Latest Odisha News

ଆତ୍ମହତ୍ୟା ନାଟକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସେତେବେଳେ ସ୍କୁଲ କଲେଜ ସବୁ ବନ୍ଦ। ବାର୍ଷିକ ପରୀକ୍ଷା ପରେ ଖରାଛୁଟିରେ ସମସ୍ତଙ୍କ ପାଖରେ ପ୍ରାୟ କୌଣସି କାମ ନାହିଁ। ଏହି ସମୟକୁ ଆମେ ଗାଁ ପିଲାମାନେ ଦୁଇଟା ଉପାୟରେ ବିନିଯୋଗ କରୁ। ଦିନବେଳେ ଘରେ ପେଟେ ପଖାଳ ଟାଙ୍କିଦେଇ ଗାଁ ପାହାଡ଼ ତଳେ ଥିବା ଆମ୍ବ ତୋଟାରେ ଗପ ଉପନ୍ୟାସ ପଢ଼ାଚାଲେ। ତା ପରେ କିଛି ସମୟ ତାସ୍ ଖେଳ। ସାଙ୍ଗମାନଙ୍କ ସହିତ ଗପର ଆସର। ବେଳ ନଇଁ ଆସିଲା ବେଳକୁ ଗାଁ ଖେଳପଡ଼ିଆରେ କ୍ରିକେଟ୍। ଆଉ ସନ୍ଧ୍ୟାବେଳକୁ ଗାଁ ସ୍କୁଲ ଘରେ ସମସ୍ତେ ହାଜର। ଚାଲେ ନାଟକ ପାଇଁ ରିହରସାଲ୍। ବିଳମ୍ବିତ ରାତି ଯାଏଁ ନାଟକର ସଂଳାପ ସବୁ ଅଭ୍ୟାସ ଚାଲେ।

ରଜ ସଂକ୍ରାନ୍ତି ବେଳକୁ ବର୍ଷା ଆସିଯାଇଥାଏ। ତେଣୁ ତା ପୂର୍ବ ସପ୍ତାହରେ ନାଟକ ମଞ୍ଚସ୍ଥ ହୁଏ। ଏଥିପାଇଁ ଆମେ ସବୁ ଗାଁ ଗାଁ ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରୁ। ନାଟକ ପାଇଁ ଟିକଟ ବିକ୍ରି କରାଯାଏ। ଗାଁ ତଥା ଗାଁ ଆଖପାଖର ମୁରବି ସ୍ଥାନୀୟ ବ୍ୟକ୍ତି ଓ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଅନୁଦାନ ମଗାଯାଏ। ଏ ସବୁ ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ଯେ, ନାଟକ ମଞ୍ଚସ୍ଥ କରିବା ଫଳରେ ଯାହା କିଛି ରୋଜଗାର ହେବ, ସେଥିରୁ ଚିତ୍ରାଳୟ ଓ ଆଲୋକସଜ୍ଜା ତଥା ନିର୍ଦ୍ଦେଶକଙ୍କ ପାଉଣା ଦେଇଦେବା ପରେ ଯାହା ବଳିବ, ସେଇ ଅର୍ଥ ଗାଁ ସ୍କୁଲ ତିଆରିରେ ଖର୍ଚ୍ଚ ହେବ। ଏଭଳି ଉଦ୍ଦେଶ୍ୟ ରଖି ବର୍ଷ ପରେ ବର୍ଷ ପ୍ରତି ଖରାଛୁଟିରେ ଗାଁରେ ନାଟକ କରୁ ଆମେ। ଏବେ କିଛି ବର୍ଷ ହେଲା ଏହି ଧାରା ବନ୍ଦ ହୋଇଯାଇଛି।

