ଭୁବନେଶ୍ୱର:‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ ’ ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଛି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟରେ ଆଖୁଚାଷକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଓ ସ୍ବତନ୍ତ୍ର ନୀତି ନିମନ୍ତେ ଆଲୋଚନା ହୋଇଥିଲା।
‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ କୃଷି ଭବନଠାରେ ଆୟୋଜିତ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ କରୁଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ପ୍ରସାରକୁ ତ୍ୱରାନ୍ୱିତ କରିବା, କୃଷକ ଉତ୍ପାଦକ ସଂଗଠନ-ଭିତ୍ତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
କର୍ମଶାଳାରେ କୃଷକମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, ଚାଷୀମାନେ କିପରି କମ ଖର୍ଚ୍ଚରେ ଅଧିକ ଚାଷ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ ମାଧ୍ୟମରେ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଆମ କ୍ଷେତକୁ ଆଣୁଛୁ । ଆମକୁ ପୁଣି ଥରେ ଆଖୁ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ ପଡିବ ।
ଚିନି କଳ, ଗବେଷଣା ପ୍ରତିଷ୍ଠାନ ଏବଂ କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ସୁଦୃଢ଼ ସମନ୍ୱୟ ଦ୍ୱାରା ଆମର ଚାଷୀମାନଙ୍କ ପାଇଁ ସମୟୋଚିତ କ୍ରୟ, ଉତ୍ତମ ଚିନି ଉତ୍ପାଦନ ଏବଂ ସ୍ୱଚ୍ଛ ମୂଲ୍ୟ ସୁନିଶ୍ଚିତ ହୋଇପାରିବ ବୋଲି ସମବାୟ ମନ୍ତ୍ରୀ ବଳସାମନ୍ତ ମତ ଦେଇଛନ୍ତି ।
ଏହି ଦୁଇଦିନିଆ କର୍ମଶାଳାରେ ଆଇସିଏଆର୍-ଆଇଆଇଏସ୍ଆର୍, ଆଇସିଏଆର୍-ଏସ୍ବିଆଇ, ଆଇସିଏଆର୍-ଆଇଆଇଡବ୍ଲୁ୍ୟଏମ୍, ଓୟୁଏଟି ଏବଂ ଆଇସିଏଆର୍-ସିଆର୍ଆର୍ଆଇ ପରି ଜାତୀୟ ଗବେଷଣା ସଂସ୍ଥାର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଷୟିକ ଅଧିବେଶନଗୁଡ଼ିକରେ ଉଚ୍ଚ-ଅମଳକାରୀ କିସମ, ମୃତ୍ତିକା ସ୍ୱାସ୍ଥ୍ୟ, ସମନ୍ୱିତ ପୁଷ୍ଟି ଏବଂ କୀଟ ପରିଚାଳନା, ସଠିକ୍ ଜଳସେଚନ ଏବଂ କୃଷି ଯାନ୍ତ୍ରିକୀକରଣ ବିଷୟରେ ଆଲୋଚନା କରାଯାଇଛି।

