Latest Odisha News

BREAKING NEWS

ଜାଣନ୍ତୁ, କିପରି ନେବେ ଆଖିର ଯତ୍ନ…

ଭୁବନେଶ୍ୱର: ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ ଅନେକ ଲୋକଙ୍କର ଆଖି ସମସ୍ୟା ଦେଖାଦେଇଥାଏ ।

ଯଦି ଆପଣ ନିଜ ଆଖିକୁ ସୁସ୍ଥ ତଥା ଆଖି ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଜାଣନ୍ତୁ କିଛି ଟିପ୍ସ୍…

ନିୟମିତ ରୂପେ ଆଖି ସଫା କରନ୍ତୁ:- ଅନେକ ସମୟରେ ଧୂଳି ସଂପର୍ଶରେ ଆସି ଆଖି ଜଳିବା, ଲାଲ୍ ପଡିବା, କୁଣ୍ଡେଇ ହେବା, ଧୂଆଁଳିଆ ଦେଖାଯିବା ଏବଂ ଆଖିରୁ ବେଳେ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ହେଉଥିଲେ ନିୟମିତ ରୂପେ ଆଖିକୁ ପ୍ରତିଦିନ ୩-୪ ଥର ଥଣ୍ଡା ପାଣିରେ ଧୁଅନ୍ତୁ ।

ପୃଷ୍ଟିଯୁକ୍ତ ଖାଦ୍ୟ ଖାଆନ୍ତୁ:- ଆଖି ସମସ୍ୟା ଦୂର କରିବା ପାଇଁ ଭିଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ସକାଳୁ ଖାଲି ପେଟରେ କମଳା ଖାଆନ୍ତୁ । କମଳାରେ ଦୃଷ୍ଟିଶକ୍ତି ବଢାଇବାର ଗୁଣ ରହିଛି । ଯଦି ଆପଣ ନିୟମିତ ଏକ ମାସ ପର‌୍ୟ୍ୟନ୍ତ ଖାଲି ପେଟରେ କମଳା ଖାଇବେ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହେବ। ଏଥିସହିତ କ୍ଷୀର, ଗାଜର, ଟମାଟର, ଅମୃତଭଣ୍ଡା, ଅଣ୍ଡା ଓ ତାଜା ପନିପରିବା ଖାଆନ୍ତୁ । ଏହା ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି କରାଇବାରେ ସହାୟକ ହୋଇଥାଏ ।

ସୁନିଦ୍ରା:- ଆଖି ପାଇଁ ଜରୁରୀ ହୋଇଥାଏ ସୁନିଦ୍ରା । ଦୈନ୍ୟଦିନ ଜୀବନରେ ଦୌଡାଦୌଡି ମଧ୍ୟରେ ଶରୀର ସହିତ ଆଖିକୁ ମଧ୍ୟ ଆରାମ ଦରକାର ପଡିଥାଏ । ଏଥିପାଇଁ ଦୈନିକ ପାଖାପାଖି ୮ ଘଣ୍ଟାର ସୁନିଦ୍ରା ଗହଣ କରନ୍ତୁ, ଫଳରେ ଆଖି ତଳେ କଳା ଦାଗ ପଡିବ ନାହିଁ ଏବଂ ଆଖି ସୁସ୍ଥ ରହିବ ।

କମ୍ପ୍ୟୁଟର ଠାରୁ ସଠିକ୍ ଦୂରତା ରଖନ୍ତୁ:- ସେ କମ୍ପ୍ୟୁଟର ହେଉ ବା ବହି ପଢିବା ବେଳେ ହେଉ ଉପଯୁକ୍ତ ଦୂରତା ନରଖିଲେ ଏହାର କୁପ୍ରଭାବ ଆଖି ଉପରେ ପଡିଥାଏ । ଏଥିପାଇଁ କମ୍ପ୍ୟୁଟର, ମୋବାଇଲ ଫୋନ୍ କିମ୍ବା ବହି ପଢିବା ବେଳେ ଅବିରତ ଦେଖନ୍ତୁ ନାହିଁ । ମଝିରେ ମଝିରେ ଆଖିକୁ ଟିକେ ବିଶ୍ରାମ ଦିଅନ୍ତୁ ।

Leave A Reply

Your email address will not be published.