ରମାକାନ୍ତ ସାମନ୍ତରାୟଙ୍କ “ଶୂନ”ରେ କେତେବେଳେ କିଛି ବି ଘଟିପାରେ

0
1

ପ୍ରୀତିପ୍ରଜ୍ଞା ପ୍ରଧାନ


ପୁସ୍ତକ: ଶୂନ(୬୧ଟି ରୂପକଥା)

ଲେଖକ: ରମାକାନ୍ତ ସାମନ୍ତରାୟ

ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକସ

ପ୍ରକାଶନ ସମୟ: ସେପ୍ଟେମ୍ବର ୨୦୨୦

ପ୍ରଚ୍ଛଦ ଚିତ୍ର: ରମାକାନ୍ତ ସାମନ୍ତରାୟ

ପୃଷ୍ଠା ସଂଖ୍ୟା: ୧୩୮


 

ପ୍ରଥମ ଦେଖାରେ ରମାକାନ୍ତଙ୍କ ‘ଶୂନ’ ବହିର ରୂପକଥାମାନେ ଆବଷ୍ଟ୍ରାକ୍ଟ ପେଣ୍ଟିଂ ଭଳି ପାଠକକୁ ହୁଏତ ଭ୍ରମରେ ପକାଇ ପାରନ୍ତି । ଲାଗିପାରେ ହୁଏତ, ଏମିତି ଅବୋଧ୍ୟ, ମନଗଢ଼ା ଆଉ ବିଚିତ୍ର କଥାସବୁ କେମିତି ଢୁକିଲା ଲେଖକଙ୍କ ମୁଣ୍ଡକୁ! ଲେଖକ ପୁଣି ଥରେ ପରୀ କାହାଣୀମାନଙ୍କୁ ନୂଆ କରି ଆଉ ନୂଆ ଢଙ୍ଗରେ ଲେଖିବାକୁ ଭାବି ନାହାନ୍ତି ତ? ତେବେ ଆଉ ଟିକେ ଭିତରକୁ ଗଲେ ଲାଗିବ, ନାଁ ଏସବୁ ପରୀକାହାଣୀ ବି ତ ନୁହନ୍ତି । ଯେତେ କପୋଳକଳ୍ପିତ ମନେ ହେଲେ ବି ପିଲାଙ୍କ ପରୀକାହାଣୀ ଭିତରେ ସହଜ-ସରଳ ଭାବରେ ବୁଝି ହେଲା ଭଳି ଗପଟିଏ ଥାଏ । ଥାଏ ବି ଗୋଟାଏ ନିର୍ଦ୍ଧିଷ୍ଟ ଘଟଣାକ୍ରମ । ରଜାପୁଅ ମନପବନ ଘୋଡ଼ାରେ ଆସି ବନ୍ଦିନୀ ରାଜକୁମାରୀକୁ ଉଡେ଼ଇ ନେଇଯାଏ ବୁଢ଼ୀ ଅସୁରୁଣୀ କବଳରୁ। ହେଲେ ରମାକାନ୍ତଙ୍କ ରୂପକଥା ସବୁର କୌଣସି ନିର୍ଦ୍ଧିଷ୍ଟ ଢାଞ୍ଚା ନାହିଁ। ଗୋଟାଏ ଧରାବନ୍ଧା ଘଟଣାକ୍ରମ ବି ନାହିଁ କୌଣସି ଗୋଟିଏ ବି ରୂପକଥାରେ । ଏମିତି କି ଅଧିକାଂଶ ରୂପକଥାର ଶୀର୍ଷକ ଆଉ ତା’ର ବିଷୟବସ୍ତୁ ମଧ୍ୟରେ ସାମଞ୍ଜସ୍ୟ ଖୋଜି ହତାଶ ହୋଇପାରେ ପାଠକ । ଏଠି କେତେବେଳେ କିଛି ବି ଘଟିପାରେ । ଏଇ ଆମ ଆଖପାଖର କାହା ରୋଷେଇଘରୁ ଚିନି ନେଇ ପିମ୍ପୁଡ଼ିମାନେ ଟ୍ରେନ୍ ରେ ଯାଇପାରନ୍ତି ଆଫ୍ରିକା । କାଠଘୋଡ଼ାର ଦେହ ଖରାପ ହେଲେ ସେ ଜିଦ୍ କରିପାରେ ଗୋଲାପ ଫୁଲ ଖାଇବା ପାଇଁ । ପୁଣି କେତେବେଳେ କାହା ମୁଣ୍ଡରେ ହଠାତ୍ ସବୁଜିଆ ସବୁଜିଆ ପୁଞ୍ଜାଏ ନଡ଼ିଆ ବି ଫଳିପାରେ ।

