Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର୍ ଯୋଜନା: ମୌଳିକ ସୁବିଧା ଯୋଗାଇଦେବାକୁ ବିଭାଗସ୍ତରୀୟ ଆଲୋଚନା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଯୋଜନାରେ ସ୍ଥାନୀୟ ଅଧିବାସୀ ତଥା ଦର୍ଶକଙ୍କୁ ପାନୀୟ ଜଳ, ସ୍ଵେରେଜ , ବର୍ଜ୍ୟବସ୍ତୁ ନିଷ୍କାସନ ଆଦିମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଆଲୋଚନା ନିକଟରେ ଶ୍ରୀମନ୍ଦିର ପ୍ରଶାସନ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନାରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ମ୍ୟୁନିସିପାଲଟି, ଓଡିଶା ଜଳ ଯୋଗାଣ ଓ ସ୍ଵେରେଜ ବୋର୍ଡ, ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ, ଜାତୀୟ ରାଜପଥ ବିଭାଗ,ପୂର୍ତ୍ତ ବିଭାଗ, ସେସୁ ତଥା ଓବିସିସିର ଅଧିକାରୀଗଣ ଯୋଗ ଦେଇଥିଲେ ।

ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୭୫ ମିଟର ପରିଧିରେ ହେବାକୁ ଥିବା ପ୍ରସ୍ତାବିତ କରିଡର ସମ୍ପର୍କରେ ବିଭିନ୍ନ ବିଭାଗମାନେ ସେମାନଙ୍କର ମତାମତ ରଖିଥିଲେ ।
କରିଡର କାର‌୍ୟ୍ୟ ସମାପ୍ତ ହେବା ପରେ ଶ୍ରୀମନ୍ଦିରକୁ ଆସୁଥିବା ଦୈନିକ ତୀର୍ଥଯାତ୍ରୀ ସଂଖ୍ୟା ଓ ଦର୍ଶନାଭିଳାଷୀଙ୍କ ଭବିଷ୍ୟତର ବର୍ଦ୍ଧିତସଂଖ୍ୟାକୁ ଦୃଷ୍ଟିରେ ରଖି କେବଳ ମନ୍ଦିର ଅଞ୍ଚଳ ପାଇଁ ଏକ ଜଳ ବିଶୋଧନ ପ୍ଳାଣ୍ଟ ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ ନିତାନ୍ତ ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

ସେହିପରି ମନ୍ଦିରର ମେଘନାଦ ପାଚେରି ନିକଟରେ ଥିବା ଏକ ପୁରୁଣା ବିଦ୍ୟୁତ ସବଷ୍ଟେସନକୁ ଉଠାଇ ଅନ୍ୟତ୍ର ସ୍ଥାପନ କରିବା ତଥା କରିଡର ଅଞ୍ଚଳରେ ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ଥାପନ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ପ୍ରସ୍ତାବିତ ଐତିହ୍ୟ କରିଡର ଯୋଜନାକୁ ଚୁଡାନ୍ତ ରୂପରେଖ ଦେବା ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ଓ ସେତୁ ଏବଂ ନିର୍ମାଣ ନିଗମ (ଓବିସିସି) ତରଫରୁ ଆୟୋଜିତ ହେଉଥିବା ଅନେକ ଆଲୋଚନାର ଏହା ଏକ ଅଂଶବିଶେଷ । ଚଳିତ ଆଲୋଚନାରେ ମନ୍ଦିର ଆଖପାଖ ଅଞ୍ଚଳର ସମସ୍ତ ବିଦ୍ୟୁତ ନେଟୱର୍କ, ରାସ୍ତା, ଜଳ ଯୋଗାଣ ପାଇପ ଇତ୍ୟାଦିକୁ ଆବଶ୍ୟକ ଅନୁସାରେ ସ୍ଥାନାନ୍ତରିତ କରାଯାଇ କରିଡର ଯୋଜନାରେ ସାମିଲ କରାହେବ ବୋଲି ମତ ପ୍ରକାଶ ପାଇଥିଲା ।

ଏ ବିଷୟରେ ଅଧିକ ସୂଚନା ଦେଇ ରାଜ୍ୟ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସକ ଡଃ କ୍ରିଶନ କୁମାର କହିଥିଲେ ଯେ ଐତିହ୍ୟ କରିଡର ଯୋଜନାକୁ ଚୁଡାନ୍ତ ରୂପରେଖ ଦେବାକୁ ସରକାରଙ୍କ ତରଫରୁ ଏହିଭଳି ଅନେକ ଆଲୋଚନା ଅନୁଷ୍ଠିତ ହେବ । ଏଭଳି ଆଲୋଚନା ଆନ୍ତଃବିଭାଗୀୟ ସହଯୋଗ ବଢାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାରେ ସହାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ପୁରୀ ପାଇଁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିମନ୍ତେ ଏକ ଚିଠା ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଗତ ଡିସେମ୍ବର ୩୦ ତାରିଖରେ ଉନ୍ମୋଚିତ ହୋଇଥିଲା ଓ ସର୍ବସାଧାରଣଙ୍କ ମତାମତ ସଂଗ୍ରହ କରିବା ପାଇଁ ଏହାକୁ ସାର୍ବଜନୀନ କରା ହୋଇଥିଲା ।

ଓବିସିସି ସମ୍ପର୍କରେ : ଓଡିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ କାର‌୍ୟ୍ୟ କରୁଥିବା ଏକ ନିଗମ । ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀର ସୌନ୍ଦର‌୍ୟ୍ୟୀକରଣ ତଥା ଅନେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ କାର‌୍ୟ୍ୟକାରିତା ଭାର ଏହା ଉପରେ ନ୍ୟସ୍ତ ରହିଛି। ପୁରୀର ଅବଢା, ଭୁବନେଶ୍ୱରର ଏକାମ୍ର ପରି ଯୋଜନା ତଥା କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲର ଉନ୍ନତିକରଣ କାର‌୍ୟ୍ୟ ଓବିସିସି କରୁଅଛି ।

Leave A Reply

Your email address will not be published.