Latest Odisha News

BREAKING NEWS

କିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ବୋଲିଲେ ଗୀତଗୋବିନ୍ଦ, ଜାଣନ୍ତୁ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ କାବ୍ୟ ହେଉଛି ଗୀତଗୋବିନ୍ଦ । ଗୀତଗୋବିନ୍ଦ ଯେଉଁଠି ଗାୟନ ହୋଇଥାଏ ସେଠାକୁ ଯାଇ ମହାପ୍ରଭୁ ନିଜେ ଶୁଣିବାକୁ ଭଲ ପାଆନ୍ତି ବୋଲି କଥିତ ରହିଛି । ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଆଧ୍ୟାତ୍ମିକ ଅନୁଭୂତିରେ ଭରା ଅନେକ କିମ୍ବଦନ୍ତୀ ରହିଛି । ଗୀତଗୋବିନ୍ଦକୁ ନେଇ ଅନେକ ଭକ୍ତଙ୍କର ଅନୁଭୂତି ‘ଶ୍ରୀଭକ୍ତ ଚରିତ୍ରାମୃତ’, ‘ଅଲୌକିତ ଜୟଦେବ’ ଏବଂ ‘ଶ୍ରୀଜୟଦେବ’ ପରି ମହାନ ଗ୍ରନ୍ଥରେ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଠାକୁର ଭାବେ ବିଶ୍ୱବିତିତ । ମହାନ ଭାରତୀୟ ଆଧ୍ୟାତ୍ମିକ ଚେତନାର ପରମ ଓ ଚରମ ଅଭିବ୍ୟକ୍ତି ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶହ ଶହ କିମ୍ବଦନ୍ତୀ ରହିଛି । ଏପରିକି ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦକୁ ନେଇ ମଧ୍ୟ ରହିଛି ଅନେକ କିମ୍ବଦନ୍ତୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଭାବଗ୍ରାହୀ, ସେ ହେଉଛନ୍ତି ଅନ୍ତର୍ଯ୍ୟାମୀ । ଭକ୍ତର ଭାବରେ ବନ୍ଧା ତ ପ୍ରତିଟି ଅନ୍ତରର କନ୍ଦରରେ ସେ ବିରାଜମାନ କରିଥାଆନ୍ତି । ତାଙ୍କୁ ସ୍ୱଚ୍ଛ ହୃଦୟରେ ବ୍ୟାକୁଳ ମନରେ ଡାକିଲେ ସେ ଧରାଦିଅନ୍ତି । ତାଙ୍କର ପ୍ରିୟ ଗୀତଗୋବିନ୍ଦ ଯେଉଁ ଭକ୍ତ ବୋଲନ୍ତି ସେ ଧାଇଁଯାଆନ୍ତି ଟିକେ ଶୁଣିଦେଇ ଆସିବାକୁ । ସେ ହେଉଛନ୍ତି ରସୋତୀର୍ଣ୍ଣ ରସିକରାଜ ମହାପ୍ରଭୁ । ତାଙ୍କ ଲୀଳାର ପଟ୍ଟାନ୍ତର ନାହିଁ । ନିତିଦିନ ଖଣ୍ଡୁଆ ପାଟ ବୁଣୁଥିବା ଜଣେ ସାଧାରଣ ବୁଣାକାରକୁ ମଧ୍ୟ ଦର୍ଶନ ଦେଇଛନ୍ତି ଏହି ନୀଳାଚଳଧାମର ସର୍ବନିୟନ୍ତା ଶ୍ରୀଜଗନ୍ନାଥ ।