ତେବେ ଏଇଠି ଟିକିଏ ଅଟକି ଯିବାକୁ ହୁଏ । ପାଠକକୁ ତା’ ଚିନ୍ତାରାଜ୍ୟର ଆଉ ଟିକିଏ ଗଭୀରକୁ ଯିବାକୁ ପଡେ଼ । ଟିକିଏ ଗହୀରେଇ ଦେଖିଲେ ହିଁ ବେଶ୍ ବୁଝା ପଡ଼ିଯାଏ ରମାକାନ୍ତଙ୍କ ଲେଖକୀୟ ଟ୍ରିକ୍ । ଜଣା ପଡେ଼, କେମିତି ଏସବୁ ଅବୁଝା, ଅବୋଧ୍ୟ ରୂପକଥାମାନଙ୍କ ମାଧ୍ୟମରେ ସେ ବଖାଣିଛନ୍ତି ଆମେମାନେ ନିଇତି ଭେଟୁଥିବା ଆମ ଆଖପାଖର ଅତି ପରିଚିତ ଘଟଣାବଳୀ ଓ ସାଧାରଣ ଚରିତ୍ରମାନଙ୍କ କଥା ।

ଆସିବା ବହିର ପ୍ରଥମ ରୂପକଥା ‘ଶୁଆ ଆଉ କୁଆ’ ପାଖକୁ । ଏଥିରେ ଆଶ୍ରୟଦାତା ଗଛଟି ଉଡ଼ିବାର ଇଚ୍ଛା ନେଇ ଯେତେବେଳେ ତା’ ଦେହରେ ବସା ବାନ୍ଧି ରହି ଆସୁଥିବା ଶୁଆ ଆଉ କୁଆଙ୍କୁ ପଟେ ପଟେ ଡେଣା ମାଗିଛି, ସେମାନେ ତାକୁ ସେତେବେଳେ ମିଶି କି ମାଟିରେ ଗାତ ଖୋଳି ପୋତି ପକାଇଛନ୍ତି । ବାସ୍ ତା’ ପରେ ଗଛ ବିଚରା ହରେଇ ଦେଇଛି ଚାଲିବାର ଶକ୍ତି । ଗୋଟାଏ ଜାଗାରେ ଠିଆ ହୋଇ ରହିବା ହିଁ ପାଲଟି ଯାଇଛି ତା’ ଭବିତବ୍ୟ । ଭାବନ୍ତୁ ତ, ଆମେ କ’ଣ ଅନେକ ସମୟରେ ଭେଟିନେ କୁଆ ଆଉ ଶୁଆ ଭଳି ଅକୃତଜ୍ଞ ମଣିଷମାନଙ୍କୁ, ଯେଉଁମାନେ କି ଅତି ସହଜରେ ତାଙ୍କ ଉପକାରରେ ଆସିଥିବା ମଣିଷମାନଙ୍କୁ ପାଦରେ ଦଳି ଦେଇ ଆଗକୁ ବଢ଼ିଯାଇ ପାରନ୍ତି?

ଏବେ ଦେଖନ୍ତୁ ରୂପକଥା ‘କାମଗଣିତ’କୁ । ଏଥିରେ କୁହାଯାଇଛି ଗୋଟାଏ ଅଳିଆ ବଗିଚା ସଫେଇ କାମରେ ଲାଗିଥିବା ରାମ, ସୀତା, ହରି ଓ ଗୋପାଳ, ଏଇ ଚାରି ଜଣଙ୍କ କଥା । ବାସ୍ତବରେ ଦେଖିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଏକା ଏକା ସେ କାମକୁ ସାରି ଦେବାରେ ସକ୍ଷମ । ସେ ପୁଣି ନିଜ ନିଜ କ୍ଷମତା ଅନୁଯାୟୀ ମାତ୍ର ଦିନକରୁ ଅତି ବେଶିରେ ଛ’ ଦିନ ମଧ୍ୟରେ । ତେବେ ଲେଖକଙ୍କ କହିବା ମୁତାବକ, ସେମାନେ ଗତ ଛ’ ମାସ ଧରି ତାଙ୍କ ଅଳିଆ ବଗିଚା ସଫା କାମରେ ଲାଗିଛନ୍ତି । ଅଥଚ ସେମାନଙ୍କ ମଧ୍ୟରୁ କେହି ବି ସେ କାମ କେବେ ସରିବ, ସେ ହିସାବ ଦେଇ ପାରୁ ନାହାନ୍ତି । ଏମିତିକି ସେମାନଙ୍କ କହିବା କଥା; ଖୋଦ୍ ପ୍ରଧାନମନ୍ତ୍ରୀ ବି କହି ପାରିବେନି, ‘ଏ କାମ କେବେ ସରିବ ।’ ବାସ୍ତବ କ୍ଷେତ୍ରରେ ବହୁ ସରକାରୀ କାମର ଏମିତି ଅବସ୍ଥା ନୁହେଁ କି? ଯାହାର ଆରମ୍ଭ ଓ ଶେଷ ନେଇ କାହା ପାଖରେ ହିସାବ ନଥାଏ! ‘ଆକାଶ ଟେଣ୍ଡର’ରେ ମଧ୍ୟ ଲେଖକ ଦର୍ଶାଇଛନ୍ତି ବିଭିନ୍ନ ସରକାରୀ କାମର ଖରାପ ହାଲତ୍ ଓ ଉପରିସ୍ଥ ଅଧିକାରୀମାନଙ୍କ ଚଞ୍ଚକତା କଥା ।

ଏଥର ଦେଖିବା ‘ବିଚାର’ କଥା । ଉଲ୍ଲେଖଯୋଗ୍ୟ, ରମାକାନ୍ତଙ୍କ ଏ ବହିରେ ‘ବିଚାର’ ନାମରେ ଦୁଇଟି ରୂପକଥା ଅଛି । ପୁଣି ଦୁଇଟି ଯାକରେ କୁହାଯାଇଛି ପ୍ରାୟ ଏକାଭଳି କଥା । ଏଗୁଡ଼ିକ ମାଧ୍ୟମରେ ହୁଏତ ରମାକାନ୍ତ ଜଣେଇବାକୁ ଚାହାଁନ୍ତି, ଆମ ନ୍ୟାୟିକ ବ୍ୟବସ୍ଥା ପ୍ରତି ଥିବା ତାଙ୍କ ଅନାସ୍ଥା କିମ୍ବା ଠିକ୍ ରେ କହିଲେ, ତାଙ୍କ ଅସନ୍ତୁଷ୍ଟ ଭାବ କଥା । ପ୍ରଥମଟିରେ ରାତି ଅଧରେ ବିଚରା ନିଧିବୁଢ଼ାର ଚୁଟି କାଟି ନେଇଛନ୍ତି ମୂଷାମାନେ । ହେଲେ ବିଡ଼ମ୍ବନା ହେଲା, ଶେଷରେ ରାଜାଙ୍କ ବିଚାରରେ ମୂଷାମାନଙ୍କ ଚକ୍ରାନ୍ତର ଶିକାର ନିଧିକୁ ହିଁ ମିଳୁଛି ଫାଶୀ ଦଣ୍ଡ । ସେମିତି ଦ୍ୱିତୀୟଟିରେ କୁହାଯାଇଛି ‘କ’ର ଦୁର୍ଦ୍ଦଶା କଥା । ବିଚରା ଚାରିମାସ ହେଲା ତା’ ଘରେ ବିଜୁଳି ନାହିଁ । ହେଲେ ତା’ର ଦୁର୍ଦ୍ଦଶା ଦୂର ହେବାର ବାଟ ତ କେହି ବାହାର କରୁନାହାନ୍ତି, ଓଲଟା ସରକାର ବାହାଦୂର ଘୋଷଣା କରୁଛନ୍ତି; ଏଣିକି ପ୍ରତିଦିନ ବାର ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ହେବ । ଉଭୟରେ ଦୁର୍ଦ୍ଦଶାର ଶିକାର ବ୍ୟକ୍ତି ହିଁ ଆହୁରି ଦୁର୍ଦ୍ଦଶାର ଶିକାର ହେଉନାହାନ୍ତି କି?

