Latest Odisha News

BREAKING NEWS

ରଥଯାତ୍ରାରେ ୧୦-୧୨ ଲକ୍ଷ ଜନସମାଗମ ହେବ ବୋଲି ରାଜ୍ୟ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ସବୁ ବିଗାଡି ଦେଇଥିଲା : ଗଜପତି

ଭୁବନେଶ୍ୱର: ଅନେକ ଦ୍ୱନ୍ଦ୍ୱ ଆଶା ଆଶଙ୍କା ଭିତରେ ଶେଷରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ପ୍ରଥମେ ୧୮ ତାରିଖରେ ରଥ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ପୁନଃବିଚାରର ଆବେଦନର ଶୁଣାଣି କରି କଟକଣା ଭିତରେ ରଥ ଯାତ୍ରା କରିବା ପାଇଁ ନିର୍ଦ୍ଦେ ଶ ଦେଇଥିଲେ କୋର୍ଟ । ତେବେ ଏତେସବୁ ଅନିଶ୍ଚିତତା ରାଜ୍ୟ ସରକାରଙ୍କ ଯୋଗୁଁ ହେଲା ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ।

ଦୁଇ ମାସ ତଳୁ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ଜୁନ ୯ରେ ହାଇକୋର୍ଟ ଓ ଗୃହ ମନ୍ତ୍ରଣାଳୟ ରଥଯାତ୍ରା ନେଇ ନିଷ୍ପତ୍ତି ରାଜ୍ୟ ସରକାର ନିଅନ୍ତୁ ବୋଲି କହିଥିଲେ । ସେତେବେଳେ ରଥ ଯାତ୍ରାକୁ ଆଉ ୧୨ ଦିନ ବାକି ଥିଲା । ତେବେ ସେହି ଦିନ ଯଦି ରାଜ୍ୟ ସରକାର ନିଷ୍ପତ୍ତି ନେଇଯାଇଥାନ୍ତେ ତେବେ ଏପରି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ଗଜପତି କହିଛନ୍ତି ।

ସରକାରଙ୍କୁ ଦୁଇ ମାସ ପୂର୍ବରୁ ଚିଠି ଲେଖିଥିଲେ ସୁଦ୍ଧା ଏ ନେଇ ସରକାର ଗଜପତିଙ୍କ ସହ କୌଣସି ଆଲୋଚନା କରି ନ ଥିବା ସେ ପ୍ରକାଶ କରିଛନ୍ତି । ସେପଟେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ହରିଶ ସାଲ୍‌ଭେ ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରିବାସବୁ ସମସ୍ୟା ଉପୁଜିଥିବା ସେ କହିଛନ୍ତି ।

ତେବେ ଏସବୁ ସେଇ ନଟିଆ ଠାକୁରଙ୍କ ନାଟ ବୋଲି କହିଛନ୍ତି ଗଜପତି । ସୁପ୍ରିମକୋର୍ଟ ପ୍ରଥମେ ଯାତ୍ରା ବନ୍ଦ ନେଇ ରାୟ ଦେବା ଓ ପରବର୍ତ୍ତୀ ସମୟରେ ରାୟ ପରିବର୍ତ୍ତନ କରିବା ଏକ ଅଲୌକିକ ବୋଲି ଗଜପତି କହିଛନ୍ତି ।

ଶେଷ ମୁହୁର୍ତ୍ତରେ ଅନୁମତି ମିଳିଥିବାରୁ ସବୁ କାମ ତରବରିଆ ହେଲା । ପୂର୍ବରୁ ଏ ନେଇ ନିଷ୍ପତ୍ତି ନିଆଯାଇଥିଲେ ହାତରେ ଅଧିକ ସମୟ ରହିଥାନ୍ତା ବୋଲି ଗଜପତି ସାକ୍ଷାତକାରରେ କହିଛନ୍ତି ।

Leave A Reply

Your email address will not be published.