ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଆଇଟିଇଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା ସହ ଭଲଭ ପରିବର୍ତନ କରାଯାଇ ନୂତନ ପ୍ରତ୍ୟାରୋପଣ କରାଯଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମାନ୍ୱୟେ ବିଗିଡିବାରେ ଲାଗିଥିଲା ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା।
୫୪ ବର୍ଷୀୟ ପ୍ରଫେସର ଦାସଙ୍କର ପତ୍ନୀ ଓ ଏକ ମାତ୍ର ପୁଅ ଅଛନ୍ତି । ତାଙ୍କର ଜିଓଟେକ୍ନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବେଶ ପାରଦର୍ଶିତା ଥିଲା ଏବଂ ସେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ସେନ୍ସିଟିଭିଟି ଆନାଲିସିସ୍, ଅପ୍ଟିମାଇଜେସନ୍, ଅନ୍ସର୍ଟେନ୍ଟି ଆନାଲିସିସ୍, ଜେନେଟିକ୍ ପ୍ରୋଗ୍ରାମିଙ୍ଗ୍ ଓ କମ୍ପ୍ୟୁଟେସ୍ନାଲ୍ ଇଂଟେଲିଜେନ୍ସ କ୍ଷେତ୍ରରେ ଗବେଷଣାରତ ଥିଲେ । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଜର୍ନାଲରେ ତାଙ୍କର ୯ଟି ସନ୍ଦର୍ଭ ପ୍ରକାଶିତ ହୋଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଟେକ୍ କରିବା ପରେ ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଏମ୍ଟେକ୍ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଗ୍ରହଣ କରିଥିଲେ।
ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଷୟରେ ବେଶ ଆଗ୍ରହୀ ଥିବା ପ୍ରଫେସର ଦାସ ସୋଆରେ ୨୦୧୫ ମସିହାରେ “ଗ୍ଲୋବାଲ୍ ୱାର୍ମିଂ, ସି-ଲେଭେଲ୍ ରାଇଜ୍ ଆଣ୍ଡ ଲାଇଭ ଆଡପ୍ସନ୍ ଷ୍ଟ୍ରାଟେଜିସ୍ ଆଲଙ୍ଗ ଦ ଇଷ୍ଟକୋଷ୍ଟ ଅଫ୍ ଇଣ୍ଡିଆ” ଶୀର୍ଷକ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରିଥିଲେ। ୨୦୧୭ ମସିହାରେ “ଅଣ୍ଡରଷ୍ଟାଣ୍ଡିଙ୍ଗ କ୍ଲାଉଡ୍ସ” ଶୀର୍ଷକ ଏକ ଜାତୀୟ କର୍ମଶାଳାର ଆୟୋଜନ କରିଥିଲେ।
ସୋଆର ପ୍ରତିଷ୍ଠାତା ସଭାପତି ତଥା ପ୍ରଫେସର ଦାସଙ୍କ ନିକଟ ସମ୍ପର୍କୀୟ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସଙ୍କ ଠାରୁ ନେଇ ଏହି ଶୋକ ସଭାରେ ବିଶ୍ୱବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ, କର୍ମକର୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ। ଜଣେ ମିଷ୍ଟଭାଷୀ, ଭଦ୍ର ମଣିଷ ଏବଂ ବିଚକ୍ଷଣ ଶିକ୍ଷକଙ୍କୁ ସୋଆ ହରାଇଲା ବୋଲି ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ସେହିପରି ପ୍ରଫେସର ଦାସଙ୍କ ପାର୍ଥିବ ଶରୀରକୁ ଆଇଟିଇଆର୍ କ୍ୟାମ୍ପସକୁ ମଧ୍ୟ ନିଆଯାଇଥିଲା। ସେଠାରେ ଫାକଲ୍ଟି, ଷ୍ଟାଫ୍ ଓ ଛାତ୍ରଛାତ୍ରୀମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କର ପାର୍ଥିବ ଶରୀରକୁ ପୈତୃକ ପିପିଲି ନିକଟବର୍ତୀ ସିଉଳା ଗ୍ରାମକୁ ନିଆଯାଇଥିଲା। ସେଠାରେ ତାଙ୍କର ସମ୍ପର୍କୀୟ ଓ ପରିବାରବର୍ଗ ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ପ୍ରଫେସର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
Comments are closed.