ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରିବା ପାଇଁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଅନ୍ୟ ୨ କମିଶନ ସଦସ୍ୟଙ୍କ ମତ ନ ନେଇ ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇଛି।
ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, CEC ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ନେଇ ନାହାନ୍ତି। ସେ ନିର୍ବାଚନ କମିଶନଙ୍କ ଅନେକ ନିଷ୍ପତ୍ତି ଏକପାଖିଆ ଭାବେ ନେଇଥିବା ଅଭିଯୋଗ ହୋଇଛି।
କୋର୍ଟ କହିଛନ୍ତି ଯେ କେବଳ ଅନୁମାନ ଆଧାରରେ ତୁରନ୍ତ କୌଣସି ନିଲମ୍ବନ ଆଦେଶ ଦିଆଯାଇପାରିବ ନାହିଁ। ପୂର୍ବରୁ ସତ୍ୟାସତ୍ୟ ଯାଞ୍ଚ କରିବା ଆବଶ୍ୟକ। ଯଦି ନିର୍ବାଚନ କମିଶନଙ୍କ ଜବାବ ପରେ ଏହା ପ୍ରମାଣିତ ହୁଏ ଯେ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତି କ୍ରମେ ହୋଇନାହିଁ, ତେବେ କୋର୍ଟ ସେହି ନିଷ୍ପତ୍ତିଗୁଡ଼ିକୁ ପ୍ରତ୍ୟାହାର ବା ପୁନର୍ବିଚାର କରିପାରିବେ। ସୁପ୍ରିମକୋର୍ଟ ଏହି ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

