କାମାକ୍ଷାନଗର: ବୟସ ୬୭ ଛୁଇଁଲାଣି । ହେଲେ ଜୁଇ ନିଆଁ ସହ ତାଙ୍କର ସମ୍ପର୍କ ତୁଟିନି । ଏବେ ବି ଆଖପାଖ ଅଞ୍ଚଳର କେହି ମରିଗଲେ ସେଠି କାନ୍ଧ ଦେବାକୁ ଠିଆ ହୋଇଯାଆନ୍ତି ଏହି ବୃଦ୍ଧ । ଶେଷ ଶଯ୍ୟାରେ ମଣିଷକୁ ଶୁଆଇ ନିଆଁ ଲଗାଇ ଦିଅନ୍ତି । ସେଇ ଜୁଇ ନିଆଁରେ ସେ ଦେଖନ୍ତି ତାଙ୍କର ଜେଜେ ବାପା, ଜେଜେ ମା, ବାପା, ମା’ ଓ ଏକମାତ୍ର ପୁଅକୁ । ସେ ସ୍ମୃତିକୁ ସତେଜ କରି ପୁଣି ଫେରନ୍ତି ଘରକୁ । ଆଖି ଆଗରେ ଗୋଟିଏ ପରେ ଗୋଟିଏ ଆପଣାର ଲୋକଙ୍କୁ ହରାଇବା ପରେ ସେ ବୁଝି ପାରିଛନ୍ତି ଜୀବନର ସତ୍ୟକୁ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁର ଅଲେଖ ବିହାରୀ ସାହୁ । ପିଲାଦିନର ଦୁଃଖ ଏ ଯାଏ ଭୁଲି ପାରିନାହାଁନ୍ତି । ଏ ଜାଏ ମନରୁ ଲିଭିନି ସେ ବିଚ୍ଛେଦର ନିଆଁ । ମାତ୍ର ୭ବର୍ଷ ବୟସରେ ଜେଜେ ବାପା ଓ ଜେଜେ ମାଆଙ୍କ ମୃତ୍ୟୁ, ୧୧ ବର୍ଷ ବୟସରେ ବାପା ଓ ମାଆଙ୍କୁ ହରାଇବାର ଦୁଃଖ । ତା ସହିତ ଯୁବାବସ୍ଥାରେ ଏକମାତ୍ର ପୁଅକୁ ବ୍ରେନ ମ୍ୟାଲେରିଆରେ ହରେଇବାର କଷ୍ଟ । ଏତେ ସବୁ ଦୁଃଖ ତାଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲା ।
ମଶାଣି ଭୂଇଁରେ ଆପଣାର ମଣିଷଙ୍କ ଜଳନ୍ତା ଜୁଇ ଦେଖି କାଠ ପଥର ହୋଇ ଯାଇଥିଲେ । ସେବେଠୁ ସେ ତାଙ୍କ ଆଖରେ ସାମ୍ନାରେ ଦେଖୁଛନ୍ତି ଜଳନ୍ତା ଜୁଇ । ନିଜ ହାତରେ ଶବ ଦାହ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଶବ ଦାହ କଲେଣି ଅଲେଖ ।
ଅଭାବ ଅନାଟନ ଭିତରେ ରହି ସାଇକେଲରେ ମଟର ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଇଥିଲେ । ତଥାପି ଆଖ ପାଖ ଅଞ୍ଚଳରେ ଯେଉଁଠି ଶବ ଦାହ ହେଲେ ସେଠାରେ ଅଲେଖଙ୍କୁ ଦେଖିବାକୁ ମିଳିଥାଏ । ପରେ ନିଜେ ଦୋକାନଟିଏ ଖୋଲି ଶେଷ କୃତ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ଖଇ ,କଉଡ଼ି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଜିନିଷପତ୍ର ବିକୁଛନ୍ତି । ଆବଶ୍ୟକ ପଡିଲେ ନିଜ ସ୍ୱଳ୍ପ ସମ୍ବଳରୁ ଗରିବ, ନିରୀହ ଲୋକଙ୍କୁ ମଧ୍ୟ ସାହାଯ୍ୟ ସହଯୋଗ କରୁଛନ୍ତି ।
ଏହି କାମ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଲେଣି । କାମାକ୍ଷାନଗରର ତତ୍କାଳୀନ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ମାନିତ କରି ସାରିଛନ୍ତି । ଅଲେଖଙ୍କ ପ୍ରତିଟି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ଧର୍ମପତ୍ନୀ ଗୌରୀ ସାହୁ । ସ୍ୱାମୀଙ୍କ ସୁଖ ଦୁଃଖରେ ସେ ସର୍ବଦା ସାଥି ହୋଇ ରହିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ବୋଲି ପ୍ରକାଶ କରିଛନ୍ତି ।
Comments are closed.