କର ପାଦ ପଦ୍ମରେ ସମର୍ପିତ କରି ନିଜକୁ ପ୍ରଭୁଙ୍କର ଦାସାନୁଦାସ ଭାବରେ ଉପସ୍ଥାପନା କରିବା ହିଁ ସମ୍ପୂର୍ଣ ଶରଣ ନେବା। ଏଠାରେ ପ୍ରଭୁଙ୍କ ପ୍ରତି ଦୃଢ଼ ବିଶ୍ୱାସ ମଧ୍ୟ ଅତ୍ୟନ୍ତ ପ୍ରୟୋଜନ ନଚେତ ଭକ୍ତ କେବେ କହିପାରିବିନି “ତୁମ୍ଭ ବିନୁ ଆଶ୍ରା କେହି ନାହିଁ “। ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦରେ ପ୍ରଭୁ ସ୍ୱୟଂ କହିଛନ୍ତି :

“ଜଳନ୍ତା ଅନଳେ ଯେସନ, ସମିଧ ହୁଅଇ ଦହନ।
ତାର ଶରୀର ପାପ ଯେତେ, ଦହନ ହୋନ୍ତି ସେହିମତେ।
ଭକତ ଜନେ ବଶ ମୁହିଁ, ତାର ରକ୍ଷଣେ ମୋର ଦେହୀ,
ମୁଁ ଯେ ସଂସାର ଅଛି ଛନ୍ଦି, ଭକତି ଭାବେ ମୋତେ ବାନ୍ଧି।”

ତେଣୁ ଆସନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ଶରଣକୁ ଯାଇ, ତାଙ୍କ ଭକ୍ତି ଡୋରିରେ ମନକୁ ବାନ୍ଧି ପ୍ରଭୁଙ୍କର ଆରାଧନା କରିବା ।
“କରୁଣାମ୍ଭୋନିଧେ ଦେବ ଭକ୍ତାନୁଗ୍ରହ କାରକ, ତ୍ରାହିନଃ ଶରଣଂ ପ୍ରାପ୍ତନ ମୋହିତା ତଵ ମାୟୟା “(ନୀଳାଦ୍ରି ମହୋଦୟ )। ଅର୍ଥାତ ପ୍ରଭୁ ଶ୍ରୀଜଗନ୍ନାଥ ସର୍ବଦା ଭକ୍ତାନୁଗ୍ରହକାରକ କରୁଣାମୟ, ମାୟା ମୋହାଛନ୍ନ ଭକ୍ତଙ୍କୁ ସର୍ବୋତ୍ତ ଭାବେ ରକ୍ଷା କରିବା ତାଙ୍କ କର୍ମ। ଆଉ ଆମ କର୍ମ ଶରଣାଗତି ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.