Latest Odisha News

ମାଛ ଧରିବା ପାଇଁ ପକାଇଥିଲେ ଜାଲ; ପଡିଲା ମାଳ ମାଳ ସାପ

ପୁରୀ:ମାଛ ମାରିବା ପାଇଁ ପକାଇଥିଲେ ଜାଲ । ସକାଳୁ ସକାଳୁ ଦେଖିବାକୁ ଆସିଲେ ଜାଲରେ କେତେ ମାଛ ପଡିଛି । ହେଲେ ମାଛ କ’ଣ ନେବେ… ଜାଲରେ ମାଛ ବଦଳରେ ପଡିଛି ମାଳ ମାଳ ସାପ । ଏମିତି ଦୃଶ୍ୟ ଦେଖିବାକୁ  ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ ବଳଭଦ୍ର ପୁର ଗ୍ରାମରେ ।

ଏହି ଗ୍ରାମ ନିକଟରେ ବହି ଯାଇଛି ଦୟା ନଦୀ । ଗାଁର ଦିଲ୍ଲୀପ ବେହେରା ନଦୀରେ ମାଛ ଧରିବା ପାଇଁ ଏକ ବାକ୍ସ ଜାଲ ବସେଇ ଥିଲେ । ଆଜି ସକାଳୁ କେତେ ମାଛ ପଡିଛି ଦେଖିବା ପାଇଁ ଯାଇଥିଲେ ।  ମାଛ ଆଣିବା ପାଇଁ ଜାଲ ଟେକିବା ବେଳକୁ ଯାହା ଦେଖିଲେ ତାଙ୍କର ହୋସ ଉଡିଗଲା । ମାଛ ତ ପଡ଼ିଛନ୍ତି । ତା ସହ ପଡିଛନ୍ତି ମାଳ ମାଳ ସାପ । ପ୍ରଥମେ ଡରି ଯାଇଥିଲେ । ତା ପରେ ଜାଲ ଟେକି ଦେଖିଲେ ଜାଲରେ ପଡିଛନ୍ତି ୫ଟି ସାପ ।  ଏମାନଙ୍କ ମଧ୍ୟରେ ୪ଟି ଧଣ୍ଡ ସାପ ଥିବାବେଳେ ଗୋଟିଏ ନାଗ ସାପ ଥିଲା ।

ଭୟରେ ଜାଲକୁ ଫୋପାଡି ଦେଇ ଦିଲ୍ଲୀପ ଓ ତାଙ୍କ ସହ ଥିବା ଅନ୍ୟମାନେ  କୂଳକୁ ପଳେଇ ଆସିଲେ । ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆ ଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଜାଲଟିକୁ ନଦୀ ଭିତରୁ ଉପରକୁ ଆଣି ଥିଲେ । ଲୋକମାନଙ୍କୁ ବୁଝେଇ ଧଣ୍ଡ ସାପ ମାନଙ୍କୁ ସେଇ ନଦୀରେ ଛାଡ଼ି ଦେଇଥିଲେ ସୁଶାନ୍ତ । ତେବେ ବିଷଧର ନାଗ ସାପଟିକୁ ଅନ୍ୟ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆ ଯାଇଛି ।

 

Leave A Reply

Your email address will not be published.