Latest Odisha News

ଶ୍ରଦ୍ଧା ୱାକର ହତ୍ୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅଭିଯୁକ୍ତକୁ ଦିନକୁ ୮ଘଣ୍ଟା କରାଯିବ ଅନଲକ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ହାଇପ୍ରୋଫାଇଲ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଅନ୍ୟ କଏଦିଙ୍କ ପରି ଅନଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ଅନ୍ୟ କଏଦୀମାନଙ୍କ ପରି ଅଫତାବ ପୁନାୱାଲାକୁ ଦିନକୁ ୮ ଘଣ୍ଟା ଅନଲକ୍ କରିବାକୁ ଏବଂ ରାତିରେ ତାଙ୍କୁ ଏକାନ୍ତ କୋଠରୀରେ ରଖିବାକୁ ଦିଲ୍ଲୀ ହାଇକୋର୍ଟ ତିହାଡ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ କହିବା ଅନୁଯାୟୀ, ବିପଦର ଆଶଙ୍କାକୁ ଦୃଷ୍ଟିରେ ରଖି ଶ୍ରଦ୍ଧା ୱାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାଙ୍କୁ ରାତିରେ ଏକାନ୍ତ ବନ୍ଦୀଶାଳାରେ ରଖାଯିବ ।

ଉଲ୍ଲେଖଯୋଗ୍ୟ, ଗତ ୨୦୨୨ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ୱାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ଜହ୍ଲାଦ ବୟଫ୍ରେଣ୍ଡ ଅଫତାବ । ମାସ ମାସ ଧରି କଟା ଶରୀରକୁ ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲା ଅଫତାବ । କିନ୍ତୁ ଶେଷରେ ଧରା ପଡିଥିଲା ଅଫତାବ । ଗିରଫ ପରେ ତଦନ୍ତ ଆଗକୁ ବଢାଇବାକୁ ଦୁଇ ଦୁଇ ଥର ଅଫତାବକୁ ରିମାଣ୍ଡରେ ନେଇଥିଲା ପୋଲିସ ।

ଗତବର୍ଷ ଜାନୁଆରୀ ମାସରେ ୩ ହଜାରରୁ ଅଧିକ ପୃଷ୍ଠାର ଏହି ଡ୍ରାଫ୍ଟ ଚାର୍ଜ ସିଟ୍ ସହିତ ୧୦୦ରୁ ଅଧିକ ସାକ୍ଷୀ, ଫୋରେନସିକ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ, ମେହରୌଲି ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାଡର ଡିଏନଏ ଟେଷ୍ଟ ରିପୋର୍ଟକୁ କୋର୍ଟରେ ଦାଖଲ କରିଥିଲା ପୋଲିସ । ଏହା ବ୍ୟତୀତ ଅଫତାବଙ୍କ ନାର୍କୋ ଟେଷ୍ଟର ରିପୋର୍ଟ, ଅଫତାବ ପୁନାୱାଲାଙ୍କ ଫ୍ଲାଟରୁ ମିଳିଥିବା ରକ୍ତ ନମୁନା, ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ରିପୋର୍ଟ ମଧ୍ୟ ଦାଖଲ କରିଥିଲା ପୋଲିସ । ସେବେଠାରୁ ତିହାଡ ଜେଲରେ ଅଛନ୍ତି ଅଭିଯୁକ୍ତ ଅଫତାବ ପୁନାୱାଲା ।

 

Leave A Reply

Your email address will not be published.