ଏମିତି ହିଁ ଏକ ଖରାଛୁଟିରେ ନାଟକ ପାଇଁ ରିହରସାଲ ଚାଲିଥାଏ। ସେଥର ମୁଁ ବି ନାଟକରେ ଅଭିନୟ କରୁଥାଏ। ସେଥିପାଇଁ ବିଳମ୍ବିତ ରାତି ଯାଏଁ ସ୍କୁଲ ଘରେ ରିହରସାଲ କରିବା ପରେ ଘରକୁ ଫେରେ। ବେଳେ ବେଳେ ରାତି ବାରଟା ଗୋଟାଏ ବାଜିଯାଏ। ସେଥିପାଇଁ ଗାଁର ଅଧିକାଂଶ ପିଲା ସ୍କୁଲ ଘରେ ହିଁ ଶୋଇଯାଆନ୍ତି। ମୁଁ ହୁଏତ ଥରେ ଦି ଥର ସ୍କୁଲ ଘରେ ଶୋଇଥିବି। କିନ୍ତୁ ଘରକୁ ନ ଆସିଲେ ବାପା ଗାଳିଦେବାର ଭୟ ଥିବାରୁ ବିଳମ୍ବ ହେଲେ ବି ଘରକୁ ଫେରିଯାଏ। ସେଦିନ ରାତିରେ ଘରକୁ ଫେରିଲା ବେଳକୁ ସମୟ ପ୍ରାୟ ଗୋଟାଏ। କବାଟ ବାଡ଼େଇବା ପରେ ବାପା କବାଟ ଖୋଲିଲେ। ପୂର୍ବରୁ ଦାଣ୍ଡ ଘରେ ହିଁ ମାଆ ମୋ ପାଇଁ ଖାଇବା ବାଢ଼ି ତାକୁ ଘୋଡ଼େଇ ରଖିଦେଇଥାଏ। ବାପା କବାଟ ଖୋଲିଦେଇ ଶୋଇବା ପାଇଁ ଚାଲିଗଲେ।

ମୁଁ ଖାଇବାକୁ ବସିଥାଏ। ହଠାତ୍ ଆମ ଘରପାଖର ଦେବୀପ୍ରସାଦ ଦୌଡ଼ି ଆସିଲା। କହିଲା, ତୁ ଟିକିଏ ମୋ ସାଙ୍ଗରେ ଆସ। ମୋ ଭିଣୋଇ ମୋ ନାନୀ ସହିତ ଗଣ୍ଡଗୋଳ କରି ଆତ୍ମହତ୍ୟା କରିବା ପାଇଁ ହାତରେ ଦଉଡ଼ି ଖଣ୍ଡେ ଧରି ଘର ପଛ ପାଖ ପାହାଡ଼ ଆଡ଼କୁ ପଳେଇଗଲେ। ଆମେ ତାଙ୍କୁ ଖୋଜିବାକୁ ଯିବା। ଯଦି ସିଏ ଆତ୍ମହତ୍ୟା କରିଦିଅନ୍ତି, ତାହେଲେ ତାଙ୍କ ଘର ଲୋକ ମୋତେ ଓ ମୋ ପରିବାରକୁ ମାରିଦେବେ। ମୁଁ ଖାଇବା ଅଧାରୁ ଉଠିଲି। ତା ପରେ ବାଞ୍ଛାନିଧି, ନାରାୟଣ ଓ ଦେବୀପ୍ରସାଦର ସାନ ଭଉଣୀ କୁସୁମ ଆମ ସହିତ ବାହାରିଲେ। କାହା ପାଖରେ ଲାଇଟ୍ ନାହିଁ। ଗୋଟିଏ ଛୋଟିଆ ଟର୍ଚ୍ଚ ଲାଇଟ୍ ମୋ ପାଖରେ ଥାଏ। ବୈଶାଖ ମାସର ସେଇ କାଳିଜହ୍ନିଆ ରାତିଟାରେ କିଛି ଦେଖାଯାଉଥାଏ, କିଛି ନାହିଁ। ଛାଇ ଅନ୍ଧାର ଭଳି ସ୍ଥିତି। ସେଥିରେ ମୋର ସେ ଟର୍ଚ୍ଚ ଲାଇଟ୍ ବି ସେମିତି କିଛି କାମ ଦେଉନଥାଏ।

