ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ ଅନୁରାଗ ଡୋରିରେ ବାନ୍ଧିବା ପାଇଁ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନେହ ଲୋଡ଼ା ସେପରି ପ୍ରଭୁଙ୍କର ଆଶ୍ରୟ ବି ଲୋଡ଼ା। ପ୍ରଭୁଙ୍କର ଆଶ୍ରିତ ନହେଲେ ଆମର ବା ଏ ଜୀବଙ୍କର ଅନ୍ୟ ଗତି ନାହିଁ। ଏ ବ୍ରହ୍ମାଣ୍ଡରେ ଏକ ମାତ୍ର ଆଶ୍ରୟଦାତା ହେଉଛନ୍ତି ସ୍ୱୟଂ ପରଂବ୍ରହ୍ମ। କାରଣ ସୃଷ୍ଟିର ଆରମ୍ଭରୁ ସେ (ପରଂବ୍ରହ୍ମ) ପ୍ରାଣୀଙ୍କ ଆଶ୍ରୟ ଦାତା ଭାବରେ ସମସ୍ତ ଜଗତର ସର୍ଜନା କରନ୍ତି ଓ ଯୁଗକ୍ଷୟ ବା ପ୍ରଳୟ କାଳରେ ମଧ୍ୟ ସେ ସମସ୍ତ ସୃଷ୍ଟିକୁ ନିଜ ଭିତରେ ଆଶ୍ରୟ ଦିଅନ୍ତି।
ଏହାକୁ ଅନ୍ୟ ଭାବରେ କହିଲେ ସୃଷ୍ଟି ଆରମ୍ଭରୁ ସକଳ ପ୍ରାଣୀ ପରଂବ୍ରହ୍ମଙ୍କ ଠାରୁ ସୃଷ୍ଟି ହୁଅନ୍ତି ଓ ପ୍ରଳୟ କାଳରେ ତାଙ୍କରି ଠାରେ ବିଲୀନ ହୁଅନ୍ତି। ସେଥିପାଇଁ ବିଷ୍ଣୁ ସହସ୍ରନାମରେ କୁହାଯାଇଛି-
“ଯତଃ ସର୍ବାଣୀ ଭୂତାନି ଭଵନ୍ତ୍ୟାଦି ଯୁଗାଗମେ।
ଯସ୍ମିନଶ୍ଚ ପ୍ରଳୟଂ ଯାନ୍ତି ପୁନଃରେବ ଯୁଗକ୍ଷୟେ।।”
ଏଥିରୁ ପ୍ରମାଣ ମିଳିଲା ଯେ ସକଳ ଜୀବଙ୍କର ସର୍ବକାଳିନ ଆଶ୍ରୟଦାତା ହେଉଛନ୍ତି ପରଂବ୍ରହ୍ମ ଶ୍ରୀକୃଷ୍ଣ। ଆଉ ସକଳ ଜୀବଙ୍କର ପ୍ରଧାନ ଲକ୍ଷ ହେଉଛି ପ୍ରଭୁଙ୍କର ଶ୍ରୀଚରଣେ ଆଶ୍ରୟ ପ୍ରାପ୍ତି। ଏଠାରେ ନିର୍ଗୁଣ ନିରାକାର ପରଂବ୍ରହ୍ମ ହୁଅନ୍ତୁ ବା ସଗୁଣ ସାକାର ପରଂବ୍ରହ୍ମ ହୁଅନ୍ତୁ, ପ୍ରତ୍ୟେକ ଜୀବଙ୍କର ଏକମାତ୍ର ଧେୟ ଓ ଆଶ୍ରୟ ହେଉଛନ୍ତି ପରଂବ୍ରହ୍ମ, ଶ୍ରୀମଦ ଭାଗବତ କହିଛନ୍ତି-
ଆଶ୍ରୟ ନାମ ସେ ବୋଲାଇ।
ପରଂବ୍ରହ୍ମ ୟାକୁ କହି ।।
ଏଠାରେ କହିରଖେ ଯଦିଓ ଆଶ୍ରୟର ଅକ୍ଷରିକ ଅର୍ଥ ହେଉଛି ଶରଣସ୍ଥଳ, କିନ୍ତୁ ଶ୍ରୀମଦ ଭାଗବତ ଆମକୁ ଶିକ୍ଷା ଦିଅନ୍ତି ଐକାନ୍ତିକ ଭକ୍ତି ସହକାରେ ଆନୁଗତ୍ୟ ପ୍ରକାଶର ନାମ ହିଁ ଆଶ୍ରୟ। ସେଥିପାଇଁ ଆଗରୁ ଜାଣିଲେ ଯେ ଏ ସଚରାଚର ବ୍ରହ୍ମାଣ୍ଡ ଯାହାଙ୍କଠାରୁ ସୄଷ୍ଟ ଓ ଯାହାଙ୍କଠାରେ ବିଲୟ ହୁଏ ତାଙ୍କ ବିନା ଏ ଜଗତରେ ଆଉ ନିଶ୍ଚିତ ଆଶ୍ରୟଦାତା କିଏ ହୋଇ ପାରନ୍ତି।
ଏହାକୁ ଅତି ସୁନ୍ଦର ଭାବରେ ଶ୍ରୀଚୈତନ୍ୟ ଚରିତ୍ରାମୃତ କହେ
“କୃଷ୍ଣ ଏକ ସର୍ବାଶ୍ରୟ, କୃଷ୍ଣ ଏକ ଧାମ
କ୍ରିଷ୍ଣେର ଶରୀରେ ସର୍ବ ବିଶ୍ୱର ବିଶ୍ରାମ “
ସତରେ ଯେଉଁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଶରୀରରେ ସାରା ବିଶ୍ୱ ଆଶ୍ରୟ ନେଇଛି, ସେହି ଶ୍ରୀକୃଷ୍ଣଙ୍କ ଲୀଳା ଓ ନାମ ବର୍ଣ୍ଣନା ଆଶ୍ରୟ ପାଇଛି ଶ୍ରୀମଦ ଭାଗବତ ଗ୍ରନ୍ଥରେ। ତେଣୁ ତାଙ୍କରି ଆଶ୍ରୟ ନେଇ ଏ ଜୀବନ ସାର୍ଥକ କରିବା।
ଜୟ ଜଗନ୍ନାଥ
(ଦ.ତ୍ରି.ଉଵାଚ )
Comments are closed.