ପୁରୀ ଜିଲ୍ଲାରେ ଶ୍ରୀଜୟଦେବଙ୍କ ବାସଗୃହ ନିକଟରେ ଜଣେ ବୁଣାକାର ରହନ୍ତି । ସେ ବିଭିନ୍ନ ଲୁଗା ବୁଣିବା ସହିତ ଶ୍ରୀଜଗନ୍ନାଥଙ୍କ ଲାଗି ପ୍ରତିଦିନ ଖଣ୍ଡୁଆ ପାଟ ମଧ୍ୟ ବୁଣିଥାଆନ୍ତି । ଦିନେ ବୁଣାକାର ଜଣକ ଖଣ୍ଡୁଆ ପାଟରେ ଗୀତଗୋବିନ୍ଦ ଲେଖି ବୁଣିଲାବେଳେ ଗୀତଗୋବିନ୍ଦର ଦଶମ ସର୍ଗ ମନେପଡ଼ିଲା ନାହିଁ । ବୁଣାକାର ଜଣକ ଯେତେ ମନେ ପକାଇବାକୁ ଚେଷ୍ଟା କରିଲେ ମଧ୍ୟ ତାଙ୍କର ମନେ ପଡ଼ିଲା ନାହିଁ । ଦୁଃଖରେ ଭାଙ୍ଗିପଡ଼ିଲେ ବୁଣାକାର ଜଣକ । ଆଖିରେ ଅଶ୍ରୁ, କିପରି ଲେଖିବେ ଖଣ୍ଡୁଆ ପାଟରେ ଗୀତଗୋବିନ୍ଦର ଦଶମ ସର୍ଗ ! ଏମିତି ଭାବୁ ଭାବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ନିଜର ଦୁଃଖ ଜଣାଇଲେ । ହେ ମହାପ୍ରଭୁ ଏହି ଖଣ୍ଡୁଆ ପାଟରେ ତମରି ପ୍ରିୟ ଗୀତଗୋବିନ୍ଦ ହିଁ ଲେଖିବି । ମନେ ପଡୁନାହିଁ ଏହା କ’ଣ ଅସମ୍ପୂର୍ଣ୍ଣ ରହିଯିବ? ଏମିତି ଲୋତକପୂର୍ଣ୍ଣ ଚକ୍ଷୁରେ ଭାବି ଭାବି କାମ ବନ୍ଦ କରି ବସିରହିଲେ ବୁଣାକାର ଭକ୍ତ ଜଣକ । ଠିକ୍ ଏହି ସମୟରେ ତାଙ୍କ ଦୁଆର ପାଖରେ ମାୟାଧର ନାମକ ଜଣେ ସାଧୁ ଉପସ୍ଥିତ ହେଲେ । ସେ କହିଲେ ଏମିତି ମନମାରି କାହିଁକି ବସିଛ । କ’ଣ ଗୀତଗୋବିନ୍ଦ ମନେ ପଡୁନାହିଁ କି? ତମର ମନେ ପଡୁନଥିବା ଗୀତଗୋବିନ୍ଦର ଦଶମ ସର୍ଗ ଡାକିଦେଉଛି ଜଲଦି ଜଲଦି ଖଣ୍ଡୁଆରେ ଲେଖିପକାଅ । ବୁଣାକାର ଜଣକ କାଳବିଳମ୍ବ ନ’କରି ଗୀତଗୋବିନ୍ଦର ଦଶମସର୍ଗକୁ ସାଧୁ ମାୟାଧରଙ୍କ ନିକଟରୁ ଶୁଣି ଚଟାପଟ୍ ଲେଖିପକାଇଲେ । ଲେଖିଦେଇ ସାଧୁ ଜଣକ ସେଠାରୁ ଚାଲିଗଲେ ।

କିଛିସମୟ ପରେ ଖଣ୍ଡୁଆ ନେବାକୁ ସେଠାକୁ ଶ୍ରୀଜୟଦେବ ଆସିଲେ । ଦଶମ ସର୍ଗ ମନେ ପଡୁନଥିଲା ଏବଂ ମାୟାଧର ନାମକ ଜଣେ ସାଧୁ ଆସି କିପରି ସୁନ୍ଦର ସ୍ୱରରେ ଗୀତଗୋବିନ୍ଦ ବୋଲି ତାଙ୍କୁ ଶୁଣାଇଲେ ତାହା ବୁଣାକାର ଜଣକ ଶ୍ରୀଜୟଦେବଙ୍କୁ କହିଲେ । ଜୟଦେବ ଏହାଶୁଣି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ । ବୁଣାକାରଙ୍କୁ ଖୁସିରେ କୁଂଢାଇ ପକାଇଲେ ଶ୍ରୀଜୟଦେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ନିଜେ ଆସି ଗୀତଗୋବିନ୍ଦ ଗାଇ ଶୁଣାଇଛନ୍ତି ବୋଲି ବୁଣାକାରଙ୍କୁ କହିଲେ ଶ୍ରୀଜୟଦେବ ।

ଭକ୍ତ ବୁଣାକାର ଜଣକ ମହାପ୍ରଭୁଙ୍କ ଅମୃତ ଦର୍ଶନ ପାଇଥିବା ଯୋଗୁଁ ନିଜକୁ କୃତ୍ୟ କୃତ୍ୟ ମନେକଲେ । ସେବେଠାରୁ ହିଁ ଶ୍ରୀମନ୍ଦିରରେ ପ୍ରତିବର୍ଷ ବୁଣାକାରମାନେ କାର୍ତ୍ତିକ ମାସରେ ଗୀତଗୋବିନ୍ଦ ଖଣ୍ଡୁଆ ବୁଣି ତିନିଠାକୁରଙ୍କ ନିମନ୍ତେ ପ୍ରଦାନ କରିଆସୁଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତିର ଠାକୁର, ଭକ୍ତର ଭକ୍ତିରେ ହିଁ ସେ ଧରାଦିଅନ୍ତି । ସେ ଦାରୁବ୍ରହ୍ମ ରୂପେ ପୂଜା ପାଉଥିଲେ ମଧ୍ୟ ଜୀବନ୍ତ । କେଉଁକାଳରୁ କୋଟି କୋଟି ଭକ୍ତଜନ ତାଙ୍କର ଅପାର କରୁଣା ଲାଭ କରିଆସୁଛନ୍ତି । ପ୍ରକୃତରେ ଶ୍ରୀକ୍ଷେତ୍ରସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ଆଜି ଯାଏଁ ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଛି ।

Leave A Reply

Your email address will not be published.