Latest Odisha News

BREAKING NEWS

ମହାବାତ୍ୟାକୁ ପୁରିଲା ୨୦ ବର୍ଷ…

ଭୁବନେଶ୍ୱର: ସାଇଁ-ସାଇଁ ପବନର ଗର୍ଜନ । ଘନ-ଘନ ବିଜୁଳି ସାଙ୍ଗକୁ ବର୍ଷା । କଳା ଚକମକ୍ ରାତିର ପ୍ରକୃତିର ଏହି କରାଳ ରୂପ ଦେଖିଥିଲା ଓଡ଼ିଶା ।

ଅକ୍ଟୋବର ୨୯ ତାରିଖ ୧୯୯୯ ମସିହା । ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା । ଏହାର ରୂପ ଥିଲା ଅତ୍ୟନ୍ତ ଭୟଙ୍କର । ଏହାର କରାଳ କାୟାରେ ଛାରଖାର ହୋଇଯାଇଥିଲେ କେଜାଣି କେତେ ପରିବାର ।

ସେତେବେଳେ ଆଜିର ସମୟ ପରି ଟିଭି କି ମୋବାଇଲର ସୁବିଧା ନଥିଲା । ଲୋକଙ୍କୁ ସଚେତନ କରିବାର ଗୋଟିଏ ମାଧ୍ୟମ ଥିଲା ରେଡ଼ିଓ । ତାହା ବି ସମସ୍ତଙ୍କ ପାଖରେ ନଥାଏ । ସଚେତନତା ଅଭାବରୁ ନଷ୍ଟ ହେଲା ବହୁ ଧନ ଜୀବନ ।

ଅକ୍ଟୋବର ୨୭ରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ଓ ବାଲିକୁଦ ଠାରେ ବଡେ଼ଇ ହୋଇ ଓଡ଼ିଶାକୁ ପ୍ରବେଶ କରିଥିଲା ।

ଦେଖୁ ଦେଖୁ ଏହା ମହାବାତ୍ୟାର ରୂପ ନେଲା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଖାପାଖି ୮ ଘଣ୍ଟା ଯାଏଁ ତାଣ୍ଡବ ରଚିଲା ଏହି ମହାବାତ୍ୟା । କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର,ଖୋର୍ଦ୍ଧା ଆଦି ଜିଲ୍ଳାରେ ଏହା କରାଳ ରୂପ ନେଇଥିଲା । ରିପୋର୍ଟ ଅନୁସାରେ ପାଖାପାଖି ଦେଢ଼ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ । ଏହାଛଡା କେତେ ଯେ ଯିବଜନ୍ତୁ ମାରିଲେ ତାର ହିସାବ ନାହିଁ । ଅକ୍ଟୋବର ୨୮ର ସକାଳୁ ଯୁଆଡେ ଦେଖିବ ସିଆଡେ ଖାଲି କୁଡ଼କୁଡ଼ ଶବ ।

ଏଭିତରେ ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ବିତି ଗଲାଣି କିନ୍ତୁ ବଦଳିନି ଚିତ୍ର । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ ।

ଏହି ମହାବାତ୍ୟାକୁ ଅଙ୍ଗେ ନିଭେଇ ଥିବା କିଛି ଲୋକଙ୍କ ମୁହଁରୁ ପଦେ…

କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଲଞ୍ଜୁରା ପଂଚାୟତର ପାଣିଖିଆ ଗାଁ । ଏହି ଗାଁରେ ମହାବାତ୍ୟାରେ ୧୫ ଜଣଙ୍କ ପ୍ରାଣ ଯାଇଥିଲା । ଏହାରି ଭିତରେ ମହାବାତ୍ୟାକୁ ୨୦ ବର୍ଷ ବିତଯାଇଛି । ସେହି ଦିନର ପ୍ରକୃତିର ଧ୍ବଂସର ତାଣ୍ଡବ ଦୃଶ୍ୟ ଆଜିବି ସେମାନଙ୍କ ଆଖି ଆଗରେ ନାଚି ଯାଉଛି ।

ପାଣିଖିଆ ଗ୍ରାମର ବାବୁଲା ଟୁଡୁ । ୧୯୯୯ ମସିହାରେ ବୟସ ଥିଲା ୧୨ ବର୍ଷ । ବାତ୍ୟା ପବନ ଆସିଲା ଘର ଭାଙ୍ଗିଦେଲା ଚାଳରେ ବାସି ବାପା, ମା, ଭାଇ ଓ ଭଉଣୀ ଯାଇ ରାସ୍ତାରେ ଲାଗିଲେ । ତାପରେ ବାପା, ମା, ଭଉଣୀ, ଭାଇ ହାତ ଧରା ଧରି ହୋଇ ନିରାପଦ ସ୍ଥାନକୁ ଗଲା ବଳେ ବାବୁଲା ଧରିଥିଲା ୬ବର୍ଷ ବୟସ୍କ ସାନ ଭାଇ ସତ୍ୟର ହାତ । ହେଲେ ବାବୁଲା ହାତରୁ ଖସି ଗଲା ଭାଇର ହାତ । ପ୍ରଖର ଶ୍ରୋତରେ ଭାସିଗଲା ଭାଇ । ବାତ୍ୟା କମିଲା ପରେ ଭାଇର ମୃତଦେହ ମିଳିଥିଲା ।

ସେହି ଗ୍ରାମର ସୁରେଶ କହନ୍ତି ସେ ବାତ୍ୟା ସମୟରେ ଘରେ ନଥିଲେ । ବାତ୍ୟା ପରେ ଫେରିଲା ବେଳକୁ ଖବର ପାଇଲେ ତାଙ୍କ ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଏହାପରେ ଅନେକ ବାତ୍ୟା ଓଡିଶାକୁ ପ୍ରବେଶ କରିଥିଲେ ମଧ୍ୟ ମହାବାତ୍ୟା ପରି କ୍ଷୟକ୍ଷତି ଆଉ ଘଟି ନାହିଁ । ନିକଟରେ ଓଡ଼ିଶା ସାମ୍ନା କରିଥିବା ବାତ୍ୟା ଫୋନିର ରୂପ ମଧ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । କିନ୍ତୁ ଓଡ଼ିଶା ପ୍ରଶାସନର ପୂର୍ବପ୍ରସ୍ତୁତି ଏହାକୁ କିଛି ଅଂଶରେ ରୋକି ପାରିଥିଲା ।

Leave A Reply

Your email address will not be published.