All Party Meet Viral Moment: ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ, ରାଜନାଥଙ୍କ ପାଦ ଛୁଇଁଲେ ସୁପ୍ରିୟା, ନଡ୍ଡାଙ୍କ କାନ୍ଧରେ କଂଗ୍ରେସ ସାଂସଦଙ୍କ ହାତ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଘଟିଥିବା କିଛି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। NDAରେ ଯୋଗ ଦେବା ଚର୍ଚ୍ଚା ଭିତରେ ଏନସିପି (ଶରଦଚନ୍ଦ୍ର ପାୱାର) ସାଂସଦ ସୁପ୍ରିୟା ସୁଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ସଂସଦ ଭବନ ଆନେକ୍ସିରୁ ବାହାରୁଥିବା ବେଳେ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯାହା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ୍ ହୋଇଥିଲା। ଯେଉଁଥିରେ ସୁପ୍ରିୟା ସୁଲେ ରାଜନାଥ ସିଂହଙ୍କ ନିକଟକୁ ଯାଇ ପାରମ୍ପରିକ ଭାବେ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପରେ ସୁଲେ ଓ ରାଜନାଥ ସିଂହଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ମଧ୍ୟ ହୋଇଥିଲା।
ସେହିପରି ବୈଠକ ପରେ କଂଗ୍ରେସର ବରିଷ୍ଠ ସାଂସଦ ଜୟରାମ ରମେଶ ମଧ୍ୟ ଜେ.ପି. ନଡ୍ଡାଙ୍କ ସହ ହସଖୁସିରେ କଥାବାର୍ତ୍ତା କରୁଥିବା ଏବଂ ତାଙ୍କ କାନ୍ଧରେ ହାତ ରଖିଥିବା ଭିଡିଓ ସାମ୍ନାକୁ ଆସିଥିଲା। ବିପକ୍ଷ ଓ ଶାସକ ଦଳର ନେତାଙ୍କ ମଧ୍ୟରେ ଏଭଳି ସୌହାର୍ଦ୍ଦପୂର୍ଣ୍ଣ ଦୃଶ୍ୟକୁ ଅନେକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ଉଦାହରଣ ବୋଲି କହୁଛନ୍ତି।
ରାଜନାଥ ସିଂହଙ୍କ ପାଦ ଛୁଇଁବା ଭିଡିଓ ଭାଇରାଲ୍ ହେବା ପରେ ଏନସିପି (ଏସ୍ସିପି) NDAରେ ଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସୁପ୍ରିୟା ସୁଲେ ଏହାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ମୁମ୍ବାଇରେ ଗଣମାଧ୍ୟମକୁ ସେ କହିଥିଲେ, “ଶରଦ ପାୱାର ସାହେବ, ମୁଁ, ଜୟନ୍ତ ପାଟିଲ, ଅନିଲ ଦେଶମୁଖ, ରାଜେଶ ଟୋପେ କିମ୍ବା ଦଳର କୌଣସି ବରିଷ୍ଠ ନେତାଙ୍କୁ କୌଣସି ଦଳ ପକ୍ଷରୁ NDAରେ ଯୋଗଦେବା କିମ୍ବା ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇନାହିଁ। ବିଜେପି, କଂଗ୍ରେସ କିମ୍ବା NDAର କୌଣସି ସହଯୋଗୀ ଦଳ ମଧ୍ୟ ଆମ ସହ ଏପରି ଆଲୋଚନା କରିନାହାନ୍ତି।” ସେ ଆହୁରି କହିଥିଲେ ଯେ, ତାଙ୍କ ଦଳର ୮ ଜଣ ସାଂସଦ ପରସ୍ପର ସହ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ଶରଦ ପାୱାରଙ୍କ ସହ ନିୟମିତ ବୈଠକ କରୁଛନ୍ତି। କୌଣସି ସାଂସଦ କିମ୍ବା ବିଧାୟକ ଦଳ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।
ନିକଟରେ ଏନସିପି (ଏସ୍ସିପି) ନେତା ଜୟନ୍ତ ପାଟିଲ, ଶାସକ ଏନସିପିର ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକରେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଶରଦ ପାୱାର ଶିବିର NDA ସହ ହାତ ମିଳାଇପାରେ ବୋଲି ଗୁଜବ ଆରମ୍ଭ ହୋଇଥିଲା। ତେବେ ଶରଦ ପାୱାରଙ୍କ ଦଳ ସ୍ପଷ୍ଟ କରିଛି ଯେ, ସେହି ବୈଠକ କେବଳ ପ୍ରଶାସନିକ ପ୍ରସଙ୍ଗ ପାଇଁ ଥିଲା, କୌଣସି ରାଜନୈତିକ ମେଣ୍ଟ କିମ୍ବା ମିଶ୍ରଣ ପାଇଁ ନୁହେଁ।
ଏପଟେ ଶରଦ ପାୱାର ନିଜେ ମଧ୍ୟ ଦଳରେ ଫାଟ କିମ୍ବା NDAରେ ଯୋଗଦାନ ସମ୍ପର୍କିତ ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ନ ଦେଇ କହିଥିଲେ, “ଏବେ ଏହା ଆଲୋଚନାର ବିଷୟ ନୁହେଁ।”
ତେବେ ସର୍ବଦଳୀୟ ବୈଠକରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କୁ ଆମନ୍ତ୍ରଣ ଦିଆଯିବାକୁ ନେଇ INDIA ମେଣ୍ଟର ଦଳଗୁଡ଼ିକ ପ୍ରତିବାଦ କରି ୱାକ୍ଆଉଟ୍ କରିଥିଲେ। ବିରୋଧୀ ଦଳ NEET-UG ପେପର ଲିକ୍, ଜାତୀୟ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିଥିଲେ। ପରେ ସେମାନେ ପୁଣି ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ, ସରକାର ସମସ୍ତ ପ୍ରସଙ୍ଗ ଉପରେ ନିୟମ ଅନୁଯାୟୀ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ମୌସୁମୀ ଅଧିବେଶନକୁ ଫଳପ୍ରଦ କରିବାକୁ ଆଶା ରଖୁଛନ୍ତି।