Latest Odisha News

BREAKING NEWS

ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର

ଭୁବନେଶ୍ୱର : ମାତ୍ରାଧିକ କୀଟନାଶକ ବ୍ୟବହାର ଉଭୟ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବେଶ ପ୍ରଭାବ ପକାଉଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ହେଉଛି କୃଷକମାନଙ୍କୁ ଜୈବିକ ଚାଷର ପାରମ୍ପରିକ ପଦ୍ଧତିରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବା । ଜୈବିକ ଚାଷ ଓଡ଼ିଶାର ଭବିଷ୍ୟତ, ଆମେ ପୁନର୍ବାର ଆମ ଅତୀତକୁ ଫେରିଯିବା । କୌଣସି ରାସାୟନିକ ପଦାର୍ଥ ବା କୀଟନାଶକର ବ୍ୟବହାର ନ କରି ଗାଈ ଗୋବର, ଜିଆ ଖତା, ପନିପରିବା ଚୋପାରୁ ପ୍ରସ୍ତୁତ କମ୍ପୋଷ୍ଟ ଆଦି ବ୍ୟବହାର କରି ଜୈବିକ ଭାବେ ପନିପରିବା , ଫଳ କିମ୍ବା ଶସ୍ୟ ଆଦି ଚାଷକୁ ପ୍ରୋତ୍ସାହିତ କରିପାରିବା ବୋଲି ଓଡିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ “ଜୈବିକ ଚାଷ ପାଇଁ ବଜାର ସୁଯୋଗ ” ବିଷୟବସ୍ତୁ ଉପରେ ଆୟୋଜିତ ୱେବିନାରରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗଦେଇ ମତ ରଖିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ,‘ରାଜ୍ୟ ସରକାର ଜୈବିକ ଚାଷ କୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବା ଆବଶ୍ୟକ । ଯେପରିକି ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର । ଓଡିଶା କର୍ପୋରେଟ ଫାଉଣ୍ଡେସନ ମାଧ୍ୟମରେ ଆମେ ଯଦି ଚାଷୀ ଏବଂ ମାର୍କେଟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିପାରିବା ତେବେ ଚାଷୀମାନେ ଉପକୃତ ହେବା ସହିତ ଜୈବିକ ଚାଷ ଦିଗରେ ମନ ବଳାଇବେ। ଆମକୁ ଜୈବିକ ଉତ୍ପାଦ ଗୁଡିକ ସଂଗୃହିତ କରି ଏହାର ମାନ ନିର୍ଧାରଣ କରିବା ଦିଗରେ କାର‌୍ୟ୍ୟକରିବା ଆବଶ୍ୟକ ।’

ଏହି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ କହିଥିଲେ ଯେ, ଜୈବିକ ଚାଷର ସଫଳତା ଏବଂ ବିଫଳତା ଏହାର ବ୍ୟବସାୟ ଉପରେ ନିର୍ଭର କରେ । ଆମକୁ ଜୈବିକ ଉତ୍ପାଦର ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେବା ଆବଶ୍ୟକତା ରହିଛି । ଯାହା ଫଳରେ ଆମେ ଏହି ଉତ୍ପାଦଗୁଡିକ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିବା । ଏହି କ୍ଷେତ୍ରରେ ବ୍ୟାପକ ପରିସର ରହିଛି । ଚାଷୀମାନେ ଏହାର ପ୍ରଚାର ପ୍ରସାର ଏକାକୀ କରିପାରିବେ ନାହିଁ । ତେଣୁ ଓସିଏଫ ‌ଭଳି ସଂସ୍ଥା ଓ ସରକାର ଏହାର ମଙ୍ଗ ଧରିବା ଆବଶ୍ୟକ । ଯାହାଫଳରେ ଉତ୍ପାଦକ ଏବଂ ଉପଭୋକ୍ତା ମଧ୍ୟରେ ପ୍ରତ୍ୟକ୍ଷ ଭାବେ ସଂପର୍କ ସ୍ଥାପନ କରିହେବ ।

