Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲ୍ଲାକା। ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡମ୍ବୁରୁଧର ଉଲ୍ଲାକାଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଡମ୍ବରୁଧର କଂଗ୍ରେସ ତରଫରୁ ରାୟଗଡ଼ା ଜିଲ୍ଲା ବିଷମକଟକରୁ ୭ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଡମ୍ବରୁଧରଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ଡମ୍ବରୁଧର ଉଲ୍ଲାକା କିଛିଦିନ ହେବ ଅସୁସ୍ଥତା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ। ତାଙ୍କର ବିୟୋଗ ସମୟରେ ତିନି ଝିଅ, ପୁଅ ଓ ସ୍ତ୍ରୀ ଉପସ୍ଥିତ ଥିଲେ। ତେବେ ତାଙ୍କ ମରଶରୀରକୁ ପ୍ରଥମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନକୁ ନିଆଯିବ ଓ ଏହାପରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲିସ୍ଥିତ ବାସଭନକୁ ନିଆଯିବା ବୋଲି ସୂଚନା ମିଳିଛି।

ଅନ୍ୟପଟେ ଶୋକ ବାର୍ତ୍ତାରେ ଶରତ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ଉଲ୍ଲାକା କଂଗ୍ରେସ ଦଳର ଜଣେ ଅଭିଜ୍ଞ, ବରିଷ୍ଠ ତଥା ଉତ୍ସର୍ଗୀକୃତ ଜନନେତା ଥିଲେ । ଦଳ ପକ୍ଷରୁ ତାଙ୍କୁ ସାଂଗଠନିକ ଦାୟିତ୍ୱ ହେଉ ଅବା ବିଧାନସଭାରେ ବିଧାୟକ ଭାବରେ ପ୍ରତିନିଧିତ୍ୱ କରିବାର ହେଉ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିଛନ୍ତି । ସେ ବିଷମ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହ ନିବିଡ଼ ସମ୍ପର୍କ ରଖିଥିଲେ। ସ୍ୱର୍ଗତ ଉଲ୍ଲାକା ଜଣେ ସରଳ, ମିଷ୍ଠଭାଷୀ ଓ ବନ୍ଧୁବତ୍ସଳ ବ୍ୟକ୍ତିଥିଲେ । ତାଙ୍କର ଦେହାନ୍ତ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସଙ୍ଗେ ସଙ୍ଗେ ପିସିସି ସଭାପତି ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଡମ୍ବରୁଧର ଉଲ୍ଲାକା ଓଡ଼ିଶା ଗୃହ ବିଭାଗ ତଥା ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଳ ଓ ପରିମଳ ବିଭାଗର ମନ୍ତ୍ରୀ ପଦ ମଧ୍ୟ ତୁଲାଇ ଥିଲେ। ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା ବିଷମକଟକରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡମ୍ୱରୁଧର। ଏହାପରେ ସେ ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

 

Leave A Reply

Your email address will not be published.