ମୁମ୍ବାଇ: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଓମାନର ସୋହାର ବନ୍ଦର ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ବିକଳ୍ପ ଭାବେ ଉଭା ହୋଇଛି। ହର୍ମୂର୍ଜ ପ୍ରଣାଳୀ ଦେଇ ହେଉଥିବା ଜାହାଜ ଚଳାଚଳରେ ବାଧା ସୃଷ୍ଟି ହେବା ପରେ, ସୋହାର ବନ୍ଦରକୁ ଗଲ୍ଫ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟିକ କାରବାର ପାଇଁ ଏକ ନୂତନ ପ୍ରବେଶଦ୍ୱାର ଭାବେ ଦେଖାଯାଉଛି।
ହର୍ମୂଜ ପ୍ରଣାଳୀ ବାହାରେ ଓମାନ ଉପକୂଳରେ ଅବସ୍ଥିତ ଏହି ଗଭୀର ସମୁଦ୍ର ବନ୍ଦରଟି ଭାରତର ଶକ୍ତି ସୁରକ୍ଷା ଓ ସାମଗ୍ରୀ ପରିବହନ ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରଦାନ କରୁଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓମାନ ସୋହାର ବନ୍ଦର ଓ ସୋହାର ଫ୍ରି-ଜୋନରେ ଭାରତୀୟ ନିବେଶକଙ୍କ ପାଇଁ ବ୍ୟାପକ ସୁଯୋଗ ରହିଥିବା ପ୍ରକାଶ କରିଛି। ଏହି ବନ୍ଦରର ବାର୍ଷିକ ୭୨ ନିୟୁତ ଟନ୍ କାର୍ଗୋ ପରିବହନ କ୍ଷମତା ରହିଛି।
ଭାରତ ନିଜର ପ୍ରାୟ ୩୦ ପ୍ରତିଶତ କଞ୍ଚା ତେଲ ଏବଂ ୯୦ ପ୍ରତିଶତ ଏଲପିଜି ଆମଦାନୀ ପାଇଁ ହର୍ମୂଜ ଉପରେ ନିର୍ଭର କରେ। ସୋହାର ବନ୍ଦର ମାଧ୍ୟମରେ ସଡ଼କ ଓ ପ୍ରସ୍ତାବିତ ଓମାନ-ୟୁଏଇ ରେଳପଥ ଦ୍ୱାରା ୟୁଏଇ, ସାଉଦି ଆରବ ଏବଂ ଅନ୍ୟାନ୍ୟ ଜିସିସି ଦେଶଗୁଡ଼ିକୁ ସହଜରେ ସାମଗ୍ରୀ ପଠାଯାଇପାରିବ। ଏହାଦ୍ୱାରା ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାର ବିପଦ କମିଯିବ।
ନିକଟରେ ଭାରତ ଓ ଓମାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ଏବଂ ସୋହାର ବନ୍ଦରକୁ ଭାରତରୁ ନିୟମିତ ଫିଡର ଜାହାଜ ସେବା ବୃଦ୍ଧି ପାଇବା ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟକୁ ନୂଆ ଦିଶା ମିଳିଛି। ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଏହା ଗଲ୍ଫ ଅଞ୍ଚଳରେ ନିଜର ବ୍ୟବସାୟ ସମ୍ପ୍ରସାରଣ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ।


Comments are closed.