କୃଷି ମନ୍ତ୍ରଣାଳୟ ଅଧୀନ ଜୈବିକଚାଷ ଆଞ୍ଚଳିକ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଅଜୟ ସିଂ ରାଜପୁତ ଜୈବିକ ଚାଷ ପ୍ରଣାଳୀରେ ଯେଉଁ ଫସଲ ଅମଳ ହୁଏ ତାହା ଖାଇବା ଦ୍ୱାରା ଏହା ଆମର ରୋଗ ପ୍ରତିରୋଧକ ଶକ୍ତି କିପରି ବୃଦ୍ଧି କରିଥାଏ ସେ ନେଇ ଆଲୋଚନା କରିଥିଲେ । ଜୈବିକ ଚାଷ କ୍ଷେତ୍ରରେ ୫ଟି ବିଷୟରେ ଅଲୋକପାତ କରିଥିଲେ । ଏକ ଏକର ଚାଷ ଜମିରେ ଚାଷୀ ଏହି ପଦ୍ଧତିରେ ଚାଷ କଲେ ପ୍ରତ୍ୟେକ ଦିନ ୧୦୦୦ ଟଙ୍କା ରୋଜଗାର କରିବାର ବିଶ୍ୱାସ ଜନ୍ମାଇ ପାରିଲେ ବହୁଚାଷୀ ଏହି ପଦ୍ଧତିକୁ ଆପଣାଇ ପାରିବେ ବୋଲି ଡ. ରାଜପୁତ କହିଥିଲେ ।

ଜୈବିକ ସାର ପ୍ରୟୋଗ ଦ୍ୱାରା ମାଟିର ଗୁଣାବତ୍ତା ବୃଦ୍ଧି ପାଇଥାଏ ଏବଂ ଚାଷ ଅମଳ ଭଲ ହେବା ସହ ଏହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । ଓଡିଶାରେ ଜୈବିକ ଚାଷ କ୍ଷେତ୍ରରେ ଏକ ବିପ୍ଲବ ଆଣିବା ନିମନ୍ତେ ପ୍ରଥମେ ଓଡିଶାକୁ ଜୈବିକ କୃଷି କ୍ଷେତ୍ର ଭାବେ ଘୋଷଣା କରିବା ସହିତ ରସାୟନିକ କୀଟନାଶକ ବ୍ୟବହାର ଉପୁରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି । ଏପରି କରିପାରିଲେ ଜୈବିକ କୃଷି କ୍ଷେତ୍ରରେ ଆମକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ରହିବ ନାହିଁ ବୋଲି ଗ୍ରୀନ ବେ ବାୟୋଟେକର ନିର୍ଦେଶକ ଆଲୋକ ଅଗ୍ରୱାଲ କହିଥିଲେ ।

ଭିଜନ ଇକୋ ଫାର୍ମର ପ୍ରତିଷ୍ଠାତା ନଟବର ରାଉତ କହିଥିଲେ ଯେ କୃଷି କ୍ଷେତ୍ରରେ ଜ୍ଞାନ ଆହରଣ କରିବା ପାଇଁ ଓଡିଶା ହେଉଛି ଉତ୍କୃଷ୍ଟ ସ୍ଥାନ । ଜୈବିକ ଚାଷକୁ ଅନୁଶାସନର ସହସଂଗଠିତ ଭାବେ କରିବା ଆବଶ୍ୟକ, ଯଦିଓ ଆମ ପୂର୍ବ ପୁରୁଷମାନେ ଏହି ପଦ୍ଧତି ବ୍ୟବହାର କରି ଚାଷ କରୁଥିଲେ ସମୟକ୍ରମେ ରସାୟନିକ ପଦ୍ଧତି ଏହାର ରାସ୍ତା ଅବରୋଧ କରିଛି । ଆମ ରାଜ୍ୟର ଲୋକାମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ।

ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ ମଡରେଟର ଭାବେ ଆଲୋଚନାରେ ଅଂଶ ଗ୍ରହଣ କରି ଜୈବିକ ଚାଷର ଚାହିଦା ବୃଦ୍ଧି ସହ ଏହି ଉତ୍ପାଦର ଉପଯୁକ୍ତ ବ୍ୟବସାୟୀକରଣ କିପରି କରାଯାଇପାରିବ ଏବଂ ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓସିଏଫ୍‌ର ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.