Latest Odisha News

BREAKING NEWS

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଟ୍ରାଫିକ ଧରପଗଡ। ନିୟମ ଉଲଂଘନ କଲେ ଦେବାକୁ ପଡିବ ଜୋରିମାନା, ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କତ୍ତୃପକ୍ଷ ଟ୍ରାଫିକ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶନାମା ଅନୁଯାୟୀ ଆଜିଠାରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ। ଚାରି ଦିନିଆ ସ୍ପେଶାଲ ଡ୍ରାଇଭରେ ବିନା ହେଲମେଟରେ ଗାଡି ଚଲାଇବା, ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା, ସିଟ୍ ବେଲ୍ଟ ନବାନ୍ଧି ଗାଡି ଚଳାଇବା ଏବଂ ଅଧିକ ବେଗରେ ଗାଡି ଚଲାଇବା ଉପରେ ଚେକିଂ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ ସକାଳ ୯ଟାରୁ ଅପରାହ୍ନ ୨ ଟା ଏବଂ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଏହି ଚେକିଂ ଚାଲିବ। ଯଦି ଗାଡି ଡ୍ରାଇଭର ବିନା ଲାଇସେନ୍ସରେ ଗାଡି ଚଳାଉଥିବାର ଦେଖିବାକୁ ମିଳିବ ତାହେଲେ ସେହି ଗାଡି ଜବତ ହେବ। ସେହିଭଳି  ବିନା ହେଲମେଟରେ ଗାଡି ଚଳାଉଥିବାର ଧରାପଡିଲେ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ ହୋଇପାରେ।

ଉଲ୍ଲେଖଯୋଗ୍ୟ, ଦୁଇ ଚକିଆ ଯାନରେ ଦୁର୍ଘଟଣା ପରେ ଗୁରୁତର ହେଉଥିବା ଅଧିକାଂଶ ହେଲମେଟ ପିନ୍ଧିନଥିବାର ନଜିର ରହିଛି। ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୮୬୮ ବାଇକ ଚାଳକ ଏବଂ ୪୪୦ ଜଣ ପଛ ସିଟରେ ବସିଥିବା ଯାତ୍ରୀଙ୍କ ସମେତ ପ୍ରାୟ ୧,୩୦୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିଲେ।

ସଡ଼କ ଦୁର୍ଘଟଣାରେ ଅତି କମରେ ୧,୨୮୦ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଗାଡି ଚାଳକ ଏବଂ ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲମେଟ ପିନ୍ଧିନଥିଲେ ୧୦୦୦ ଟଙ୍କା ଜୋରିମାନା ସହିତ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରିବାର ବ୍ୟବସ୍ଥା ରହିଛି।

Leave A Reply

Your email address will not be published.