Latest Odisha News

BREAKING NEWS

ଘର ଆଗରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ, ସମସ୍ୟା ସମାଧାନରେ ଅସହାୟ ବିଧାୟକ

ବାଲେଶ୍ବର : ବାଲେଶ୍ବର ପୌରପାଳିକା ଅଞ୍ଚଳରେ ସଫେଇ କାର୍ଯ୍ୟ ଟେଣ୍ଡର ଓ କର୍ମଚାରୀ ନିଯୁକ୍ତିକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଦୁଇ ଗୋଷ୍ଠୀରେ ସଫେଇ କର୍ମଚାରୀ ବିଭକ୍ତ ହୋଇଥିବା ବେଳେ, ଗୋଟିଏ ଗୋଷ୍ଠୀ ବିଭିନ୍ନ ଦାବି ନେଇ ସଦର ବିଧାୟକ ସୂରୂପ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ହେଲେ ବିଧାୟକ ସେମାନଙ୍କ ଦାବି ପୂରଣ କରିବାରେ ଅସହାୟ ମନେ କରିଛନ୍ତି । ଅସନ୍ତୁଷ୍ଟ ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ବି ସମାଧାନର ବାଟ ବାହାର କରିବାରେ ବିଫଳ ହୋଇଛନ୍ତି ।

ପୌରାଞ୍ଚଳର ସଫେଇ କାର୍ଯ୍ୟ ପାଇଁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ବେଳେ, ପ୍ରଶାସନ ସେଥିରେ ମୁଣ୍ଡ ଖେଳାଇବ ନାହିଁ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ । ଏପରିକି ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି । ଅନ୍ୟପଟେ ନିଯୁକ୍ତି ପାଇ ନଥିବା ପରିବାରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକ ପୌର ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ହେଲେ ସେ ସମ୍ପର୍କରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଦିନ ତମାମ ସଫେଇ କର୍ମଚାରୀ ଧାରଣାରେ ବସିବା ପରେ ବିଧାୟକଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।

ଗାନ୍ଧି ଜୟନ୍ତୀ ପାଳନ ଅବସରରେ ପୁରୁଣା ସଫେଇ କର୍ମଚାରୀମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଥିଲେ । ସେତେବେଳେ ସେମାନଙ୍କ କଥା ବୁଝାଯିବ କହି ସେମାନଙ୍କୁ ଧାରଣାରୁ ଉଠାଇ ଦିଆଯାଇଥିଲା । ଅନ୍ୟପଟେ ସଫେଇ କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ପୌର ପ୍ରଶାସନର ଉଦାସୀନତା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.