Latest Odisha News

ବିଜେଡି କଳିରୁ ଫାଇଦା ନେବ ବିଜେପି !

ଭୁବନେଶ୍ଵର: ଖଣ୍ଡପଡା ବିଜେଡି ଖଣ୍ଡ ଖଣ୍ଡ ! ପ୍ରଥମେ ଗଲେ ଅନୁଭବ ପରେ ଗୟାଧର ବିଦା। ଫେରିଲେନି ସୌମ୍ୟ ପଟ୍ଟନାୟକ ! ଟିକେଟ୍ ଘୋଷଣା ପରଠୁ ଜଣକ ପରେ ଜଣେ ଆଶାୟୀ ବିଜେଡି ଛାଡିଛନ୍ତି । ମହିଳା କାର୍ଡ ଖେଳି ଖଣ୍ଡପଡା ଗଡ ରକ୍ଷା କରିବାକୁ ଯୋଜନା କରୁଥିବା ବିଜେଡି ପାଇଁ ଏବେ ବଢିଲାଣି ଚ୍ୟାଲେଞ୍ଜ । ସ୍ବାଧୀନ ଲଢି ବିଜେଡି ଭୋଟ୍ କାଟିବେ କି ଅନୁଭବ ପଟ୍ଟନାୟକ? ବିଜେପିରେ ଗୟାଧର, ହେବେ କି ଗେମ୍ ଚେଞ୍ଜର ? ସୌମ୍ୟ ବିଜେପିକୁ କରିବେ କି ନିରବ ସମର୍ଥନ ? ବିଜେଡି ଘରକଳିରୁ ଏଥର ବିଜେପି ନେବ କି ଫାଇଦା ?

ଗୟାଧର ହେବେ ଗେମଚେଞ୍ଜର !
ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିବା ପରଠୁ ଜଳଜଳ ଦିଶୁଛି ବିଜେଡି ଫାଟ । ଅନ୍ୟତମ ଟିକେଟ ଆଶାୟୀ ଗୟାଧର ପରିଡା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ଦଳ ପକ୍ଷରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିବା କୁହାଯାଉଛି । ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ଭାପୁର ବ୍ଲକ ଅଧ୍ୟକ୍ଷ ଥିବା ଗୟାଧର ଜଣେ ତୃଣମୂଳସ୍ତରର ସଂଗଠକ । ସେ ବିଜେପିକୁ ଯିବା ପରେ ବିଜେଡି ଭୋଟ୍ କାଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜେଡିକୁ `ଅନୁଭବ’ ଅଡୁଆ !
ଦିନେ ବିଜେଡିରୁ ବିଧାୟକ ରହିଥିବା ଅନୁଭବ ପଟ୍ଟନାୟକ ଏବେ ବିଜେଡି ବିରୋଧରେ ନିର୍ବାଚନ ମଇଦାନରେ । ଟିକେଟ୍ ନମିଳିବା ପରେ ବିଜେଡି ଛାଡିଥିଲେ ଅନୁଭବ । ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ୨୦୧୪ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ଅନୁଭବ ପଟ୍ଟନାୟକ ନିର୍ବାଚନରେ ବିଜେଡିର ଭୋଟ୍ କାଟିପାରନ୍ତି । ବର୍ଷ ବର୍ଷ ଧରି ଖଣ୍ଡପଡା ରାଜନୀତିରେ ସକ୍ରିୟ ରହିଥିବା ଅନୁଭବଙ୍କର ନିଜସ୍ବ ସଂଗଠନ ରହିଛି । ତାଙ୍କ ବାପା ଓ ମାଆ ଉଭୟ ରାଜନୀତିରେ ରହିଥିଲେ । ଅନୁଭବଙ୍କ ପରିବାରର ସ୍ବତନ୍ତ୍ର ସପୋର୍ଟ ବେସ୍ ରହିଛି । ତେଣୁ ଏଥର ବିଜେଡି ପାଇଁ ଅଡୁଆ ହୋଇପାରନ୍ତି ଅନୁଭବ ।

