ପଟ୍ଟାଙ୍ଗି:ଶୁକ୍ରବାର ସନ୍ଧ୍ୟାରେ ପ୍ରସିଦ୍ଧ ଦେଓମାଳି ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ସୁନାବେଡ଼ା ୟୁନିଭର୍ସିଟିର ୫ ଜଣ ଛାତ୍ରଛାତ୍ରୀଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ କୋଟିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ୨ ଜଣ ଛାତ୍ର ଓ ୩ ଜଣ ଛାତ୍ରୀ ଏକ କାର୍ ଯୋଗେ ଦେଓମାଳି ବୁଲିବାକୁ ଯାଇଥିଲେ। ପାର୍କିଂ ସ୍ଥାନରେ କାର୍ ରଖି ମୁଖ୍ୟ ଟାୱାର ଉପରୁ ପାଦଚଲା ରାସ୍ତାରେ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୬:୩୦ ମିନିଟ୍ରେ କିଛି ମୁଖାଧାରୀ ଯୁବକ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ୨ଟି ମୋବାଇଲ୍ ଫୋନ୍ ଓ ମନିପର୍ସରୁ ପ୍ରାୟ ୭ ହଜାର ଟଙ୍କା ଲୁଟି ନେଇଥିଲେ।
ଖବର ପାଇ ସୁନାବେଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ।
ଶନିବାର ଆହତ ଛାତ୍ରଛାତ୍ରୀ କୋଟିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୦୭/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Comments are closed.