ନୂଆଦିଲ୍ଲୀ: ଗତ ୧୦ ବର୍ଷରେ କମିଛି ମଧ୍ୟବିତ୍ତଙ୍କ ଆୟକର । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାରୁ କମ୍ ଉପାର୍ଜନ କରୁଥିବା ବ୍ୟକ୍ତିମାନଙ୍କ ଉପରୁ ଟିକସର ବୋଝ ହାଲୁକା ହୋଇଛି । ସାଧାରଣତଃ ବାର୍ଷିକ ଆୟ ୨୦ ଲକ୍ଷ, ଯେଉଁମାନଙ୍କୁ ମୋଟାମୋଟି ଭାବେ ମଧ୍ୟମ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି, ସେମାନଙ୍କ ଠାରୁ ନିଆଯାଉଥିବା ଟିକସର ହାର ହ୍ରାସ ପାଇଛି । ଏଥିସହିତ ୫୦ ଲକ୍ଷରୁ ଅଧିକ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କ ଟିକସ ହାର ଯଥେଷ୍ଟ ବୃଦ୍ଧି ପାଇଛି ।
ଆୟକର ରିଟର୍ଣ୍ଣ(ଆଇଟିଆର) ପୈଠ କରିବାର ଗଣନା ଅନୁସାରେ, ବାର୍ଷିକ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୨୩-୨୪ରେ ୯.୩୯ ଲକ୍ଷ ବୃଦ୍ଧି ପାଇଛି । ଯାହା ୨୦୧୩-୧୪ ଗଣନା ୧.୮୫ ଲକ୍ଷ ଠାରୁ ପାଞ୍ଚଗୁଣା ଅଧିକ ଅଟେ । ଏଥିସହିତ ୫୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ଆୟକର ୨୦୧୪ରେ ୨.୫୨ ଲକ୍ଷ କୋଟିରୁ ବୃଦ୍ଧି ପାଇ ୨୦୨୪ରେ ୯.୬୨ ଲକ୍ଷ କୋଟିରେ ପହଞ୍ଚିଛି । ଯାହା ପ୍ରାୟ ୩.୨ ଗୁଣା ବୃଦ୍ଧି ପାଇଛି ।
ପିଟିଆଇ ଅନୁଯାୟୀ, ଆୟକରର ୭୬ ପ୍ରତିଶତ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କଠାରୁ ମିଳିଥାଏ । ଏହା ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ହ୍ରାସ କରିଛି। ମୋଦି ସରକାରଙ୍କ ଟିକସ ବିରୋଧୀ ଆଇନ ଏବଂ କଳାଧନ ବିରୋଧୀ କଠୋର ଆଇନ ଯୋଗୁଁ, ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ ଆୟ ସହିତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ।
ତେବେ ୨୦୧୪ ରେ ୨ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡୁଥିଲା । କିନ୍ତୁ ମୋଦି ସରକାର ଘୋଷଣା କରିଥିବା ରିହାତି ଅନୁଯାୟୀ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ। ୧୦ ଲକ୍ଷରୁ କମ୍ ଆୟ ଥିବା ଟିକସଦାତାଙ୍କ ଠାରୁ ଆୟକର ସଂଗ୍ରହର ହାର ୨୦୧୪ ରେ ପ୍ରଦାନ କରାଯାଇଥିବା ମୋଟ ଟ୍ୟାକ୍ସର ୧୦.୧୭ ପ୍ରତିଶତରୁ ୨୦୨୪ ରେ ୬.୨୨ ପ୍ରତିଶତକୁ ହ୍ରାସ ପାଇଛି।
ଏଥିସହିତ ମିଲିଥିବା ସୂଚନା ଅନୁସାରେ, ଯେଉଁମାନେ ୨.୫ ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ୨୦୨୩-୨୪ ରେ ହାରାହାରି ୪୩ହଜାର ଟଙ୍କା ଆୟକର ଦେବାକୁ ହେବ । ଯାହାକି ସେମାନଙ୍କ ଆୟର ପ୍ରାୟ ୪ରୁ ୫ ପ୍ରତିଶତ । ଯାହାକି ଉଦୀୟମାନ ଅର୍ଥନୀତି ମଧ୍ୟରେ ସର୍ବନିମ୍ନ ସ୍ତର | ସରକାରୀ ହିସାବ ଅନୁଯାୟୀ, ୧୦ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଛି ।ଏଥିସହିତ ଆୟକର ରିଟର୍ଣ୍ଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୧୩-୧୪ ରେ ୩.୬୦ କୋଟିରୁ ୨୦୨୩-୨୪ ରେ ୭.୯୭ କୋଟିକୁ ବୃଦ୍ଧି ପାଇଛି । ଯାହାକି ୧୨୧ ପ୍ରତିଶତ ବୃଦ୍ଧି ପାଇଛି।