ସୌମ୍ୟଙ୍କ ସମର୍ଥନ କେଉଁଆଡେ ?
ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁଙ୍କୁ ପୂର୍ବତନ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିରବ ସମର୍ଥନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୌମ୍ୟ ଖଣ୍ଡପଡା ରାଜନୀତିରେ ବଡ ଫ୍ୟାକ୍ଟର । ୨୦୧୯ରେ ୧ଲକ୍ଷରୁ ଅଧିକ ଭୋଟ୍ ପାଇ ରେକର୍ଡ ବ୍ୟବଧାନରେ ଜିତିଥିଲେ ସୌମ୍ୟ । ଏହାପୂର୍ବରୁ ୨୦୦୯ ଓ ୨୦୧୪ରେ ବି ଖଣ୍ଡପଡାରୁ ଲଢିଥିଲେ ସୌମ୍ୟ । ୨୦୧୪ରେ ଖୁବ୍ କମ୍ ବ୍ୟବଧାନରେ ସୌମ୍ୟଙ୍କଠାରୁ ଜିତିଥିଲେ ଅନୁଭବ ପଟ୍ଟନାୟକ । ତେଣୁ ଖଣ୍ଡପଡାରେ ସୌମ୍ୟଙ୍କର ନିଜସ୍ବ ଭୋଟବ୍ୟାଙ୍କ ରହିଛି । ବଡ଼ ସଂଗଠନ ସାଙ୍ଗକୁ ଲୋକସଂପର୍କ ବି ଭଲ ରହିଛି । ସୌମ୍ୟଙ୍କ ସମର୍ଥନ ଦୁଷ୍ମନ୍ତଙ୍କୁ ଗଲେ ବଦଳିପାରେ ଖଣ୍ଡପଡା ଖେଳ ।

ବିଜେଡି କଳିରୁ ବିଜେପିର ଲାଭ !
ଟିକେଟ୍ ଅସନ୍ତୋଷକୁ ନେଇ ଖଣ୍ଡପଡା ବିଜେଡିର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଅନୁଭବ ହୁଅନ୍ତୁ କି ଗୟାଧର, ବିଜେଡିରୁ ମୁହଁ ମୋଡିବା ପରେ ଦଳ ଆଗରେ ସଂଗଠନ ସଂକଟ ବି ଠିଆ ହୋଇପାରେ । ଉଭୟ ଦଳର ପୁରୁଣା ନେତା ହୋଇଥିବାରୁ ସେମାନଙ୍କର ନିଜସ୍ବ ସଂଗଠନ ବି ରହିଥିଲା । ତେଣୁ ଦଳକୁ ଭୋଟ ବିଭାଜନ ଝଟକା ଲାଗିପାରେ। ଦଳ ଭିତର କନ୍ଦଳକୁ ଭୋଟର କିଭଳି ଗ୍ରହଣ କରିବେ, ତାଉପରେ ବି ନଜର ରହିବ ।

କୁଆଡେ ଯିବ ସିଦ୍ଧାର୍ଥଙ୍କ ଭୋଟ୍ ?
୨୦୦୯ରେ ବିଜେଡିରୁ ବିଧାୟକ ହୋଇଥିବା ସିଦ୍ଧାର୍ଥ ଶେଖର ସିଂହ ବିଜେପିରେ । ଗତଥର ସେ ବିଜେପି ଟିକେଟରେ ଲଢି ହାରିଥିଲେ । ଏଥର ସେ ବିଜେପି ଟିକେଟ୍ ଆଶାୟୀ ରହିଥିଲେ, ତେବେ ତାଙ୍କ ବଦଳରେ ଦୁଷ୍ମନ୍ତ ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ କାହାକୁ ସମର୍ଥନ କରିବେ ସିଦ୍ଧାର୍ଥ ? ଖଣ୍ଡପଡା ରାଜନୀତିରେ ରାଜପରିବାରର ଦବଦବା ରହିଛି । ସିଦ୍ଧାର୍ଥଙ୍କ ବାପା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ କଂଗ୍ରେସ ସରକାରରେ ଶାସକ ଦଳ ଉପମୁଖ୍ୟ ସଚେତକ ରହିଥିଲେ । ତେଣୁ ଏଥର ସିଦ୍ଧାର୍ଥଙ୍କ ସମର୍ଥନ ନିର୍ଣ୍ଣାୟକ ହୋଇପାରେ ।

ଦୁଇରୁ ଏକ ହେଇଯିବେ ଦୁଷ୍ମନ୍ତ !
ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଗତଥର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଦ୍ବିତୀୟ ନମ୍ବରରେ ରହିଥିଲେ । ଏଥର ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ରାଜନୀତି ଗୋଳିଆ ପାଣି ହେବା ବେଳେ ଦୁଷ୍ମନ୍ତଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢୁଥିବା କୁହାଯାଉଛି । ଗୟାଧର ବିଜେପିରେ ସାମିଲ ହେବା ପରେ ଦୁଷ୍ମନ୍ତ ଆହୁରି ସୁବିଧାଜନକ ସ୍ଥିତିକୁ ଯାଇପାରନ୍ତି । ତେଣୁ ଖଣ୍ଡପଡାରେ ବଦଳୁଥିବା ରାଜନୈତିକ ସମୀକରଣ, ବିଜେପି ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.