Latest Odisha News

BREAKING NEWS

ନାଇଡୁ କମିଶନ ଫାଇଲ୍‌ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ରୁ ଜଷ୍ଟିସ୍‌ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ସମ୍ବନ୍ଧୀୟ ଫାଇଲ୍‌ ହଜିବା ବା ଗାଏବ ହେବା ଏକ ବଡ଼ ରାଜନୈତିକ ଏବଂ ପ୍ରଶାସନିକ ବିବାଦ ସୃଷ୍ଟି କରିଛି। ଏବେ ଏହି ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ ହୋଇଛି। କ୍ରାଇମବ୍ରାଞ୍ଚ ନୋଟିସ୍‌ କରିଥିବା ୩ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ରହିଛି। କମିଶନ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିଲା। ଏହି ଫାଇଲ କେଉଁଆଡ଼େ ଗଲା ତାହାର ତଦନ୍ତ ଚାଲିଛି।

ଏବେ ଯାଏଁ ଫାଇଲ୍‌ ହଜିବା ଆଧାରରେ ହିଁ ତଦନ୍ତ ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତଦନ୍ତ ଶେଷ ନ ହେବା ଯାଏଁ ଫାଇଲ ଚୋରି ବୋଲି କହିବା ଠିକ୍ ହେବନି ବୋଲି କହିଛି କ୍ରାଇମବ୍ରାଞ୍ଚ। ଏବେବି ତଦନ୍ତର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠୁଛି। ଫାଇଲ୍ କେଉଁଠି, କେଉଁ ପରିସ୍ଥିତିରେ ଗାଏବ ହେଲା ଏବଂ ଏଥିପାଇଁ କିଏ ଦାୟୀ—ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ଶେଷ ହେଲେ ହିଁ ସ୍ପଷ୍ଟ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ସହ ଜଡ଼ିତ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ହେବା ନେଇ ଜୁନ୍ ୧୦ରେ ଏଫ୍‌ଆଇଆର୍ ହୋଇଥିଲା। ଏହା ସହିତ ଏସ୍‌ୟୁଏମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ସମ୍ପର୍କିତ ଆର୍‌ଡିସି ରିପୋର୍ଟ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଥିଲା । ପ୍ରଥମେ କମିଶନରେଟ୍ ପୋଲିସ୍ ଏହାର ତଦନ୍ତ କରୁଥିଲା। ପରେ ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀ ନାଇଡୁ କମିଶନ ରିପୋର୍ଟ ଗାଏବ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଜୁଲାଇ ୨୮ରେ କ୍ରାଇମବ୍ରାଞ୍ଚ ମାମଲାକୁ ପୁନଃ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ପୂର୍ବତନ ସିଏମ୍‌ଓ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ନୋଟିସ୍ ଦିଆଯାଇଥିଲା। ପୂର୍ବତନ ଆଇଏଏସ୍ ମନୋଜ ମିଶ୍ର ପୋଲିସ୍‌ ନିକଟରେ ହାଜର ହୋଇ ବୟାନ ରେକର୍ଡ କରିଥିବା ବେଳେ ଅନ୍ୟ କିଛି ଅଧିକାରୀଙ୍କ ହାଜରକୁ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଇଥିଲା। ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟପଟେ, ଫାଇଲ୍ ଗାଏବ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

Leave A Reply

Your email address will not be published.