ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେହେତୁ ସ୍ୱୟଂ ଭଗବତ ସ୍ୱରୂପ ତେଣୁ ଏହା ଏକ ନିର୍ଦୋଷ ଓ ନିର୍ମଳ, ବୈଷ୍ଣବପ୍ରିୟ ଭକ୍ତିରସ ଯୁକ୍ତ ମହାପୁରାଣ। ଏହାର ଏକାଦଶ ସ୍କନ୍ଦ ଶେଷ ଶ୍ଳୋକ କହେ “ଇଦ୍ଧଂ ହରେଭଗବତୋ ରୁଚିରାବତାର, ବୀର୍ଯ୍ୟାଣି, ବାଳ ଚରିତାନି ଚ ଶନ୍ତମାନି, ଅନ୍ୟତ୍ର ଚେହ ଚ ଶ୍ରୁତାନି ଗୃଣନ ମନ୍ୟୁଷେ ଭକ୍ତିଂପରାଂ ପରମହଁସଗତୌ ଲଭେତ “।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-36-the-name-of-the-great-scripture-that-helps-in-giving-the-soul-the-form-of-shiva-is-bhagwat/
ଅର୍ଥାତ ଯେଉଁ ବ୍ୟକ୍ତି ଭକ୍ତ ଭୟହାରି ଏହି ମଧୁର ରୁଚିର କୃଷ୍ଣ ଚରିତ ଯଥା ବୀରତ୍ୱଲୀଳା, ବାଳଲୀଳା, କିଶୋରଲୀଳା ଆଦିର ଶ୍ରବଣ ଓ କୀର୍ତନ କରେ, ସେହି ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ ହୋଇ ଶ୍ରେଷ୍ଠ ଭକ୍ତି ଲାଭ କରେ ଯାହା ଶ୍ରେଷ୍ଠ ଯୋଗୀ ପରମହଂସ ମାନଙ୍କ ଚରମ ଲକ୍ଷ୍ୟ ହୋଇଥାଏ। ଏହି ସବୁ ଦୃଷ୍ଟିରୁ ବିଚାର କଲେ ଏହାର ନାମର ମାହାତ୍ମ୍ୟ ନିଶ୍ଚିତ ଭାବେ ପ୍ରତିପାଦିତ ହୁଏ। ଜ୍ଞାନ, ବୈରାଗ୍ୟ, ଭକ୍ତି ଓ ତତ୍ୱ ସବୁର ସମାହାର ଏହି ଗ୍ରନ୍ଥକୁ କରେ ରୁଦ୍ଧିମନ୍ତ ଓ ଶ୍ରେଷ୍ଠ। ଭାଗବତରେ ପ୍ରଦତ୍ତ ତତ୍ୱ ଗୁଡିକ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ତାତ୍ୱିକ ପରିପ୍ରକାଶରେ ପୂର୍ଣ୍ଣ, ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ବର୍ଣିତ ଶରୀର ତତ୍ୱ ଏତେ ବିଜ୍ଞାନ ସମ୍ମତ ଓ ରସାଳ ଯେ ଏହାକୁ ପାଠ କଲେ ସମ୍ପୂର୍ଣ ଜ୍ଞନ ସହିତ ପ୍ରଚୁର ଆନନ୍ଦ ମିଳିଥାଏ। ଯଥା
ବୃକ୍ଷର ଯେତେ ଗୁଣ ମାନ।
ଶରୀରେ ତୋହର ଭିଆଣ।।
ଏକଇ ବୃକ୍ଷ ବେନି ଫଳ।
ଚତୁର ରସ ତିନି ମୂଳ।।
ପଞ୍ଚ ଶିକତ ତଳେ ଗଣ୍ଠି।
ଆତ୍ମା ଏହାର ଷଢ଼ ଗୋଟି।।
ସାତ ବକଳ ଦେହେ ଚଢି ।
ଅଷ୍ଟମ ଡାଳେ ଛନ୍ତି ବେଢ଼ି।।
ଗଣ୍ଠି ସ୍ଵଭାବେ ନବ ନେତ୍ର।
ବିସ୍ତାର ହୋଇ ଦଶ ପତ୍ର।।
ଉପରେ ଛନ୍ତି ବେନି ପକ୍ଷୀ।
ଏମନ୍ତ ବୃକ୍ଷ ଦେହେ ଲକ୍ଷି।।
ଏହାକୁ ପଠନ କଲେ ଯେତିକି କୌତୁହଳ ଜାତ ହୁଏ ସେତିକି ଆନନ୍ଦ ହୁଏ । ଏହାର ପ୍ରକୃତ ଅର୍ଥ ବା ତାତ୍ୱିକ ବ୍ୟାଖ୍ୟାକୁ ଜାଣିବା ପରେ ତାହା ବି ଶ୍ରୀଜଗନ୍ନାଥ ଦାସ ଭାଗବତରେ ପ୍ରଦାନ କରିଛନ୍ତି, ଜାଣିବା ଆଗାମୀ ଆଲୋଚନାରେ ବର୍ତ୍ତମାନ ଏହି ତତ୍ୱମୟ ବ୍ୟାଖ୍ୟାରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତଙ୍କ ନିୟମିତ ପଠନ ଓ ଶ୍ରବଣର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.