ଝାରସୁଗୁଡ଼ା: ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଭାବେ ପାଣି ବ୍ୟବହାର ଅଭିଯୋଗରେ ଶିଳ୍ପ ସଂସ୍ଥା ବେଦାନ୍ତ ଲିମିଟେଡ୍ ଉପରେ ଶନିବାର ଦିନ ୨୩୩.୧୧ କୋଟି ଟଙ୍କାର ମୋଟା ଅଙ୍କର ଜରିମାନା ଲଗାଯାଇଛି। ବୁର୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏହି ଜରିମାନା ଅର୍ଥ ପୈଠ କରିବା ପାଇଁ କମ୍ପାନୀକୁ ନୋଟିସ ଜାରି କରିଛନ୍ତି।
ଭୂରକାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ଭେଡେନ କେନାଲର ଏକ ଶାଖା କେନାଲ ‘ଖେରୁଆଲ କେନାଲ’ରୁ ବିନା ଅନୁମତିରେ ପାଣି ଉଠାଉଥିବା ନେଇ ଅଭିଯୋଗ ହୋଇଥିଲା।
ଏହି ବିଷୟଟି ପ୍ରଥମେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଉଠାଯାଇଥିଲା। ଏହାପରେ ବୁର୍ଲା ଜଳସେଚନ ବିଭାଗର ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରିବା ସହ ଅଭିଯୋଗର ସତ୍ୟତା ଯାଞ୍ଚ କରିଥିଲେ। ତଦନ୍ତ ପରେ ବେଆଇନ ଜଳ ଉଠାଣ ପ୍ରମାଣିତ ହୋଇଛି। କମ୍ପାନୀ ଉପରେ ମୋଟ ୨୩୩,୧୧,୨୪,୯୨୬ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।
ସୂଚନା ଅନୁଯାୟୀ, ଗତ ବର୍ଷ ମଇ ମାସରେ ବେଦାନ୍ତ ପ୍ରାୟ ୩୧ ଲକ୍ଷ କ୍ୟୁବିକ ମିଟର ପାଣି ବେଆଇନ ଭାବେ ଉଠାଇଥିଲା। ଏହା ବ୍ୟତୀତ ପ୍ରତି ମାସରେ ଲକ୍ଷ ଲକ୍ଷ କ୍ୟୁବିକ ମିଟର ଜଳ ଉଠାଣ ଜାରି ରହିଥିବା ରିପୋର୍ଟରୁ ଜଣାପଡିଛି। କେବଳ ମଇ ମାସର ବକେୟା ଦେୟ ପ୍ରାୟ ୨.୭୪ କୋଟି ଟଙ୍କା ପୈଠ ହୋଇନାହିଁ।
ଏହି ସମ୍ବେଦନଶୀଳ ଘଟଣା ଏବଂ ଜରିମାନା ନେଇ ବର୍ତ୍ତମାନ ସୁଦ୍ଧା ବେଦାନ୍ତ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଜଳ ସମ୍ପଦର ଏପରି ବେଆଇନ ବ୍ୟବହାରକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।