ଆସନ୍ତୁ ଏଥର ରୂପକଥା ‘ସିଂହାସନ’ ପାଖକୁ । ଏଥିରେ ରମାକାନ୍ତ ଦର୍ଶାଇବାକୁ ଚାହିଁଛନ୍ତି, ଶାସନ କ୍ଷମତାରେ ଥିବା ବ୍ୟକ୍ତି କେମିତି ଅନେକ ସମୟରେ ଚାମଚାମାନଙ୍କ ଚାଟୁକାରିତାର ଶିକାର ହୋଇ ନିଜ କର୍ତ୍ତବ୍ୟ ଭୁଲି ଯାଆନ୍ତି । ଆଉ ଶାସନ କ୍ଷମତା ଚାଲିଯାଏ ସେହି ପଛଆଡ଼ିଆ ଚାଟୁକାରମାନଙ୍କ ହାତକୁ । କିନ୍ତୁ ସିଂହାସନରେ ବସିଥିବା ବ୍ୟକ୍ତିଟି ଏ କଥା ବୁଝିବା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥାଏ ।

‘ଝିଅ’ରେ ତ ପୁଣି ଲେଖକ ଉଠାଇଛନ୍ତି ଆହୁରି ଅତି ଜଘନ୍ୟ ଗୋଟାଏ ଆସୁରିକ ସମସ୍ୟା କଥା । ଛୋଟଛୋଟ ଝିଅମାନେ କିଭଳି ବିଭିନ୍ନ ଆଳରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ସେହି କଥା ଏଠାରେ କହିଛନ୍ତି ରମାକାନ୍ତ ।

‘ଶାସନ କଳ’, ‘ପତନ’ ଓ ‘ରାମ ଜନ୍ମଭୂମି’ ଭଳି ତାଙ୍କର ବହୁ ରୂପକଥାରେ ଲେଖକ ବଖାଣିଛନ୍ତି, ଆମେ ମର୍ମେ ମର୍ମେ ଅନୁଭବ କରୁଥିବା ଓ ନିଇତି ଭୋଗୁଥିବା ଏମିତି ବହୁ ସମାଜିକ ସମସ୍ୟା ଓ ସେସବୁକୁ ନେଇ ଆମ ଅଭିଯୋଗର କଥା । ସେ ରାଜନେତାଙ୍କ ମିଛ ପ୍ରତିଶ୍ରୁତିର ଭେଳିକି ହେଉ କି ଧାର୍ମିକ ରାଜନୀତି ହେଉ ।

ତେବେ ଖାଲି ଅଭିଯୋଗ କି ଅସନ୍ତୁଷ୍ଟ ଭାବ ନୁହେଁ, ‘ଚାଲୁଚାଲୁ ଚାଲୁଚାଲୁ’ ରୂପକଥାରେ ରମାକାନ୍ତ ବତେଇଛନ୍ତି ବି ନିଜ ଭିତରେ ନିଜେ ଖୁସି ରହିବାର ସୂତ୍ର । ସେଇଥିପାଇଁ ତ ଅସରନ୍ତି ରାସ୍ତାରେ ଚାଲୁଚାଲୁ ତାଙ୍କୁ ଶୋଷ ଲାଗିଲା ତ ବାଁ ପକେଟ୍ ରୁ ସେ ନଦୀଟିଏ ବାହାର କରି ବୁହେଇ ଦେଇଛନ୍ତି । ପୁଣି ନଈରୁ ପାଣି ପିଇ ତା’ ପାଣିରେ ଗାଧୋଇ ସାରିବା ପରେ ତାଙ୍କୁ ପୁଣି ନିଦ ଲାଗିବାରୁ ସେ ଡହାଣ ପକେଟ୍ ରୁ ବରଗଛଟିଏ ବାହାର କରି ତା’ ଥଣ୍ଡା ଛାଇରେ ଶୋଇ ପଡ଼ିଛନ୍ତି ଘଡ଼ିଏ । ବାସ୍ତବରେ ଦେଖିବାକୁ ଗଲେ, ଆମ ନିଜ ଭିତରେ ହିଁ ଲୁଚି କି ନଥାଏ କି ଆମେ ଖୁସି ରହିବାର ବାଟ? ଖାଲି ଯାହା ତାକୁ ଖୋଜି ପାଇବା ଜାଣିଲେ ହେଲା ।