ଦେବୀପ୍ରସାଦର ଘର ପଛକୁ ପ୍ରାୟ ଦୁଇଶହ ମିଟର ଗଲେ ଗୋଟିଏ ଆମ୍ବତୋଟା। ସେହି ଆମ୍ବତୋଟାଟି ପାହାଡ଼କୁ ଲାଗିଛି। କହିବାକୁ ଗଲେ କିଛି ଆମ୍ବଗଛ ପାହାଡ଼ ଉପର ଯାଏଁ ରହିଛି। ଆମେ ପାଞ୍ଚ ଜଣ ଯାକ ସେହି ତୋଟା ଭିତରେ ପଶିବା କ୍ଷଣି ଦେବେନ୍ଦ୍ର… ଦେବେନ୍ଦ୍ର … ବୋଲି ଉଚ୍ଚସ୍ୱରରେ ଡାକିଲୁ। କୌଣସି ଉତ୍ତର ନାହିଁ। ଆମ ଭିତରେ ଭୟ ବଢ଼ୁଥାଏ। କଣ କରିବୁ କିଛି ବୁଦ୍ଧିବାଟ ଦିଶୁନଥାଏ। ତା ଛଡ଼ା ସେହି ଆମ୍ବତୋଟା ଭିତରେ ସେ କାଳିଜହ୍ନର ଆଲୁଅ ଆଉ ଦିଶୁନଥାଏ। ମୋଟାମୋଟି କହିବାକୁ ଗଲେ ପୂରା ଅନ୍ଧାର। ସେ ଭିତରେ ଗୋଟିଏ ପରେ ଗୋଟିଏ ଗଛ ଡ଼ାଳକୁ ଆମେ ଟର୍ଚ୍ଚ ପକାଇ ଦେଖିବାକୁ ଚେଷ୍ଟା କରୁଥିଲୁ। କିନ୍ତୁ କିଛି ବି ଜଣାପଡୁନଥାଏ। ସେତେବେଳକୁ ଦୂରରେ ଗୋଟିଏ ଟ୍ରେନ୍ ଯିବାର ଶବ୍ଦ ଶୁଭିଲା। ଆମ ମୁଣ୍ଡରେ ପାପ ପଶିଲା। ସେହି ତୋଟା ତଳକୁ ଯାଇଛି ରେଳଲାଇନ୍। ଆମେ ଭାବିଲୁ ଦେବେନ୍ଦ୍ର ବୋଧେ ରେଳଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଦେଇଥିବ। ସେଇଆ ଭାବି ରେଳଧାରଣା ଆଡ଼କୁ ଯିବାକୁ ବାହାରିଥିଲା ବେଳେ ପଛରେ ହଠାତ୍ ଏକ ବିଚିତ୍ର ଶବ୍ଦ ଶୁଣାଗଲା। ଦୁଇଟା ରାତିରେ ଏଭଳି ଏକ ବିକଟାଳ ଶବ୍ଦ ଆମ ଛାତି ଥରାଇଦେଉଥିଲା। ଆମକୁ ଲାଗିଲା, ସତେ ଯେମିତି କେହିଜଣେ ନିଜ ଗଳାରେ ଫାଶ ଲଗାଇ ଅତି ଜୋରରେ ଭିଡୁଛି। ଆଉ ତା ତଣ୍ଟି ଚିପିହୋଇଗଲା ବେଳେ ସେ ଏଭଳି ଚିତ୍କାର କରୁଛି। ସେଇଆ ଭାବି ଆମେ ପୁଣିଥରେ ଆମ୍ବତୋଟା ଆଡ଼କୁ ଦୌଡ଼ିଲୁ।

