Latest Odisha News

ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ବିରୋଧରେ ରାଜ୍ୟ ପ୍ରବକ୍ତା: ଲୋକେ ଗ୍ରହଣ କରିବେ କେମିତି?

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି କି ଏବେ ଗୋଷ୍ଠୀ କନ୍ଦଳ? ଦଳ 2009ରୁ ଶାସନରେ ନଥିବା ବେଳେ ପୁଣି ସରକାରରେ ଆସିବାକୁ କେନ୍ଦ୍ରୀୟ ନେତାମାନେ ଗୋଡକାଢ଼ି ବସିଛନ୍ତି । ତେବେ ଶାହ ଓଡ଼ିଶାରେ ସରକାର ଆସିବ ବୋଲି କହିଥିଲା ବେଳେ ଏଠି କିନ୍ତୁ ନେତା ଗୋଡଟଣାଟଣିରେ ବ୍ୟସ୍ତ । କେଉଁ ନେତା କେତେବେଳେ କାହାର ଗୋଡ଼ ଟାଣୁଛି ତାହା କହିବା ମୁକ୍ଦିଲ ।

ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଧାନସଭା ନିର୍ବାଚନ ହାରୁଛି ବିଜେପି । ଏପରିକି 2019 ପରେ ହୋଇଥିବା ଉପନିର୍ବାଚନ, ତା’ପରେ ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନ ଏବଂ ପୁଣି ତା’ପରେ ପୌର ନିର୍ବାଚନରେ ବିପର୍ଯ୍ୟୟ ଭୋଗିଛି । ନିୟମିତ ହାରିବା ପରେ ଓଡ଼ିଶାରେ ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କର ମନୋବଳ ଦିନକୁ ଦିନ ଭାଙ୍ଗିବାରେ ଲାଗିଛି ।

ଏଥିରେ ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଦଳ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ବିଶୃଙ୍ଖଳା ପଦାରେ ପଡ଼ିଯାଇଛି। ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟ ବିଜେପିର ପ୍ରବକ୍ତା ଠାକୂର ରଞ୍ଜିତ ଦାସ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକଙ୍କୁ ଧକ୍କା ମାରିବାର ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ପୁଣି ସମସ୍ତଙ୍କ ସାମନାକୁ ଆସିଛି ।

ଦଳୀୟ ମିଟିଂରେ ଶାହ ରାଜ୍ୟ ବିଜେପିକୁ ସୁଦୃଢ଼ କରିବା ପାଇଁ ମନ୍ତ୍ର ଫୁଙ୍କୁଥିବା ବେଳେ ଦଳ ସଜାଡିବାକୁ ନେଇ ରଣନୀତି କରୁଛନ୍ତି । ଦଳ କାହିଁକି ବିଫଳ ହେଉଛି ତାହାର କାରଣ ନିରାକରଣ ବିଷୟରେ ଆଲୋଚନା କରି ଦୋଷ ଦୁର୍ବଳତା କୁ ସୁଧାରିବାକୁ ନିର୍ଦେଶ ଦେଇଛନ୍ତି । ଏସବୁ ଭିତରେ କର୍ମୀଙ୍କ ଭିତରେ ଛକାପଂଝା ଭିଡିଓ ଦଳପାଇଁ ଚର୍ଚାର ଖୋରାକ ଯୋଗାଉଛି ।
ଏହି ଘଟଣା ରାଜ୍ୟ ବିଜେପିରେ ସବୁକିଛି ଠିକ୍ ଚାଲିନଥିବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହାକୁ ଅଧିକ ଖୋରାକ ଯୋଗାଇଛି । ବିଜେପିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣାମ ବୋଲି ପୁଣି ଚର୍ଚା ହେଉଛି । ଯାହା ବିଜେପିର ବରିଷ୍ଠ ନେତାଙ୍କ ଛବିକୁ ମଳିନ କରୁଛି।

