Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: କୋହଲି, ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଅଗ୍ନିପରୀକ୍ଷା ସଦୃଶ । ତେବେ ଆସନ୍ତୁ ନଜର ପକାଇବା ଟିମ ଇଣ୍ଡିଆର ପଜିଟିଭ ଏବଂ ନେଗେଟିଭ ଦିଗ ପ୍ରତି ।

ଟପ ଅର୍ଡର:
ପଜିଟିଭ: ଅଧିନାୟକ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲି ଭାରତର କଣ ବିଶ୍ୱର ଶ୍ରେଷ୍ଠ ଟପ ଅର୍ଡର ଭାବେ ବିବେଚିତ । ଅଭିଜ୍ଞତା ଓ ମ୍ୟାଚକୁ ଏକାକୀ ବଦଳାଇବା କ୍ଷମତା ଏହି ଖେଳାଳିମାନେ ରଖିଛନ୍ତି । ଖରାପ ଫର୍ମରେ ଥିବା ରୋହିତ ଏବଂ କୋହଲି ତାଙ୍କ ଲୟକୁ ଫେରିଛନ୍ତି ।
ନେଗେଟିଭ: ତେବେ ଏହି ୩ ଖେଳାଳିଙ୍କ ବର୍ତମାନ ପ୍ରଦର୍ଶନ ବିଚାରକୁ ନେଲେ ସେତେଟା ଉତ୍ସାହଜନକ ନାହିଁ । ରୋହିତ ନିକଟରେ ୨ଟି ଅର୍ଦ୍ଧଶତକ ମାରିଥିଲେ ମଧ୍ୟ ସେ ତାଙ୍କ ଚିରାଚରିତ ଖେଳ ଏ ପର୍ଯ୍ୟନ୍ତ ଖେଳି ପାରୁ ନାହାନ୍ତି । ଭଲ ଆରମ୍ଭ ସତ୍ୱେ ସହଜରେ ୱିକେଟ ହରାଉଛନ୍ତି । ସେହିପରି ରାହୁଲ ଫର୍ମକୁ ଫେରିଥିଲେ ମଧ୍ୟ ଷ୍ଟ୍ରାଇକ ରେଟ ନୈରାଶ୍ୟଜନକ ରହିଛି । ଆଇପିଏଲ ପରେ ସେ ଆଘାତ ପ୍ରାପ୍ତ ହେଲେ ଏବେ ରନ ପାଇଁ ସଂଘର୍ଷ କରୁଛନ୍ତି । କୋହଲି ଅବଶ୍ୟ ଏସିଆ କପରେ ଚମତ୍କାର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତଥାପି ପୂର୍ବ ତୁଳନାରେ ତାଙ୍କ ଆତ୍ମ ବିଶ୍ୱାସରେ କିଛିଟା ଅଭାବ ପରିଲକ୍ଷିତ ହେଉଛି ।


ମଜଭୁତ ମଧ୍ୟକ୍ରମ
ପଜିଟିଭ: ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଦା ଓ ଦୀନେଶ କାର୍ତିକଙ୍କୁ ନେଇ ଭାରତର ମଧ୍ୟକ୍ରମ ଗଠିତ । ଏହିମାନଙ୍କ ଉପରେ ଭାରତର ବିଶ୍ୱକପ ବିଜୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ମ୍ୟାଚ ସ୍ଥିତି ଅନୁସାରେ ଖେଳିବା ଏହି ଖେଳାଳିମାନଙ୍କୁ ଭଲ ଭାବେ ଜଣା ।
ନେଗେଟିଭ: ରିଷଭ ପନ୍ତଙ୍କ ଫର୍ମ ସବୁଠାରୁ ବେଶୀ ଚିନ୍ତାର କାରଣ ସାଜିଛି । ୧୪ଟି ଇନିଂସରେ ସେ ଗୋଟିଏ ହେଲେ ଅର୍ଦ୍ଧଶତକ ମାରି ନାହାନ୍ତି । ଏସିଆକପର ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିବା ପରେ ବାକି ତକ ମ୍ୟାଚରେ ଫୁସସସ.. ହୋଇ ଯାଇଥିଲେ । କାର୍ତିକଙ୍କୁ ଉପଯୁକ୍ତ ସୁଯୋଗ ମିଳୁନି । ବାରମ୍ବାର ଚୂଡାନ୍ତ ଏକାଦଶରୁ ବାହାରେ ନିଶ୍ଚିତ ଭାବେ ସେ ସ୍ୱାଭାବିକ ପ୍ରଦର୍ଶନ କରିପାରିବେ ନାହିଁ ।

ଶକ୍ତିଶାଳୀ ବୋଲିଂ
ପଜିଟିଭ: ପେସ ବୋଲିଂରେ ଯଶପ୍ରୀତ ବୁମରାହ, ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ଭୁବନେଶ୍ୱର କୁମାର ଏବଂ ସ୍ପିନରେ ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କୁ ନେଇ ଭାରତର ବୋଲିଂ ଲାଇନ ଅପ ବେଶ ଶକ୍ତିଶାଳୀ ରହିଛି । ଅଷ୍ଟ୍ରେଲିଆ ପିଚରେ ଏମାନେ ନିଃସନ୍ଦେହ ବୋଲିଂରେ ଯାଦୁ ଦେଖାଇବେ ।


ନେଗେଟିଭ: ହର୍ଷଲ ଓ ଅର୍ଶଦୀପଙ୍କ ମଧ୍ୟରୁ ଭାରତ ଜଣଙ୍କୁ ଚୂଡାନ୍ତ ଏକାଦଶରେ ରଖିବ । ଏହାର ମାନେ ଦଳରୁ ଜଣେ ବାମହାତୀ ବୋଲର କମ ରହିବେ । ଏହା ବିପକ୍ଷ ଦଳକୁ ଫାଇଦାରେ ରଖିପାରେ । ଅକ୍ଷରଙ୍କୁ ଚୂଡାନ୍ତ ଏକାଦଶରେ ରଖାଯିବ ନା ଅଧିକ ସ୍ପିନର ଖେଳାଇବା ନେଇ ଅଧିନାୟକ ଚିନ୍ତାରେ ରହିବେ । ଏହା ବ୍ୟତୀତ ହର୍ଷଲ, ଅର୍ଶଦୀପ ଓ ଅକ୍ଷରଙ୍କ ବଡ ଟୁର୍ଣ୍ଣାମେଂଟ ଖେଳିବା ଅଭିଜ୍ଞତା କମ ରହିଛି । ଯାହାକି ସେମାନଙ୍କୁ ଚାପଗ୍ରସ୍ତ କରାଇପାରେ ।

Leave A Reply

Your email address will not be published.