ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି କରିବେ କି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର? ପରଦା ପଛରେ ରହୁଥିବା ନିଶାନ୍ତ ଗତ ଜାନୁଆରୀ ୮ତାରିଖରେ ବାପା ନୀତିଶଙ୍କ ସହ ବଖତିଆରପୁର ଯାଇଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ଭବ ହେଲେ ତାଙ୍କ ବାପା ନୀତିଶ କୁମାରଙ୍କ ଭୋଟ୍ ଦେଇ ପୁଣି କ୍ଷମତାକୁ ଆଣିବାକୁ ଅପିଲ୍ କରିଥିଲେ ନିଶାନ୍ତ । ଏହାପରଠୁ ନିଶାନ୍ତ ସକ୍ରିୟ ରାଜନୀତିକୁ ଆସିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ଏଣ୍ଟ୍ରି କରିବେ କି ନିଶାନ୍ତ? ରାଜନୀତିରେ ବଂଶବାଦର ବିରୋଧୀ ନୀତିଶ ପୁଅକୁ ସକ୍ରିୟ ରାଜନୀତିକୁ ଆଣିବେ କି ?
ହୋଲି ପରେ ନିଶାନ୍ତଙ୍କ ଏଣ୍ଟ୍ରି !
ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ଜେଡିୟୁରେ ନୀତିଶଙ୍କ ଉତ୍ତରାଧିକାରୀଙ୍କ ଏଣ୍ଟ୍ରି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଖବରକାଗଜର ରିପୋର୍ଟ ଅନୁସାରେ ହୋଲି ପରେ ସକ୍ରିୟ ରାଜନୀତିକୁ ଆସିପାରନ୍ତି ନିଶାନ୍ତ । ନିଶାନ୍ତ ରାଜନୈତିକ ପାରି ଖେଳିବାକୁ ପ୍ରସ୍ତୁତ ଅଛନ୍ତି, କେବଳ ନୀତିଶଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରାଯାଇଥିବା କୁହାଯାଉଛି । ବଖତିଆରପୁରରେ ପ୍ରଥମ ଥର ପାଇଁ ସାର୍ବଜନୀନ ଅପିଲ୍ କରିଥିଲେ ନିଶାନ୍ତ । ଏହାପୂର୍ବରୁ ୨୦୧୫ରେ ନୀତିଶଙ୍କ ଶପଥ ଗ୍ରହଣ ସମାରୋହରେ ରାଜନୈତିକ ମଞ୍ଚରେ ତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଗତିଶୀଳ ବିଚାରଧାରା ରଖିଥିବା ନିଶାନ୍ତ ରାଜନୀତିକୁ ଆସିବା ଉଚିତ ବୋଲି ବହୁ ଜେଡିୟୁ ନେତା କହିଛନ୍ତି ।
ଦଳ ବଞ୍ଚାଇବାକୁ ନିଶାନ୍ତ ପ୍ଲାନ୍ !
ଗତ ବର୍ଷେ ହେଲା ନୀତିଶ କୁମାରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚର୍ଚ୍ଚା ହୋଇଆସୁଛି । ନୀତିଶଙ୍କ ଅସୁସ୍ଥତାକୁ ନେଇ ତାଙ୍କ ଦଳର ନେତା ତଥା ରାଜନୈତିକ ଶୁଭେଚ୍ଛୁ ଚିନ୍ତା ପ୍ରକାଶ କରିଛନ୍ତି । ତେଣୁ ନୀତିଶ କୁମାରଙ୍କ ପକଡ ଜେଡିୟୁ ଉପରେ ଦୁର୍ବଳ ହେବା ପୂର୍ବରୁ ଦଳରେ ପାଓ୍ବାର ଷ୍ଟ୍ରଗଲ୍ ରୋକିବାକୁ ହେଲେ ଏବେଠୁ ଜେଡିୟୁର ଉତ୍ତରାଧିକାରୀ ଭାବେ ଯୋଗ୍ୟ ନେତାଙ୍କୁ ବାଛିବା ଆବଶ୍ୟକ । ନୀତିଶଙ୍କ ଉତ୍ତରାଧିକାରୀ ଭାବେ ନିଶାନ୍ତ ସବୁଠୁ ଭଲ ପସନ୍ଦ ହୋଇପାରନ୍ତି । କାରଣ ଦଳର ସର୍ବମାନ୍ୟ ନେତା ନୀତିଶ କୁମାରଙ୍କ ପୁଅ ଦଳର ନେତୃତ୍ବ ନେଲେ ଏହାକୁ ନେଇ ଦଳ ଭିତରେ ବିଦ୍ରୋହ ହେବା ଆଶଙ୍କା କମ୍ ରହିବ ।
