Latest Odisha News

BREAKING NEWS

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧା ହେଉଛନ୍ତି ତାଙ୍କର ଫିଜିଓ ଥେରାପିଷ୍ଟ। ତାଙ୍କ ଫିଜିକାଲ ଫିଟନେସ୍ ପାଇଁ ତାଙ୍କ ଦିବଙ୍ଗତ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ପଠାଇଥିବା କହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ଆହୁରି କହିଛନ୍ତି, ଶ୍ରଦ୍ଧାଙ୍କୁ କୌଣସି ସରକାରୀ କ୍ୱାର୍ଟର ଦିଆଯାଇ ନାହିଁ। ଏପରିକି ସରକାରୀ ସୁବିଧା ସୁଯୋଗ ମଧ୍ୟ ତାଙ୍କୁ ଦିଆଯାଉ ନାହିଁ। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସଙ୍ଗ ଗୁଡ଼ିକ ବିଧାନସଭାରେ ଆଲଚୋନା ଉପରେ ଗୁରୁତ୍ବ ଦିଆଯାଉ ବୋଲି ନବୀନ କହିଛନ୍ତି।

ଗତ କିଛି ଦିନ ଧରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବସନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ କରିଥିଲେ। ଏହାସହ ଶ୍ରଦ୍ଧାଙ୍କୁ ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ। ଶ୍ରଦ୍ଧା ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇଥିବା ବେଳେ ସେଠାରେ ଶ୍ରଦ୍ଧା ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି। ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ। ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାଁନ୍ତି ଯେ ଗୋଆରୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ବଡ଼ ଜନବିରୋଧୀ ଆଉ କିଏ ଅଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ସେହିପରି ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ରହସ୍ୟମୟୀ ମହିଳା ଯଦି ଜଣେ ନର୍ସ ବା ଥେରାପିଷ୍ଟ ଅଟନ୍ତି, ତେବେ ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ। ଓଡ଼ିଶା ପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ଥା ଉପରେ ଏପରି ଛାଡ଼ିଦେବା ଉଚିତ କି ? ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକତ୍ସା ପାଇଁ କିଏ ଚୟନ କରିଛି? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ଏମିତି ପ୍ରଶ୍ନବାଣରେ ସରକାରଙ୍କ ଘାଇଲା କରିଛନ୍ତି ସାଂସଦ ଅପରାଜିତା।

ବିଧାନସଭାରେ ବିରୋଧୀ ସଦସ୍ୟମାନେ ପ୍ରଶ୍ନ କରିଥିଲେ, ଯେ ଶ୍ରଦ୍ଧା ନାମକ ମହିଳା ଜଣକ କିଏ? ସେ କାହିଁକି ନବୀନଙ୍କ ଗସ୍ତରେ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧିଙ୍କ ମଧ୍ୟରେ ହଟ୍ଟଗୋଳ ହେବାରୁ ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା। ଏପରିକି ବିଧାନସଭା ବାହାରେ ସରକାର ଓ ବିଜେଡିକୁ ସମାଲୋଚନା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି।

Leave A Reply

Your email address will not be published.