Latest Odisha News

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଢୋଲ ମହୁରିରେ ଦୁଲକୁଛି ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସ୍ଥାନ ସୁବର୍ଣ୍ଣପୁର । ଅଷ୍ଟଚଣ୍ଡିଙ୍କ ସହରରେ ପାଳିତ ହୋଇଛି ବଳିଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଯାଏଁ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ ହୋଇଛି। ଏହି ବଳିଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମହାବଳୀ ଯାତ୍ରା।

ଉଆଁସ ବଳି, ନିଶାବଳି, ଖଉଳ ବଳି, ଡାଙ୍ଗୁଆ ବଳି, ଗାୟନ ବଳି, ନବମୀ ବଳି, ମହାବଳି, ଦଶହରା ବଳୀ ଓ ପୁର୍ଣ୍ଣମୀ ବଳି ଆଦି ନଅ ପ୍ରକାର ବଳି ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ ବଳିଯାତ୍ରା। ବଳି ଭିତରେ ମହାବଳୀ ପର୍ବର ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ଏହି ବଳିଯାତ୍ରାରେ ଉଚ୍ଚ, ନିଚ୍ଚ ଜାତି ଅଜାତି ନିର୍ବିଶେଷରେ ୩୬ ପାଟକ ବା ସମ୍ପ୍ରଦାୟର ଲୋକେ ନିୟୋଜିତ ହୋଇଥାନ୍ତି ମହାବଳୀଙ୍କ ସେବାରେ। ଅନ୍ୟତ୍ର ବଳି କହିଲେ ଛାଗ ବା ମହିଷୀକୁ କୁହାଯାଉଥିବା ବେଳେ ଏଠାରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଇଥାଏ।

ସ୍ଥାନୀୟ ଖମ୍ବେଶ୍ବରୀ ପୀଠରେ ପାଳିତ ହୋଇଥାଏ ଏହି ମହାବଳି ପର୍ବ। ବରୁଆକୁ ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ଯନ୍ତ୍ରାରୁଢ କରି ମନ୍ତ୍ରପୂତ କରିବା ପରେ ଦୈବୀଶକ୍ତି ପ୍ରକଟିତ ହୁଏ। ଖଉଳ ଗାତର ମାଟି ବରୁଆର ନାଭି ମଣ୍ଡଳ ଦେଇ ପୁରୋହିତ ମହାବଳି କାର୍ଯ୍ୟ ଆରମ୍ଭ କରିଥାନ୍ତି। ଷୋହଳ ଭରନୀ ବାଦ୍ୟର ତାଳେ ତାଳେ ମହାବଳି ନୃତ୍ୟ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟରେ ସମାପିତ ହୋଇଥାଏ ମହାନବମୀ ବଳି। ରାଜା ରାଜୁଡା ଅମଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେଉଁ ଆବାହମାନ କାଳରୁ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗଶାଳା ଭାବରେ ପରିଚିତ ସୁବର୍ଣ୍ଣପୁରରେ ଅନେକ ଗୋପନୀୟ ଯନ୍ତ୍ର ଓ ତତ୍ ସମ୍ପର୍କିତ ମନ୍ତ୍ରରେ ମହାବଳି ଯାତ୍ରା ପାଳିତ ହୁଏ। ହଜାର ହଜାର ବର୍ଷର ଏହି ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ସୁବର୍ଣ୍ଣପୁରବାସୀ।

Leave A Reply

Your email address will not be published.