Latest Odisha News

BREAKING NEWS

ଏଠି ଖଟରେ ଶୋଇବା ମନା, ବିଶ୍ୱାସ ନା ଅନ୍ଧବିଶ୍ୱାସ ?

ନୂଆପଡ଼ା: ଧନୀ ହେଉ କି ଗରିବ ମଣିଷକୁ ନିଦ ଲାଗିଲେ ଶୋଇବାକୁ ଖଟ କିମ୍ବା ପଲଙ୍କ ଖୋଜେ । ହେଲେ ଏବେବି ଏମିତି ଏକ ଗାଁ ଅଛି ଯେଉଁଠି କାହିଁ କେଉଁ କାଳରୁ ଖଟ ବ୍ୟବହାର ହୁଏନାହିଁ । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ନୂଆପଡ଼ା ଜିଲ୍ଲାର କୋଟଗାଁ । ଜିଲ୍ଲା ସଦର ମହକୁମାଠାରୁ ଶହେ ପାଞ୍ଚ କି.ମି ଦୂର ବଣ ପାହାଡ଼ ଘେରା ପାତାଳ ଗଙ୍ଗା ନିକଟସ୍ଥ ଆଦିମ ଜନଜାତି ବହୁଳ ଏକ ବସ୍ତି ହେଉଛି କୋଟଗାଁ ।

ଗାଁରେ ଦେବାଦେବୀଙ୍କୁ ନେଇ ରହିଛି ପ୍ରଗାଢ଼ ବିଶ୍ୱାସ । ଗାଁର ଇଷ୍ଟଦେବୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ଗାଁର ଛୋଟରୁ ବୁଢ଼ା ସମସ୍ତେ ଯୁଗଯୁଗ ଧରି ଖଟରେ ଶୋଇନଥାନ୍ତି । ଚୌକିରେ ବସୁନଥିବା ଦେଖିବାକୁ ମିଳିଛି । ଗାଁର ସମସ୍ତେ ତଳେ ଶୋଇଥାନ୍ତି । ଏପରିକି ଘରକୁ ଅତିଥି ଆସିଲେ ମଧ୍ୟ ତଳେ ବସିବାକୁ ଦେଇଥାନ୍ତି । ଖଟରେ ଶୋଇଲେ ଦେବୀ ଆର୍ବିଭାବ ହୋଇ ଖଟରୁ ଫିଙ୍ଗି କଷ୍ଟ ଦେଉଥିବା ଗାଁ ଲୋକ କହିଛନ୍ତି ।

ଗାଁ ମୁଣ୍ଡରେ ରହିଛନ୍ତି ଗାଁର ଇଷ୍ଟଦେବୀ ମା’ ଦ୍ୱାରସନୀ, ଗୁରୁବୁଢ଼ା, ଖଟତାଲିବାବୁ । ଯେଉଁଥିପାଇଁ ଗାଁ ଲୋକେ ଘରପିଣ୍ଡାରେ ମଧ୍ୟ ଚପଲ ବ୍ୟବହାର କରିନଥାନ୍ତି । ଦେବୀମାନେ ମାଟିରୁ ଜନ୍ମ ନେଇଛନ୍ତି । ଯଦି ମାଟି ଉପରେ ଖଟ କିମ୍ବା ପଲଙ୍କ ବ୍ୟବହାର କଲେ ମାଁକୁ ଅସମ୍ମାନ ହେବ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ଏପରିକି ଗାଁକୁ ନେତା, ମନ୍ତ୍ରୀ ହେଉ ବା କୌଣସି ସରକାରୀ ଅଧିକାରୀ ଆସିଲେ ମଧ୍ୟ ତଳେ ଚଟିଆରେ ବସିବାକୁ ଦେଇଥାନ୍ତି ।

ବୋଡ଼େନ ବ୍ଲକର ଚବିଶଟି ଟିକ୍ରି ଅର୍ଥାତ୍ ଚବିଶିଟି ଗାଁର ଗଉନ୍ତିଆଙ୍କ ନେତୃତ୍ୱରେ ଦେବୀ ପୂଜା ପାଇଆସୁଛନ୍ତି । ଦେବୀଙ୍କ ବର୍ଷକୁ ପାଞ୍ଚଗୋଟି ଯାତ୍ରା ହୋଇଥାଏ । ଦେବୀଙ୍କ ଶତାଧିକ ମୁଖ୍ୟ ସେବାୟତ ରହିଛନ୍ତି । ମା’କୁ ଅସମ୍ମାନ କରି ସେବାରେ ଅବହେଳା କଲେ ମା’ କଷ୍ଟ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଗାଁରେ ଖଟ କିମ୍ବା ପଲଙ୍କ ଓ ଚପଲ ବ୍ୟବହାର କରୁନଥିବା ତାଙ୍କର ପୁରୁଣା ପରମ୍ପରା ବୋଲି ଗବେଷକମାନେ ମତ ଦେଇଥାନ୍ତି ।

Leave A Reply

Your email address will not be published.