ସବୁଠୁ ଆଗରେ ଥାଏ ନାରାୟଣ। ତା ପଛକୁ ଦେବୀପ୍ରସାଦ ଓ ତା ଭଉଣୀ। ପଛକୁ ବାଞ୍ଛାନିଧି ଓ ମୁଁ। ଆମ ଭାଗ୍ୟଭଲ। ସାମ୍ନାରେ ଥିଲେ ଦୁଇଟି ଭାଲୁ। ଖରାଦିନ ଯୋଗୁଁ ପାହାଡ଼ରୁ ସେମାନେ ଓହ୍ଲାଇ ଆସିଛନ୍ତି ଆମ୍ବତୋଟାକୁ। ଦୁଇଟି ଭାଲୁ ଭିତରେ ସଂଘର୍ଷ ଚାଲିଛି। ଆମେ ଜୀବନ ବିକଳରେ ପୁଣି ଦୌଡ଼ିଲୁ ରେଳଧାରଣା ଆଡ଼କୁ। ଏଥର ଆମେ ଦୌଡ଼ିବା ବାଟରେ ଦୁବ ବି କଅଁଳୁ ନଥିଲା। ପାଦରୁ ଚପଲ ପଳେଇଲା। କିନ୍ତୁ ପଛକୁ ଫେରି ତାକୁ ଗୋଟାଇବାକୁ ବି ସାହସ ନଥିଲା। ମୋତେ ଲାଗୁଥିଲା ମୁଁ କୌଣସି ଏକ ଦୁଃସାହସିକ ଯାତ୍ରାର ଅଭିଯାତ୍ରୀ। ଆମ ଭିତରେ ସବୁଠୁ ବୟସ୍କ ଥିବା ବାଞ୍ଛାନିଧି କହିଲା, ଏଇଟା ଭାଲୁମାନଙ୍କ ସମ୍ଭୋଗର ଋତୁ। ଏହି ସମୟରେ ଯଦି ସେମାନଙ୍କ ସାମ୍ନାରେ କେହି ପଡ଼େ, ତା ହେଲେ ତା ଜୀବନ ଗଲା। ଭାଗ୍ୟଭଲ ବଞ୍ଚିଗଲୁ। ଏପଟେ କିନ୍ତୁ ଦେବୀପ୍ରସାଦ ଓ ତା ଭଉଣୀ କୁସୁମ ଅବିରତ ଭାବେ କାନ୍ଦୁଥାନ୍ତି। ସେମାନଙ୍କ ମନରେ ଗୋଟିଏ ଭୟ, ଯଦି ଦେବେନ୍ଦ୍ର ଆତ୍ମହତ୍ୟା କରିଥାଏ, ତାହେଲେ ସେମାନଙ୍କ ନିସ୍ତାର ନାହିଁ।

ଆମେ ସେତେବେଳକୁ ରେଳଧାରଣା ଉପରକୁ ଉଠୁଥିଲୁ। ଦୂରରୁ ଗୋଟିଏ ଟ୍ରେନ୍ ଆସୁଥିଲା। ଟ୍ରେନର ଆଲୁଅରେ ଦେଖାଗଲା ରେଳଧାରଣା ଉପରେ ଗୋଟିଏ ଖଣ୍ଡିତ ମୃତଦେହ। ପ୍ରଥମେ ଆମେ ଭାବିଲୁ କୌଣସି ବନ୍ୟଜନ୍ତୁ ହୁଏତ ଟ୍ରେନରେ କଟିଯାଇଛି। କିନ୍ତୁ ନାରାୟଣ ସାହସ କରି ସେହି ମୃତଦେହ ଆଡକୁ ବଢ଼ିଲା। କହିଲା ଲୋକଟେ କଟିଯାଇଛି। ସେତେବେଳକୁ ଟ୍ରେନ ଆମ ପାଖକୁ ଆସିଯାଇଥାଏ। ଏତକ ଶୁଣିବା ସଙ୍ଗେ ସଙ୍ଗେ ଦେବୀପ୍ରସାଦ ଓ କୁସୁମ ଟାଣିହେଲେ ସେମାନେ ବି ଟ୍ରେନରେ ମୁଣ୍ଡଦେଇ ଆତ୍ମହତ୍ୟା କରିଦେବେ। ସେହି ଦୁଇ ଜଣକୁ ଆମେ ତିନି ଜଣ ନିୟନ୍ତ୍ରଣ କରିବା ବଡ଼ କାଠିକର ପାଠ ଥିଲା। ତଥାପି କଷ୍ଟେମଷ୍ଟେ ସେ ଦୁଇଜଣକୁ ଟାଣି ଧରିଲୁ ଆମେ। ଆତ୍ମହତ୍ୟାରୁ ନିବୃତ କଲୁ। ତା ପରେ ସଙ୍ଗେ ସଙ୍ଗେ ଆମ ଯୋଜନା ଚାଲିଲା। ମୁଁ କହିଲି, ରାତି ଦୁଇଟା ହୋଇଛି। ଏବେ ଗାଁରେ ସମସ୍ତେ ଶୋଇଛନ୍ତି। କାହାକୁ କିଛି ନକହି ଆମେ ଦେବେନ୍ଦ୍ରର ଏ ମୃତଦେହକୁ ଉଠାଇ ନେଇଯିବା। ପୋଲିସ ବି ଜାଣି ପାରିବ ନାହିଁ। ରାତାରାତି ଆମେ ଶବସତ୍କାର ବି କରିଦେବା। ଏମିତି ବୁଝାଇ ସୁଝାଇ ଦେବୀପ୍ରସାଦ ଓ କୁସୁମକୁ ରେଳଧାରଣା ପାଖରୁ ନେଇ ତା ସମାନ୍ତରାଳରେ ଚାଲିଥିବା ଜାତୀୟ ରାଜପଥକୁ ଉଠିଲୁ। ସେଠାରୁ ପୁଣି ଗାଁ ଆଡ଼କୁ ମୁହାଁଇଲୁ ଆମେ। ଗାଁ ଛକରେ ପହଞ୍ଚି, ସେଇଠୁ ଗାଁ ଭିତରକୁ ଯିବୁ। ତା ପରେ ଆଉ କିଛି ଲୋକ ଯୋଗାଡ଼ କରି ମୃତଦେହ ଉଠାଇବାକୁ ଆସିବୁ। ଏଇ ଯୋଜନାରେ ଆମେ ଆଗକୁ ବଢୁଥିଲୁ।
ଗାଁ ଛକରେ ପହଞ୍ଚିଲା ବେଳକୁ ସବୁକିଛି ଶୂନଶାନ। ଛକର ସବୁ ଦୋକାନ ବନ୍ଦ। କାଁ ଭାଁ ଦୋକାନିଆ ନିଜ ଦୋକାନ ଆଗରେ ଶୋଇଥାନ୍ତି। ଆମେ ଦେବୀପ୍ରସାଦ ଓ କୁସୁମକୁ ଚୁପ୍ ହେବାକୁ ବାରମ୍ବାର କହୁଥିଲୁ। ସେମାନେ ଅବିରତ କାନ୍ଦୁଥାନ୍ତି। ତେବେ କାଳେ କେହି ସେମାନଙ୍କ କାନ୍ଦ ଶୁଣିଦେବେ, ଦେବେନ୍ଦ୍ରର ଆତ୍ମହତ୍ୟା ଘଟଣାଟା ପ୍ରଘଟ ହୋଇଯିବ, ସେହି ଭୟରେ ସେ ଭାଇଭଉଣୀଙ୍କୁ ଚୁପ୍ କରାଉଥିଲୁ ଆମେ। ଗାଁ ଛକ ଅତିକ୍ରମ କରି ଆମେ ଗାଁ ଭିତରକୁ ପଶୁଥିଲୁ। ଗାଁର ରେଳବାଇ ଫାଟକ ଅତିକ୍ରମ କରିବାକୁ ଗଲାବେଳେ ପଛରୁ ଶୁଭିଲା ଦେବେନ୍ଦ୍ରର ସ୍ୱର। ସେ ଡାକିଲା- ବାଞ୍ଛାନିଧି .. ଏ ବାଞ୍ଛାନିଧି । ମୋ ଦେହରୁ ଝାଳ ବୋହିଗଲା। ମୁଁ ଭୟରେ ଥରୁଥାଏ। ମୋତେ ଲାଗିଲା, ଏବେ ହିଁ ଆତ୍ମହତ୍ୟା କରିଥିବା ଦେବେନ୍ଦ୍ର ପଛରୁ ଡାକିଲା କେମିତି? ସେ ଯଦି ମୃତ, ତା ହେଲେ ତା କଣ୍ଠସ୍ୱର ଆସିଲା କୁଆଡୁ? ତାହେଲେ କଣ ତା ପ୍ରତାତ୍ମା ଆମକୁ ପଛରୁ ଡାକିଲା? ଏଭଳି ଭାବିଲା ବେଳକୁ ଛାତିଟା ଆହୁରି ଜୋରରେ ଧଡ଼ଧଡ଼ ହେବାରେ ଲାଗିଲା। ମୋର ଆଦୌ ସାହସ ହେଉନଥାଏ ପଛକୁ ଫେରି ଚାହିଁବା ପାଇଁ। କିନ୍ତୁ ସାହସୀ ବାଞ୍ଛାନିଧି ପଛକୁ ଫେରି ଦୌଡ଼ିଲା। ତାକୁ ଲାଗିଲା ପ୍ରକୃତରେ ଦେବେନ୍ଦ୍ର ବଞ୍ଚିଛି। ଆଉ ସିଏ ହିଁ ପଛରୁ ଡାକିଲା। ବାଞ୍ଛାନିଧି ଦୌଡ଼ିବା ଦେଖି ଆମେ ସମସ୍ତେ ତା ପଛରେ ଦୌଡ଼ିଲୁ।
ଗାଁ ଛକର ଏକ ଦୋକାନ ଦୁଆରେ ବସିଥାଏ ଦେବେନ୍ଦ୍ର। ଆତ୍ମହତ୍ୟା କରିବା ପାଇଁ ଘରୁ ଧରି ବାହାରିଥିବା ସେହି ଦଉଡ଼ିଟା ବି ତା ହାତରେ ଥାଏ। ବାଞ୍ଛାନିଧି ଗୋଟାଏ ଶକ୍ତ ଚାପୁଡ଼ା ମାରିଲା ଦେବେନ୍ଦ୍ର ଗାଲରେ। କହିଲା, ତୋ ପାଇଁ ଏବେ ଆମେ ପାଞ୍ଚଜଣଙ୍କ ଜୀବନ ଯାଇଥାନ୍ତା। ପ୍ରଥମେ ଭାଲୁ ଖାଇଥାନ୍ତା ନହେଲେ ଏବେ ଟ୍ରେନ୍। ମୁଁ ପଚାରିଲି, ତମେ ଯଦି ଜୀବିତ, ତାହେଲେ ରେଳଧାରଣାରେ ପଡ଼ିଥିବା ସେ ମୃତଦେହ କାହାର? ତମର ଏ ଭୁଲ୍ ପାଇଁ ଆମେ ଆଉକାହାର ମୃତଦେହ ଉଠାଇ ତାର ସତ୍କାର କରିଦେଇଥାନ୍ତୁ। ତେବେ ସେ ମୃତଦେହ ସମ୍ପର୍କରେ ଜାଣିବା ପାଇଁ ଆଉ କାହାର ଆଗ୍ରହ ନଥିଲା। ଦେବେନ୍ଦ୍ରକୁ ସାଙ୍ଗରେ ନେଇ ଆମେ ଘରକୁ ଫେରିଲୁ। ଅଧାଖିଆରେ ଉଠିଯାଇଥିଲି ମୁଁ। ତେଣୁ ଘରକୁ ଫେରି ସେହି ସବୁ ଖାଦ୍ୟ ଗାଈ ଡୋଙ୍ଗାରେ ପକାଇଲି। ଘରେ ସମସ୍ତେ ଶୋଇଥାନ୍ତି। କାହା ଶୋଇବାରେ ବାଧା ନଉପୁଜାଇ ମୁଁ ଶୋଇବାକୁ ଚେଷ୍ଟାକଲି। ମତେ ଏକ ବିଚିତ୍ର ଭୟଲାଗୁଥାଏ। କାଳିଜହ୍ନିଆ ରାତିରେ ଦୂରରେ ରେଳଧାରଣା ଉପରେ ଟ୍ରେନ ଆଲୁଅରେ ଦେଖିଥିବା ସେହି ଖଣ୍ଡିତ ମୃତଦେହ ମୋତ ବାରମ୍ବାର ଦେଖାଯାଉଥାଏ। ମୋ ଆଖିରେ ଆଦୌ ନିଦ ନାହିଁ। କେତେ ଚେଷ୍ଟାକଲେ ବି ସେ ଦୃଶ୍ୟ ମୋ ଆଖିଆଗରୁ ଯାଉନଥାଏ। କଣ କରିବି କଣ ନାହିଁ କିଛି ଭାବିପାରୁନଥାଏ। କେବଳ କଡ଼ ଲେଉଟାଇବା ବ୍ୟତୀତ ମୋ ପାଖରେ ଆଉ କିଛି ଉପାୟ ନଥିଲା। ବାରମ୍ବାର ମୋ ଦେହରୁ ଝାଳ ବୋହିଯାଉଥାଏ। ପାହାନ୍ତିଆ ବେଳକୁ କେତେବେଳେ ଆଖି ଲାଗିଯାଇଛି ଜାଣିନି। ପ୍ରାୟ ସକାଳ ନଅଟା ଯାଏଁ ଶୋଇଥିଲି ମୁଁ।

ପରଦିନ ସକାଳୁ ଉଠିଲା ବେଳକୁ ଗାଁ ଦାଣ୍ଡରେ ହଇଚଇ। ଲୋକମାନେ କଥା ହେଉଥାନ୍ତି, ପାଖଗାଁର ଗୋଟିଏ ଲୋକ ତା ସ୍ତ୍ରୀ ସହିତ ଝଗଡ଼ା କରି ରେଳଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଛି। ତା ମୃତଦେହକୁ ରେଳବାଇ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଚାଲିଛି। ମୁଁ କାହାକୁ କିଛି ନକହି କେବଳ ଏଇକଥା ଭାବୁଥାଏ, ଯଦି ରାତାରାତି ଆମେ କାହାକୁ ନକହି ସେହି ମୃତଦେହ ଉଠାଇ ତାକୁ ସତ୍କାର କରିଦେଇଥାନ୍ତୁ, ତାହେଲେ କଣ ହୁଅନ୍ତା? ତା ଛଡ଼ା ଦେବେନ୍ଦ୍ରର ଆତ୍ମହତ୍ୟା ନାଟକ ଆଉ କାହାକ୍ଷେତ୍ରରେ ବାସ୍ତବତାର ରୂପ ନେଇଛି। ଏଇଟା କେବଳ ଏକ ସଂଯୋଗ ନା ଆଉ କିଛି? ସେଦିନର ସେହି ଆତ୍ମହତ୍ୟା ନାଟକ ପରଠୁ ଯେବେ ବି କେହି ମତେ ରାତିରେ ଏଭଳି ସହାୟତା ପାଇଁ ଅନୁରୋଧ କରିଛି, ମୁଁ ରୋକଠୋକ୍ ମନାକରିଛି। କାହାସାଙ୍ଗରେ ରାତିରେ ଏଭଳି ଦୁଃସାହସିକ ଯାତ୍ରାରେ ସାମିଲ ହେବାକୁ ଆଉ ସାହସ କରିନି। …

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୨୩ , ଫୋନ୍- ୯୯୩୭୨୫୨୪୬୪

Comments are closed.