ବରଗଡ଼: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଷ୍ଟୁଲ୍ ଫୋପାଡ଼ି ଆକ୍ରମଣ। ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। ଅଭିଯୁକ୍ତ ଯୁବକକୁ ଅଟକ ରଖି ଟାଉନ ଥାନା ପୋଲିସର ତଦନ୍ତ। ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତ ସେଠାରେ ରହିଥିବା ଏକ ଷ୍ଟୁଲ ଉଠାଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଡା. ରାଉତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତର ସୁଦୀପ୍ତ ରାଉତଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିଲେ। ହଠାତ୍ ହୋଇଥିବା ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଏହି ସମଗ୍ର ଘଟଣା ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଭିଡିଓରେ ଅଭିଯୁକ୍ତ ଯୁବକ ହଠାତ୍ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ଉପରକୁ ଫିଙ୍ଗୁଥିବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଘଟଣା ପରେ ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଯୁବକ ଏପରି ଆକ୍ରମଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ତୀବ୍ର ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।