ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଏହି ମାମଲରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ୨ଟି ପିସ୍ତଲ ସହ ୧୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।
ଅନୁଗୁଳ ଏସପି ରାହୁଲ ଜୈନ ଶୁକ୍ରବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଗଣମାଧ୍ୟକୁ କହିଛନ୍ତି ଯେ, ବନ୍ତଳା ଥାନା ଧୋକୁଟା ବନଦୁର୍ଗା ମନ୍ଦିର ନିକଟରେ ଗତ ୧୭ ତାରିଖ ରାତି ପ୍ରାୟ ୮ଟା ସମୟରେ ବନ୍ତଳା ଥାନା କହ୍ନେଇନଗରର ବିଷ୍ଣୁଚରଣ ନାଏକ ଓ ଶିବରାମ ନାଏକଙ୍କୁ ଗୁଳିମାଡ଼ ହୋଇଥିଲା । ଏଥିରେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା । ସେମାନେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏହି ଗୁଳିକାଣ୍ଡ ଘଟଣାରେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ, ଓମ୍ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ ବେହେରା, ଚକାସାହିର ଜଣେ ନାବାଳକ ଓ ଅନୁଗୁଳ ସଦର ଥାନା ଛେଳିଆପଡ଼ାର ସୁମନ୍ତ ସାହୁଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ୪ଟି ବାଇକ୍, ୫ଟି ମୋବାଇଲ ଫୋନ୍, ଗୋଟିଏ ଅଟୋରିକ୍ସା, ନଗଦ ୧୨୨୦ ଟଙ୍କା ଓ ଗୋଟିଏ ଏଟିଏମ୍ କାର୍ଡ ଜବତ କରାଯାଇଛି ।
ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା’ର ଖୋଳତାଡ଼ ଚାଲିଛି । ଘଟଣାର ମୁଖ୍ୟ କାର୍ପଟଦାର ପୂର୍ବରୁ ଜେଲ୍ରେ ଥିବା ବେଳେ, ଜେଲ୍ ଯୁବା ପୂର୍ବରୁ ସେ ହତ୍ୟା କରିବାକୁ ସୁପାରୀ ଦେଇଥିଲା । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି ।
Comments are closed.