ଅବଶ୍ୟ ଠାକୁର ରଞ୍ଜିତ ଦାସଙ୍କ ସହ କଣ ପାଇଁ ଧନେଶ୍ବରଙ୍କ ଠେଲାପେଲା ହେଲା ତାହା ର ଅସଲ କାରଣ କେହି କହୁନାହାଁନ୍ତି । କିନ୍ତୁ ଗହଳି ଭିତରେ ଶୃଖଂଳା ପାଇଁ ଏପରି ହୋଇଥିବା କେହି କହୁଥିବା ବେଳେ କେହି ଏହାକୁ ଗୋଷ୍ଠୀ କନ୍ଦଳ କହୁଛନ୍ତି । କେହି କେହି ଏହାକୁ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ ମଧ୍ୟରେ ଥିବା କ୍ଷମତା କନ୍ଦଳର ନାମ ଦେଉଛନ୍ତି ।

ସେପଟେ ରାଜ୍ୟ ବିଜେପି ପ୍ରବକ୍ତା ସୋନାଲି ସାହୁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବରେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ କିଛି ପ୍ରସଙ୍ଗରେ ବିରୋଧ କରି ଆସୁଛନ୍ତି। ଏସବୁକୁ ଦେଖିଲେ ବିଜେପି ଭଳି ଶୃଖଂଳିତ ଦଳରେ ବିଶୃଖଂଳା ଯେ ରହିଛି ତାହା ଲୋକେ ଅନୁଭବ କରି ଚର୍ଚା କରୁଛନ୍ତି ।

ନିକଟରେ ଖୋର୍ଦ୍ଧାରେ ଆୟୋଜିତ ଏକ ସଭାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରବକ୍ତା ସୋନାଲି ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତାହା ମଧ୍ୟ କିଛି ଦିନ ଚର୍ଚା ହୋଇଥିଲା । କଂଗ୍ରେସରେ ଥାଇ ଦିନେ ମୋଦୀଙ୍କ ପୋଷ୍ଟର ଉପରେ ଜୋତାମାଡ଼ କରୁଥିବା ଏବଂ ବିଜେପିର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ)କୁ ଶକୁନି ମାମାର ଆଖ୍ୟା ଦେଇଥିବା ରାଜ୍ୟ ପ୍ରବକ୍ତା ସୋନାଲି ସାହୁ ଙ୍କ ସାଂସଦଙ୍କ ପ୍ରତି ଏପରି ବ୍ୟବହାରକୁ ମଧ୍ୟ ଦଳରେ କିଛି ନେତା ଏବଂ କାର୍ଯ୍ୟକର୍ତ୍ତା ବିରୋଧ କରୁଥିବା ଚର୍ଚା ହେଉଛି ।

ଦଳର ସଂଗଠନ ବୃଦ୍ଧି କରିବା ପାଇଁ ନେତା ଧ୍ୟାନଦେବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରିବା ଏବେ ରାଜ୍ୟ ବିଜେପିରେ ଦେଖିବାକୁ ମିଳୁଛି । କଂଗ୍ରେସରୁ ଆସି ସୋନାଲି ସିଧାସଳଖ ବିଜେପି ରାଜ୍ୟ ପ୍ରବକ୍ତା ହେବା ପରେ ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ କିପରି ଆକ୍ଷେପ କରୁଛନ୍ତି ତାହାକୁ ମଧ୍ୟ ଲୋକେ ଗ୍ରହଣ କରିପାରୁନାହାଁନ୍ତି ।

ବିଜେପିକୁ ରାଜ୍ୟରେ ବଢ଼ାଇବା ପାଇଁ ଏବଂ ଲୋକଙ୍କ ଗ୍ରହଣୀୟ ହେବା ପାଇଁ ବିଜେପି ଆଗରେ ଅନେକ ସମସ୍ୟା ରହିଛି । ଏସବୁ ସମସ୍ୟାକୁ ଦୃଷ୍ଟି ନଦେଇ ନିଜ ନିଜ ଭିତରେ ଠେଲାପେଲାକୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ବଡ଼ ହୃଦୟର ସହ ନେତାମାନେ ଏକାଠି ହେବାପାଇଁ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଏଭଳି ଘଟଣା ଦଳକୁ କ୍ଷତି ପହଁଚାଉଛି । ବିଶେଷ କରି ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ, ରାଜ୍ୟ ପ୍ରବକ୍ତା ବିରୋଧ କରିବାକୁ ନେଇ ସାଧାରଣ ଲୋକେ ଗ୍ରହଣ କରିପାରୁନାହାଁନ୍ତି ।

Leave A Reply

Your email address will not be published.