ମୁମ୍ବାଇ: ଆପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେକ୍ ଆଇକନ୍ ଷ୍ଟିଭ୍ ଜବସ୍ ଏବଂ ତାଙ୍କର ଭାରତୀୟ ଆଧ୍ୟାତ୍ମିକ ଯାତ୍ରା ସମ୍ପର୍କରେ ଅନେକେ ଅବଗତ । ୧୯୭୦ ଦଶକରେ ଆଧ୍ୟାତ୍ମିକ ଶାନ୍ତି ଓ ମାର୍ଗଦର୍ଶନ ଲାଭ କରିବା ପାଇଁ ସେ ଉତ୍ତରାଖଣ୍ଡ ସ୍ଥିତ କୈଞ୍ଚି ଧାମ ଆଶ୍ରମକୁ ଆସିଥିଲେ । ତେବେ ଦଶନ୍ଧି ଦଶନ୍ଧି ତଳର ତାଙ୍କର ଏହି କାହାଣୀ ଏବେ ଜଣେ ୨୧ ବର୍ଷୀୟା ଯୁବ ପ୍ରଯୋଜିକା ଅନୁପ୍ରିୟା ନାଗରଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ଷ୍ଟିଭ୍ ଜବସ୍ଙ୍କ ଏହି ଆବିଷ୍କାର ବା ଯାତ୍ରା ପ୍ରସଙ୍ଗରୁ ପ୍ରେରଣା ପାଇ ଅନୁପ୍ରିୟା ଏବେ ପ୍ରସିଦ୍ଧ ସନ୍ଥ ନୀମ କରୋଲି ବାବାଙ୍କ ଉପରେ ପର୍ଯ୍ୟବସିତ ଏକ ନୂଆ ଚଳଚ୍ଚିତ୍ର ‘ହନୁମାନ ଅଂଶ’ର ପ୍ରଯୋଜନା କରୁଛନ୍ତି ।
ମାତ୍ର ୨୧ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିବା ଅନୁପ୍ରିୟାଙ୍କ ପାଇଁ ଏହି ଯାତ୍ରା ବେଶ୍ ନିଆରା ଥିଲା । ସେ ନୀମ କରୋଲି ବାବାଙ୍କ ବିଷୟରେ ପ୍ରଥମେ ଷ୍ଟିଭ୍ ଜବସ୍ଙ୍କ ଜୀବନୀ ତଥା ତାଙ୍କର ଭାରତ ଗସ୍ତ ସମ୍ପର୍କିତ ତଥ୍ୟରୁ ହିଁ ଜାଣିବାକୁ ପାଇଥିଲେ । ଜଣେ ବିଶ୍ୱସ୍ତରୀୟ ବୈଷୟିକ ମହାରଥୀ କିପରି ଜଣେ ଭାରତୀୟ ସନ୍ଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଏବଂ ନିଜର ଦିଗହରା ସମୟରେ କୈଞ୍ଚି ଧାମରୁ ଶାନ୍ତି ପାଇଥିଲେ, ତାହା ଅନୁପ୍ରିୟାଙ୍କ ପାଇଁ ଏକ ବଡ଼ ଆବିଷ୍କାର ଥିଲା। କେବଳ ଷ୍ଟିଭ୍ ଜବସ୍ ନୁହଁନ୍ତି, ତାଙ୍କରି ପରାମର୍ଶ କ୍ରମେ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ପରବର୍ତ୍ତୀ ସମୟରେ ବାବାଙ୍କ ଆଶ୍ରମ ଵୁଲି ଦେଖିଥିଲେ । ପାଶ୍ଚାତ୍ୟ ଜଗତର ବଡ଼ ବଡ଼ ସଫଳ ବ୍ୟକ୍ତିତ୍ୱମାନେ ଭାରତୀୟ ଆଧ୍ୟାତ୍ମିକତା ଆଗରେ ମୁଣ୍ଡ ନୁଆଁଇବା ଘଟଣା ଅନୁପ୍ରିୟାଙ୍କୁ ନୀମ କରୋଲି ବାବାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉତ୍ସୁକ କରିଥିଲା ।

ନୀମ କରୋଲି ବାବାଙ୍କୁ ତାଙ୍କ ଭକ୍ତମାନେ ପ୍ରଭୁ ହନୁମାନଙ୍କ ଅବତାର ବୋଲି ବିଶ୍ୱାସ କରନ୍ତି । ତାଙ୍କର ସେବା ମନୋଭାବ ଏବଂ ଚମତ୍କାରିତାକୁ ଅନୁଧ୍ୟାନ କରିବା ପରେ, ଅନୁପ୍ରିୟା ନିଜର ସିନେମାଟୋଗ୍ରାଫିକ୍ ପ୍ରୋଜେକ୍ଟ ‘ହନୁମାନ ଅଂଶ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନର ଯୁବପିଢ଼ି ଏବଂ ଆଧୁନିକ ସମାଜ କିପରି ନିଜର ଆଧ୍ୟାତ୍ମିକ ଚେର ସହ ଯୋଡ଼ି ହୋଇପାରିବେ, ତାହାକୁ ଦୃଷ୍ଟିରେ ରଖି ସେ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ।
ବଲିଉଡରେ ଜଣେ ସର୍ବକନିଷ୍ଠ ପ୍ରଯୋଜିକା ଭାବରେ ଆଧ୍ୟାତ୍ମିକ ଏବଂ ଜୀବନ ଦର୍ଶନ ଭଳି ଏକ aଆଧ୍ୟାତ୍ମିକ ବିଷୟବସ୍ତୁକୁ ବାଛିବା କାରଣରୁ ଅନୁପ୍ରିୟା ନାଗରଙ୍କ ଏହି ପ୍ରୟାସ ଏବେ ବି-ଟାଉନ୍ରେ ବେଶ୍ ପ୍ରଶଂସା ସାଉଁଟୁଛି । ଷ୍ଟିଭ୍ ଜବସ୍ଙ୍କ ଏକ ଛୋଟ ତଥ୍ୟରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ‘ହନୁମାନ ଅଂଶ’ ମାଧ୍ୟମରେ ରୂପେଲି ପରଦାରେ ପ୍ରତିଫଳିତ ହେଉଛି ।

