Latest Odisha News

ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନା ଘେରିଲେ ଲୋକ

ତାଳଚେର: ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ଡାକ୍ତର । ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ । ଆଉ ହଠାତ୍ ଅସୁସ୍ଥ ହୋଇ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ତେବେ ଜେଲରେ କାହିଁକି ହଠାତ୍ ବିଗିଡ଼ି ଗଲା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ? ଡାକ୍ତରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ତାଳଚେର ସହ ବାସିନ୍ଦା ।

ପ୍ରତିବାଦରେ ଶତାଧିକ ଲୋକ ତାଳଚେର ଟାଉନ୍ ଥାନା ଘେରାଉ କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ନିଲମ୍ବନ ସହ ଆରକ୍ଷୀ ଅଧିକ୍ଷକଙ୍କ ବଦଳି ଦାବି କରିଛନ୍ତି ।

କାହିଁକି ଗିରଫ ହୋଇଥିଲେ ଶିଶୁ ବିଶେଷଜ୍ଞ ?

ସୂଚନା ଅନୁସାରେ, ତାଳଚେର ଟାଉନ୍ ଥାନା ବାଘୁଆବୋଲ ଶିବ ମନ୍ଦିର ସମ୍ମୁଖରେ ଏକ ଘରୋଇ ନର୍ସିଂ ହୋମରେ ଡାକ୍ତର ପ୍ୟାରୀମୋହନ ପ୍ରଧାନ ରୋଗୀ ଦେଖିଥାନ୍ତି । କିଛିଦିନ ତଳେ ଜଣେ ନାବାଳିକା ଡାକ୍ତର ପ୍ୟାରୀମୋହନଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ସେହି ସମୟରେ ଡାକ୍ତର ନାବାଳିକାଙ୍କ ସହ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଏତଲା ପରେ ପୋଲିସ ତଦନ୍ତ କରି ପସ୍କୋ ଆକ୍ଟରେ ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ବେଳେ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମେଡିକାଲ୍ ନିଆଯିବା ବାଟରେ ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.