ଜେଡିୟୁ ପାଇଁ ନିଶାନ୍ତ ଜରୁରୀ
ନୀତିଶ କୁମାରଙ୍କ ନେତୃତ୍ବରେ ଜେଡିୟୁକୁ ଅର୍ଥନୈତିକ ପଛୁଆ ବର୍ଗଙ୍କ ସମର୍ଥନ ମିଳିଆସୁଛି । ଆଉ କୋର ଭୋଟରଙ୍କ ପାଇଁ ହିଁ ଗତ ତିନି ଦଶନ୍ଧୀ ଧରି ବିହାରରେ ରାଜ୍ କରିଆସୁଛନ୍ତି ନୀତିଶ । ତେବେ ଯେତେଦିନ ପର୍ଯ୍ୟନ୍ତ ନୀତିଶ ସକ୍ରିୟ ରହିବେ ଏହି ଭୋଟବ୍ୟାଙ୍କ ନୀତିଶଙ୍କ ସହ ରହିବ । ହେଲେ ତାପରେ ଭୋଟବ୍ୟାଙ୍କ ହାତେଇବାକୁ ଅନ୍ୟ ଦଳ ଉଦ୍ୟମ କରିବେ । ସେହିପରି ନୀତିଶ ଦୁର୍ବଳ ହେଲେ ଦଳର ନେତା ନିଜ ରାଜନୈତିକ ଅସ୍ତିତ୍ବ ବଞ୍ଚାଇବାକୁ ଯାଇ ବିଜେପି କିମ୍ବା ଆରଜେଡିରେ ମିଶିପାରନ୍ତି । ତେବେ ନିଶାନ୍ତଙ୍କୁ ଚେହେରା କଲେ ଜେଡିୟୁ ନିଜ ଅସ୍ତିତ୍ବ ବଞ୍ଚାଇବାରେ ସଫଳ ହୋଇପାରିବ ।
ନୀତିଶଙ୍କ ପାଇଁ ବି ନିଶାନ୍ତ ଜରୁରୀ
କେବଳ ଜେଡିୟୁ ନୁହେଁ ନୀତିଶଙ୍କ ପାଇଁ ବି ନିଶାନ୍ତ ଜରୁରୀ । ଦେଶରେ କେବଳ ବିଜେପି ଓ ବାମଦଳକୁ ଛାଡିଦେଲେ ଅଧିକାଂଶ ରାଜନୈତିକ ଦଳରେ ବଂଶବାଦ ଦେଖିବାକୁ ମିଳେ। ଏପରିକି ପରିବାରରୁ ଉତ୍ତରାଧିକାରୀ ନହେବା ଦ୍ବାରା ଅନେକ ଦଳର ପତନ ହୋଇଛି । ଏହାର ବଡ ଉଦାହରଣ ହେଉଛି ତାମିଲନାଡୁର ଏଆଇଏଡିଏମକେ । ସେଥିପାଇଁ ବିଏସପି ମୁଖ୍ୟ ମାୟାବତୀ ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜ ସଂପର୍କୀୟଙ୍କୁ ଆଗକୁ ଆଣିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ଉପରେ ଅଧିକ ବିଶ୍ବାସ ରହିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ କିମ୍ବା ଶଶି ଥରୁରଙ୍କ ଉପରେ ସମାନ ବିଶ୍ବାସ ନାହିଁ । ଡିଏମକେର ଏମକେ ଷ୍ଟାଲିନ ହୁଅନ୍ତୁ କି ଜେଏମଏମର ହେମନ୍ତ ସୋରେନ କିମ୍ବା ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ସବୁଠି ପରିବାରରୁ ହିଁ ଦଳକୁ ନେତୃତ୍ବ ମିଳିଛି। ତେଣୁ ନିଶାନ୍ତଙ୍କୁ ନୀତିଶ ଦଳର ନେତୃତ୍ବ ଦେଇପାରନ୍ତି ବୋଲି କୁହାଯାଉଛି ।
ବିଟେକ୍ କରିଥିବା ନିଶାନ୍ତ ସବୁବେଳେ ରାଜନୀତିଠାରୁ ଦୂରରେ ରହିଛନ୍ତି । ୨୦୦୭ରେ ତାଙ୍କ ମାଆ ମଞ୍ଜୁ ସିହ୍ନାଙ୍କ ପରଲୋକ ପରେ ସେ ନୀତିଶଙ୍କ ସହ ମୁଖ୍ୟମନ୍ତ୍ରୀ ନିବାସରେ ରୁହନ୍ତି । ତେବେ ରାଜନୀତିରେ ସେତେଟା ଆଗ୍ରହ ଦେଖାଇ ନାହାନ୍ତି । ନିଶାନ୍ତଙ୍କ ରାଜନୈତିକ ସକ୍ରିୟତା ଜେଡିୟୁ ହିତରେ ହୋଇପାରେ ବୋଲି କୁହାଯାଉଛି ।
Comments are closed.