Latest Odisha News

BREAKING NEWS

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ: ଆତଙ୍କିତ ହୋଇ ଦୌଡ଼ିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ପର୍ଯ୍ୟଟନ ସ୍ଥଳୀ ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସାଧାରଣ ବଚସା ହଠାତ୍ ଉଗ୍ର ରୂପ ନେଇଥିଲା ଏବଂ କିଛି ଯୁବକ ସର୍ବସାଧାରଣରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ।

 

ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁଁ ସେଠାରେ ଉପସ୍ଥିତ ଥିବା ଶତାଧିକ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳିଯାଇଥିଲା। ପ୍ରାଣ ବିକଳରେ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପଟ ସେପଟ ଦୌଡ଼ୁଥିବା ଦେଖିବାକୁ ମିଳିଛି।

 

ସ୍ଥାନୀୟ ପୋଲିସ ବା ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟର ସୂଚନା ଅନୁଯାୟୀ ଏହି ଗୁଳିକାଣ୍ଡ ସନ୍ଧ୍ୟା ସମୟରେ ଘଟିଥିଲା। କିଛି ଜଣଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସେମାନେ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ପରସ୍ପର ଉପରକୁ ଗୁଳି ବର୍ଷଣ କରିଥିଲେ। ଗୁଳିର ସାଉଣ୍ଡ ଶୁଣି ପୁରା ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସର ବରିଷ୍ଠ ଅଧିକାରୀ ଏବଂ ଜରୁରୀକାଳୀନ ସେବା ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁରା ଏରିଆକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।

 

ଏହି ପୂରା ଘଟଣାର ଏକ ଭୟାନକ ଚିତ୍ର ସେଠାରେ ଲାଗିଥିବା ସିସିଟିଭି ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆମେରିକାରେ ବଢୁଥିବା ଗନ୍ କଲଚରକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି। ପୋଲିସ ଏହି ମାମଲାରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିବା ବେଳେ ତାର ଅନ୍ୟ ସହଯୋଗୀମାନଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରଖିଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଟାଇମ୍ସ ସ୍କୋୟାରର ପ୍ରମୁଖ ରାସ୍ତାଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯାଇଛି।

Leave A Reply

Your email address will not be published.