ଭୁବନେଶ୍ୱର: କୋଟି ଓଡ଼ିଆର ମଉଡ଼ମଣି। ଭାବର ଠାକୁର ଲୀଳାମୟ ଜଗନ୍ନାଥ। ଭାଇ ଭଉଣୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିରରେ କରୁଛି ଲୀଳା। ଭକତ ଭାବରେ ବନ୍ଧା ସେ। ପ୍ରତିଦିନ ତାର ଦର୍ଶନ ପାଇଁ ବଡ଼ଦେଉଳରେ ଜମେ ଭକ୍ତଙ୍କ ଭିଡ଼।
ମାଆ ଲକ୍ଷ୍ମୀ ସାନ୍ତାଣୀ ଏଠାରେ ନିଜ ହାତରେ ଅନ୍ନ ରାନ୍ଧିବାର ବିଶ୍ୱାସ ରହିଛି। ଅନେକ ରାହସ୍ୟରେ ଭରା ଶ୍ରୀମନ୍ଦିରର ଏହି ରୋଷ ଘର। ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି ଅଧିକ କଥା…
ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ,ପୁରୀର ଅଗ୍ନିକୋଣରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ ।
ଶ୍ରୀମନ୍ଦିର ରୋଷ ଘରେ ୨୪୦ଟି ଚୁଲି ଅଛି ଓ ସେଥିମଧ୍ୟରୁ ଚୁଲି କୋଠ ଭୋଗ ଚିଲି ରୂପେ ପରିଚିତ। ଶ୍ରୀମନ୍ଦିର ରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ ।
ମହାପ୍ରଭୁଙ୍କର ଦଶଗୋଟି ଘରକୁ ନେଇ ରୋଷଘର ପ୍ରସ୍ତୁତ । ଯାହାକୁ କେତେକ ଦଶଦିଗପାଳ, ଦଶଅବତାର, ଦଶମହାବିଦ୍ୟାର ଆକ୍ଷା ପ୍ରଦାନ କରିଛନ୍ତି । ରୋଷଘର ତାପମାତ୍ରା ବହୁଳ ଭାବରେ ରହୁଥିବାରୁ ସାକ୍ଷାତ ମା ଦକ୍ଷିଣକାଳୀ ସେବକ ମାନଙ୍କ ଶ୍ରୀଅଙ୍ଗଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ।
ଏଠାରେ ପ୍ରତିଦିନ ଦଶ ହଜାର ରୁ ଲକ୍ଷେ ପର୍ଯ୍ୟନ୍ତ ମହାପ୍ରସାଦ ପ୍ରସ୍ତୁତ ହୋଇଥାନ୍ତି ।
ପ୍ରତ୍ୟେକ ଚୁଲିର ୬ ଗୋଟି ପଖା ବା ମୁଖ ଅଛି । ଏ ଚୁଲି ସମଗ୍ର ଭାରତ ବର୍ଷରେ କେଉଁଠାରେ ନାହିଁ । ଏହି ଚୁଲି ସମ୍ପୁର୍ଣ୍ଣ ବେଦ ବୈଦିକ ବିଧାନ ଅନୁସାରେ ରୋଷଶାଳାଟି ପ୍ରସ୍ତୁତ । ଅଗ୍ନିଙ୍କର ଯେପରି ୬ ଗୋଟି ମୁଖ ରହିଛି, ଚୁଲିର ମଧ୍ୟ ୬ ଗୋଟି ପଖା ରହିଛି ।
କଥାରେ ଅଛି, ବାହାର ଲୋକ ଆମ ରୋଷେଇ ଘର ଦେଖିଲେ ହାଣ୍ତି ମାରା ହୁଏ, ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ସର୍ବସାଧାରଣଙ୍କୁ ଦେଖିବା ମନା ।
ମହାପ୍ରଭୁଙ୍କର ଅନ୍ନ ବ୍ୟଞନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରି ପ୍ରସ୍ତୁତ କରାଯାଏ ନାହିଁ । ରୋଷଶାଳାର ରକ୍ଷକ ହେଉଚନ୍ତି ମା ଦକ୍ଷିଣକାଳୀ ଓ ରୋଷ ଗଣେଶ ।
ଅଲୌକିକ କଥା ହେଉଛି, ବାହ୍ୟ ତାପମାତ୍ରା ଠାରୁ ରୋଷଶାଳା ତାପମାତ୍ରା ଅଧିକ ରୁହେ । ମନେକର, ଶ୍ରୀକ୍ଷେତ୍ରରେ ୩୦ଡିଗ୍ରୀ ତାପମାତ୍ରା ଥାଏ ତେବେ ସେହି ସମୟରେ ରୋଷଘର ତାପମାତ୍ରା ୧୫ ରୁ ୨୦ ଡିଗ୍ରୀ ତାପମାତ୍ରା ଅଧିକ ଥାଏ।
ବ୍ୟବହୃତ ପରିବା:
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥଆଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ ।
ମସଲା: ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଶୁଦ୍ଧ ଘିଅ ବ୍ୟବହୃତ ହୁଏ ।
ଆନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି ।