Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟରେ ତତଲା ପାଗ, ପୁଣି ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ କରାଯିବ। ସେତେବେଳେ ରାଜ୍ୟରେ ତତଲା ପାଗ ରହିବ। ଗ୍ରୀଷ୍ମ ପ୍ରବାହ ବଢିବ। ଏହି ସ୍ଥାନରେ ତାପମାତ୍ରା ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ଓଡ଼ିଶାବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିଲେ। ହେଲେ ଏବେ ପଶ୍ଚିମ ଓଡ଼ିଶା ତତଲା ପାଲଟିଲାଣି।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ଆଜି ବଲାଙ୍ଗୀର ଓ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଡେଇଁଗଲାଣି। ଏହି ଦୁଇ ସହର ତତଲା ପାଲଟିଥିଲେ ମଧ୍ୟ ତାହାକୁ ଖାତିର ନ କରି ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି।

ହାତରେ ଆଉ ଚାରି ଦିନ ପ୍ରଚାର ରହିଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରାର୍ଥୀ ଓ କର୍ମୀମାନେ ଆଉଟୁପାଉଟୁ ହେବେ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ୧୯ ତାରିଖ ବେଳକୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିବ। ଆଜି ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଛି।

ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ତି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବ‌ାଲେଶ୍ବର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ହୋଇପାରେ। ପରବର୍ତ୍ତୀ ତିନି ଦିନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.