ଉପରେ ଯେକୌଣସି ରୂପକଥା ବିଷୟରେ ଯାହା ବି ଲେଖିଛି, ସବୁ ମୋ’ ନିଜ କଥା । କାରଣ ପୂରା ବହିଟିକୁ ଶେଷ କଲା ପରେ ବି ପାଠକକୁ ଆଦୌ ଅନୁଭବ ହେବନି, ରମାକାନ୍ତ ତାକୁ ବାଧ୍ୟ କରିଛନ୍ତି ତାଙ୍କର କୌଣସି ବିଚାରଧାରାକୁ ଗ୍ରହଣ କରିବା ପାଇଁ । ଗ୍ରହଣ କରିବା ତ ଦୂର କଥା, ଏମିତି କି ତାଙ୍କ ଏ ବହିର କୌଣସି ଲେଖାକୁ ବୁଝି ସେଥିରୁ କିଛି ଅର୍ଥ ବାହାର କରିବାକୁ ମଧ୍ୟ ସେ କେଉଁଠି କହି ନାହାନ୍ତି । ତାଙ୍କର ଏସବୁ ଲେଖା ପରି ପାଠକ ବି ଏଠି ସ୍ୱତନ୍ତ୍ର ତାଙ୍କ ଲେଖାସବୁକୁ ତା’ ନିଜ ଢଙ୍ଗରେ ବୁଝିବାକୁ କିମ୍ବା ନ ବୁଝିବାକୁ । ସେଥିପାଇଁ ତ ଏସବୁକୁ ରୂପକଥା କହିଛନ୍ତି ଲେଖକ ।

ଏବେ ବାକି ରହିଲା, ଲେଖା ସହ ବହିଟି ଭିତରେ ସ୍ଥାନ ପାଇଥିବା ରମାକାନ୍ତଙ୍କ ଚିତ୍ରସବୁର କଥା । ବହିଟିର ଉପକ୍ରମଣିକାରେ ହିଁ ଲେଖକ ସ୍ପଷ୍ଟ କରିଦେଇଛନ୍ତି, ଏସବୁ ଚିତ୍ରକୁ ନେଇ ତାଙ୍କ ବକ୍ତବ୍ୟକୁ । ତେଣୁ ସେସବୁ ବିଷୟରେ ମୋର ବିଶେଷ କିଛି କହିବାର ନାହିଁ । ତେବେ ଥରେ-ଦୁଇ ଥର ଏସବୁରୁ କିଛି ଚିତ୍ର ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଥିବାର ଦେଖିଛି ଅବଶ୍ୟ । ତାଙ୍କ ଲେଖା ପରି ପାଠକ ତାଙ୍କ ଚିତ୍ରର ଅର୍ଥ ବୁଝିବା କ୍ଷେତ୍ରରେ ବି ପୂରାପୂରି ସ୍ୱାଧୀନ । ରମାକାନ୍ତଙ୍କ ନିଜ ଭାଷାରେ, ମୋଟାମୋଟି ଆମେ ଚାକ୍ଷୁସ କରୁଥିବା ପୃଥିବୀକୁ ଖୁବ୍ ଭଙ୍ଗାଗଢ଼ା ଓ ଯୋଡ଼ାଯୋଡ଼ି କରି ସେ ଗଢ଼ିଛନ୍ତି ଏସବୁ ଲେଖା ଆଉ ଚିତ୍ରର ନୂଆ ଗୋଟେ ଦୁନିଆଁ ।

ତେବେ ପୂରା ବହିଟିକୁ ସାରିଦେଲା ପରେ ପାବ୍ଲୋ ପିକାସୋଙ୍କ ପ୍ରସିଦ୍ଧ ଉକ୍ତିଟି ମନକୁ ଆସୁଛି; ‘There is no abstract art. You must always start with something. Afterwards you can remove all traces of reality.’ ସତକୁ ସତ ଜାଣିଶୁଣି ଲେଖକ ଆଉ ତାଙ୍କ ଲେଖାମାନଙ୍କ ଭିତରୁ ବାସ୍ତବତାର ସବୁ ଚିହ୍ନ ଲିଭେଇ ଦେଇ ନାହାନ୍ତି ତ!