Latest Odisha News

BREAKING NEWS

ଅପ୍ରେଲ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

ଭୁବନେଶ୍ବର : ବିଲୁପ୍ତ ପ୍ରାୟ ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ନିମନ୍ତେ ଆସନ୍ତା  ଅପ୍ରେଲ  ୨ ରୁ ୪  ତାରିଖ ପର୍ଯ୍ୟନ୍ତ  ତିନିଦିନ ଧରି ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ, ସ୍ଥାନୀୟ ଉତ୍କଳମଣ୍ଡପଠାରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେବାକୁ ହେଉଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ  ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇ କହିଛନ୍ତି ଯେ ସନ୍ତା  ଅପ୍ରେଲ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଉତ୍କଳ ମଣ୍ତପ ଠାରେ ପ୍ରତ୍ୟହ  ସନ୍ଧ୍ୟା ସାଢେ ୬ ଘଟିକା ଠାରୁ ଆରମ୍ଭ ହେବ । ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଅର୍ଥାତ ବଛାବଛା ୩୦ଟି ସାଂସ୍କୃତିକ ଦଳମାନଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୩୦୦ ଜଣ କଳାକାର ଯୋଗଦେବେ । ଏହି ଅବସରରେ ଆସନ୍ତା ୨ତାରିଖ ଅପରାହ୍ନରେ ରାମମନ୍ଦିରଠାରୁ ଉତ୍କଳ ମଣ୍ତପ ପର୍ଯ୍ୟନ୍ତ ସବୁ ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଭାଗ ପକ୍ଷରୁ ଜନସାଧାରଣମାନଙ୍କୁ ନିବେଦନ କରାଯାଇଛି ।

ଲୋକକଳା, ପାରମ୍ପରିକ ନୃତ୍ୟଗୀତ ଓ ଲୋକକଳାର ପୁନରୁଦ୍ଧାର, ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କ ଉନ୍ନତି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା  ୨୦୧୧ ମସିହାରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ମାତ୍ର କରୋନା ମହାମାରୀ ସମୟରେ ସାମୟିକ ଭାବେ ଏହା ବନ୍ଦ ରହିଥିବାବେଳେ ଚଳିତ ବର୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜନ କରାଯାଉଛି । ଏହି  ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରକ୍ତ ଶାସନ ସଚିବ ମଧୁସୂଦନ ଦାଶ, ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ବିଭାଗୀୟ ଉପ ନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ଉପ ନିର୍ଦ୍ଦେଶକ ଦେବାନନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.